ଭାରତରେ ତିଆରି ହେବ କାଲାସନିକୋଭ ରାଇଫଲ, ସେନାର ଇନସାସ ରାଇଫଲକୁ ବଦଳାଯିବ 

ନୂଆଦିଲ୍ଲୀ: ଭାରତରେ ନିର୍ମାଣ ହେବ ବିଶ୍ୱର ସବୁଠୁ ଲୋକପ୍ରିୟ ଆସାଲ୍ଟ ରାଇଫଲ କାଲାସନିକୋଭ ।  ଏ ନେଇ ଖୁବ ଶୀଘ୍ର ଭାରତ ଓ ଋଷିଆ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହେବ । ଏହି ଯୋଜନା ମାଧ୍ୟମରେ ପ୍ରାୟ ୬ ଲକ୍ଷ ୫୦ ହଜାର ଏକେ-୧୦୩ ଆସାଲ୍ଟ ରାଇଫଲ ନିର୍ମାଣ କରାଯିବ । ଏହାପରେ ଭାରତୀୟ ସେନାର ମୁଖ୍ୟ ରାଇଫଲ ଇନସାସକୁ ବଦଳାଇ ତା ସ୍ଥାନରେ ଏକ-୧୦୩ ବ୍ୟବହାର ହେବ । ଏ ନେଇ ଋଷିଆ ସରକାର ଦେଇଥିବା ପ୍ରସ୍ତାବକୁ ଭାରତ ସରକାର ରାଜି ହୋଇଥିବା ଜଣାଯାଇଛି । ଗତ ବର୍ଷ ଋଷିଆ ତରଫରୁ ଭାରତ ସରକାରଙ୍କୁ କାଲାସନିକୋଭ-୧୦୩ ରାଇଫଲ ଭାରତରେ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଭାରତୀୟ ସେନାର ଆବଶ୍ୟକତା ସହ ଏହି ରାଇଫଲ ମେଳ ଖାଉନଥିବାରୁ ସରକାର ଏ ନେଇ ବିଶେଷ ଆଗ୍ରହ ଦେଖାଇନଥିଲେ । କିନ୍ତୁ ଏ ବର୍ଷ ସେନା ୭.୬୨ କାଲିବର ଆସଲ୍ଟ ରାଇଫଲ ନିମନ୍ତେ ବରାଦ ଦେବାରୁ ଏହି ପ୍ରସ୍ତାବ ଆଗକୁ ବଢିଥିଲା । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗତ ଏପ୍ରିଲ ଋଷିଆ ଗ୍ରସ୍ତ ଅବସରରେ ଏ ନେଇ ଆଲୋଚନା ହୋଇଥିଲା । ଯୋଜନା ଅନୁସାରେ ଭାରତ ସରକାରଙ୍କ ତରଫରୁ ଏକ ବୈଷୟିକ ଦଳ ଖୁବଶୀଘ୍ର ଋଷିଆ ଗ୍ରସ୍ତରେ ଯାଇ କାଲାସନିକୋଭ କାରଖାନାର ପର୍ଯ୍ୟବେକ୍ଷଣ କରିବେ । ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଅର୍ଡିନାନ୍ସ ଫାକ୍ଟରୀ ବୋର୍ଡ ସହବନ୍ଧନରେ ଏହି କାରଖାନା ପ୍ରତିଷ୍ଠା କରାଯିବ । ଏହି କାରଖାନାରେ ବିଭିନ୍ନ କାଲିବରର ଏକେ ସିରିଜ୍‌ର ବିଭିନ୍ନ ରାଇଫଲ ନିର୍ମାଣ କରାଯିବ । କେବଳ ସେନା ନୁହେଁ ସିଆରପିଏଫ, ବିଏସଏଫ ପରି ଅର୍ଦ୍ଧସାମରିକ ବାହିନୀକୁ ମଧ୍ୟ କାଲାସନିକୋଭ ( ଏକେ୪୭, ଏକେ ୫୬, ଏକେ ୧୦୩ ଆଦି) ପ୍ରଦାନ କରାଯିବ । ଏହା ଦ୍ୱାରା ସୁରକ୍ଷା ବାହିନୀର ଶକ୍ତି ଓ ଆକ୍ରମଣ କ୍ଷମତା ବୃଦ୍ଧି ପାଇବ ।

 

ସମ୍ବନ୍ଧିତ ଖବର