ରେଳବାଇ ଏହି ନିୟମରେ କଲା ପରିବର୍ତ୍ତନ, ଯାତ୍ରୀ ଏଣିକି ଏଭଳି ସୁବିଧାର ଲାଭ ଉଠାଇ ପାରିବେ

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ରେଳବାଇ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ରେଳବାଇ ବୋର୍ଡର ଏହି ନିଷ୍ପତ୍ତି ଅନୁଯାୟୀ, ଯଦି ଜଣେ ସରକାରୀ କର୍ମଚାରୀଙ୍କ ଯାତ୍ରା ଟିକେଟ କନଫର୍ମ ଅଛି ଓ  ସେ କୌଣସି କାରଣରୁ ଯାତ୍ରା କରି ପାରୁନାହାନ୍ତି ତେବେ ସେହି ଟିକେଟରେ ଆଉ ଜଣେ ସରକାରୀ କର୍ମଚାରୀ ଯାଇପାରିବେ। କିନ୍ତୁ ଏହି ସୁବିଧା ପାଇବାକୁ ହେଲେ ଉକ୍ତ ସରକାରୀ କର୍ମଚାରୀଙ୍କୁ ଟ୍ରେନ ଛାଡିବାର ୨୪ ଘଣ୍ଟା ପୂର୍ବରୁ ପରିଚୟ ପତ୍ର ସହ ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ ଏକ ଦରଖାସ୍ତ ଜମା କରିବାକୁ ପଡିବ । ସେହିପରି ଜଣେ ଛାତ୍ରଙ୍କ ଟିକେଟ କନଫର୍ମ ଥିଲେ ଓ ସେ ଯାଇ ନ ପାରିଲେ ସେହି ଟିକେଟକୁ ଅନ୍ୟ ଜଣେ ଛାତ୍ରଙ୍କୁ ସ୍ଥାନାନ୍ତର କରିପାରିବେ।

Image result for indian-railways new decision in new year
Moneycontrol

ପୂର୍ବରୁ ଟିକେଟ କନଫର୍ମ ଥିବା ବ୍ୟକ୍ତି ଯାତ୍ରା କରି ନ ପାରିଲେ ସେହି ଟିକେଟରେ ତାଙ୍କ ରକ୍ତ ସମ୍ପର୍କୀୟ ଯାଇପାରିବାର ବ୍ୟବସ୍ଥା ରହିଥିଲା । ଅର୍ଥାତ ଏହି କନଫର୍ମ ଟିକେଟରେ, ଟିକେଟ କରିଥିବା ଲୋକଙ୍କ ସ୍ଥାନରେ ତାଙ୍କ ବାପା, ମାଆ, ଭାଇ, ଭଉଣୀ, ପୁଅ, ଝିଅ, ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ମଧ୍ୟରୁ ଯେକୌଣସି ବ୍ୟକ୍ତି ଯାଇପାରୁଥିଲେ । ତେବେ ଏଥିପାଇଁ ଟ୍ରେନ ଛାଡିବାର ୨୪ ଘଣ୍ଟା ପୂର୍ବରୁ ରକ୍ତ ସମ୍ପର୍କୀୟ ବୋଲି ପ୍ରମାଣ ପତ୍ର ସହ ଦରଖାସ୍ତ ଜମା କରିବାକୁ ପଡୁଥିଲା ।

ଏହା ସହିତ ନୂଆ ବର୍ଷରେ ଏକ ସ୍ୱତନ୍ତ୍ର ନମ୍ବର ରେଳବାଇ ଜାରି କରିଛି । ‘୧୩୯’ ନମ୍ବରରେ ଯାତ୍ରୀମାନେ ସେମାନଙ୍କ ଯେକୌଣସି ସମସ୍ୟା ନେଇ ରେଳବାଇ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ । ଏହି ଏକକ ହେଲ୍‌ପ ଲାଇନ ନମ୍ବର ପ୍ରଚଳନ ସହ ପୂର୍ବରୁ ପ୍ରଚଳିତ ସାଧାରଣ ଅଭିଯୋଗ ପାଇଁ ଥିବା ୧୩୮ ନମ୍ବର, ଦୁର୍ଘଟଣା ଏବଂ ନିରାପତ୍ତା ଲାଗି ଉଦ୍ଦିଷ୍ଟ ଥିବା ୧୦୭୨ନମ୍ବର, ଏସ୍‌ଏମ୍‌ ଏସ୍‌ ଅଭିଯୋଗ ଲାଗି ଥିବା  ୯୭୧୭୬୩୦୯୮୨ନମ୍ବର , ବଗି ସଫେଇ ଲାଗି ୫୮୮୮୮ନମ୍ବର ଅଥବା ୧୩୮ନମ୍ବର , ଭିଜିଲାନ୍‌ସ ଲାଗି ଉଦ୍ଦିଷ୍ଟ ଥିବା ୧୫୨୨୧୦ନମ୍ବର , କ୍ୟାଟରିଙ୍ଗ ସର୍ଭିସ ଲାଗି ଥିବା ୧୮୦୦୧୧୧୩୨୧ନମ୍ବର ଆଉ ଦରକାର ପଡିବ ନାହିଁ।

Image result for indian-railways new decision in new year
Dailyhunt

ଏହି ସବୁ ନମ୍ବରର ସେବା ଓ ସୁବିଧା ୧୩୯ ଡାଏଲ କଲେ ହିଁ ମିଳିବ । ଯାତ୍ରୀଙ୍କୁ ସଂଗଠିତ ଏବଂ ସହଜରେ ତଥା ଶୀଘ୍ର ସେବା ଯୋଗାଇବା ଲାଗି ରେଳବାଇ ପକ୍ଷରୁ ଏହି ଏକକ ହେଲ୍‌ପ ଲାଇନ ନମ୍ବର ପ୍ରଚଳନ କରାଯାଇଛି ।

ସମ୍ବନ୍ଧିତ ଖବର