ଆଇଏମଏଫ୍ ପରେ ଇଣ୍ଡିଆ ରେଟିଂସ୍‌ର ଆକଳନ, ଭାରତର ଅଭିବୃଦ୍ଧି ୫% ରହିବ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୪.୮ ପ୍ରତିଶତକୁ କମିଯିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଏହାର ଆକଳନରେ ପ୍ରକାଶ କରିବାର ଦିନକ ପରେ ଇଣ୍ଡିଆ ରେଟିଂସ୍ ଆଣ୍ଡ ରିସଚ୍ଚ ମଧ୍ୟ ଭାରତର ଅଭିବୃଦ୍ଧିକୁ ନେଇ ଚିନ୍ତାବ୍ୟକ୍ତ କରିଛି। ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୫ ପ୍ରତିଶତ ରହିବ ବୋଲି ଏହି ସଂସ୍ଥା ଆକଳନ କରିଛି। ତେବେ ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ୫.୫ ପ୍ରତିଶତକୁ ବୃଦ୍ଧି ପାଇପାରେ। କିନ୍ତୁ ଏହା କମିଯିବାର ଆଶଙ୍କା ମଧ୍ୟ ରହିଛି। ବର୍ତ୍ତମାନର ବଜାର ଦର ହିସାବରେ ଚଳିତ ଆର୍ଥିକ ବର୍ଷ ଭାରତର ଜିଡିପି ୭.୫ ପ୍ରତିଶତ ଏବଂ ଆସନ୍ତା ଆର୍ଥିକ ବର୍ଷ ୯.୩ ପ୍ରତିଶତ ରହିବ ବୋଲି ରିପୋର୍ଟରେ କୁହାଯାଇଛି। ଆସନ୍ତା ଆର୍ଥିକ ବର୍ଷରେ କିଛିଟା ଉନ୍ନତି ଆଶା କରାଯାଉଥିଲେ ମଧ୍ୟ ଅର୍ଥନୀତି ପ୍ରତି ବିପଦ ଜାରି ରହିବ ବୋଲି କୁହାଯାଇଛି। ବ୍ୟାଙ୍କ ଋଣ ପ୍ରଦାନରେ ମନ୍ଥରତା, ପାରିବାରିକ ଆୟ ବୃଦ୍ଧିରେ ଦେଖାଦେଇଥିବା ହ୍ରାସ ସମେତ ଅନ୍ୟ କେତେକ କାରଣ ଅର୍ଥନୀତି ପାଇଁ ଅସୁବିଧା ସୃଷ୍ଟିର କାରଣ ପାଲଟିଛି। ଉଲ୍ଲେଖଯୋଗ୍ୟ, କିଛିଦିନ ପୂର୍ବରୁ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଥିବା ପ୍ରଥମ ଅଗ୍ରିମ ଆକଳନରେ ଭାରତର ଜିଡିପି ଅଭିବୃଦ୍ଧି ଚଳିତବର୍ଷ ୫ ପ୍ରତିଶତ ରହି ବୋଲି ଦର୍ଶାଯାଇଛି। ଚାହିଦା ଏବଂ ବ୍ୟୟରେ ହ୍ରାସ ଯୋଗୁଁ ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୟମାସରେ ‌ଦେଶର ଜିଡିପି ଅଭିବୃଦ୍ଧି ହାର ୪.୫ ପ୍ରତିଶତକୁ ଖସିଯାଇଛି।

ସମ୍ବନ୍ଧିତ ଖବର