ଓପେକ୍‌କୁ ଧମକାଇଲା ଭାରତ

ଦାମ୍‌ କମ୍‌ କର ନହେଲେ ତେଲ କିଣିବା କମାଇଦେବୁ

ନୂଆଦିଲ୍ଲୀ/ତେହରାନ୍‌: ଅଶୋଧିତ ତେଲକୁ ନେଇ ଭାରତ ବହୁତ ଚିନ୍ତିତ ହୋଇପଡ଼ିଛି। ଆନ୍ତର୍ଜାତିକ ବଜାରରେ ତେଲ ମହଙ୍ଗା ହେବା ପରଠାରୁ ଭାରତ ଅଧିକ ବିବ୍ରତ ହୋଇପଡ଼ିଛି। ତେଲ ଦାମ୍‌ କମ୍‌ କରିବାକୁ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସମୂହ (ଓପେକ୍‌)କୁ ଆଜି ଭାରତ କହିଛି। ତେଲ ଦର ଅଧିକ ରହିଲେ ଆମେ ଅଧିକ ତେଲ କିଣିବୁ ନାହିଁ ବୋଲି ଭାରତ ଜଣାଇ ଦେଇଛି।
ତେଲକୁ ନେଇ ଭାରତ ପକ୍ଷରୁ ଓପେକ୍‌କୁ ଧମକ ଦିଆଯାଇଥିବା ବେଳେ ଇରାନ୍‌ ପକ୍ଷରୁ ଭାରତକୁ ଭିନ୍ନ ପ୍ରକାରର ଚେତାବନୀ ଦିଆଯାଇଛି। ଭାରତ ଏକ ପ୍ରକାର ଅଡ଼ୁଆ ପରିସ୍ଥିତିରେ ପଡ଼ିଯାଇଛି।

ଆଜି ଓପେକ୍‌କୁ ଭାରତ କହିଛି ଯେ ତେଲ ଦର କମ୍‌ କର ଅନ୍ୟଥା ଆମେ କମ୍‌ ତେଲ କିଣିବୁ। ସେଥିପାଇଁ ପ୍ରସ୍ତୁତ ରୁହ। ଇଣ୍ଡିଆନ୍‌ ଅଏଲର ଅଧ୍ୟକ୍ଷ ସନ୍ଦୀପ ସିଂହ କହିଛନ୍ତି ଯେ, ବିଗତ ଦୁଇ ଅଢ଼େଇ ମାସ ଭିତରେ ତେଲ ଦର ଯେଉଁ ହାରରେ ବଢ଼ିଛି ଯଦି ଆଗାମୀ ଦିନରେ ସେଭଳି ସ୍ଥିତି ବଜାୟ ରହିବ ତେବେ ଭାରତକୁ ବିକଳ୍ପ ବିଷୟରେ ଚିନ୍ତା କରିବାକୁ ପଡ଼ିବ। ତେଲ ଦର ବଢ଼ିଲେ ଭାରତ ପକ୍ଷରୁ ଇଲେକ୍ଟ୍ରିକ୍‌ ଯାନ ଓ ଗ୍ୟାସ୍‌ ଉପରେ ନିର୍ଭରଶୀଳତା ବଢ଼ାଇବାକୁ ପଡ଼ିବ। କାରଣ ସେଗୁଡ଼ିକର ବ୍ୟବହାର ତେଲଠାରୁ ଶସ୍ତା ରହିବ। ଗୋଟିଏ ପଟେ ଓପେକ୍‌ର ଆଭିମୁଖ୍ୟକୁ ନେଇ ଭାରତ ଚିନ୍ତିତ ଥିବା ବେଳେ ଅନ୍ୟ ପକ୍ଷେ ଆମେରିକାର ଚାପ ଏହାର ସ୍ଥିତିକୁ ଅତ୍ୟନ୍ତ ଜଟିଳ କରିଦେଇଛି। ଇରାନରୁ ତେଲ ଆମଦାନି କମ୍‌ କରିବାକୁ ଭାରତ ସମେତ ବିଭିନ୍ନ ରାଷ୍ଟ୍ରକୁ ଯୁକ୍ତରାଷ୍ଟ୍ର ଆମେରିକା କହିଛି। ଇରାନ ଭଳି ଦେଶ ପାଇଁ ଆମେରିକା ସହ ଭାରତ ଶତ୍ରୁତା ବଢ଼ାଇବାକୁ ଚାହୁଁଛି। ସେଥିପାଇଁ ଇରାନ୍‌ରୁ ତେଲ ଆମଦାନି କମ୍‌ କରାଯାଇଛି। ଚାବାହାର ବନ୍ଦରରେ ନିବେଶକୁ ମଧ୍ୟ ଭାରତ କମ୍‌ କରିଦେଇଛି। ଏହା ଜାଣିବା ପରେ ଭାରତକୁ ଇରାନ କଡ଼ା ଚେତାବନୀ ଦେଇଛି। ଇରାନ କହିଛି ଯେ ଯଦି ଭାରତର ଏଭଳି ଆଭିମୁଖ୍ୟ ରହିବ ତେବେ ଏହାକୁ ଯେଉଁ ‘ବିଶେଷ ଦେଶ’ର ମାନ୍ୟତା ଦିଆଯାଇଛି ତାହା ପ୍ରତ୍ୟାହାର କରିନିଆଯିବ। ଭାରତକୁ ତେଲ ବିକ୍ରି ଜାରି ରଖିବା ପାଇଁ ଯାହା କରିବାକୁ ପଡ଼ିବ ତାହା ଆମେ କରିବୁ ବୋଲି ଇରାନ୍‌ କହିଛି।

ସମ୍ବନ୍ଧିତ ଖବର