ବିଶ୍ବବ୍ୟାଙ୍କ ମୁଖ୍ୟ ଦୌଡ଼ରେ ଇନ୍ଦ୍ରା ନୁୟି

ନ୍ୟୁୟର୍କ: ବିଶ୍ବବ୍ୟାଙ୍କ ସଭାପତି ପଦ ଦୌଡ଼ରେ ପେପ୍‌ସିର ପୂର୍ବତନ ସିଇଓ ଇନ୍ଦ୍ରା ନୁୟିଙ୍କ ନାମ ଯୋଡ଼ି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ତାଙ୍କ ନାମର ସୁପାରିସ କରିଥିବାରୁ ଏହାର ଗୁରୁତ୍ବ ବହୁତ ବଢ଼ିଯାଇଛି। ସାଧାରଣତଃ, ଆମେରିକା ରାଷ୍ଟ୍ରପତି ହିଁ ବିଶ୍ବବ୍ୟାଙ୍କ ମୁଖ୍ୟ କିଏ ହେତେ ତାହାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଥାନ୍ତି। ଆନ୍ତର୍ଜାତିକ ସ୍ତରରେ ଗୁରୁତ୍ବ ରଖୁଥିବା ଏହି ସଂସ୍ଥାର ମୁଖ୍ୟ ପଦ ପାଇଁ ଅନେକ ନାମ ଚର୍ଚାକୁ ଆସିଥାଏ। ସେଥି ମଧ୍ୟରୁ ଜଣଙ୍କ ନାମ ଚୂଡ଼ାନ୍ତ ପର୍ଯ୍ୟାୟରେ ଚୟନ କରାଯାଇଥାଏ।ପେପ୍‌ସିରେ କାମ କରୁଥିବା ବେଳେ ସାମଗ୍ର ବିଶ୍ବ ନୁୟି ବେଶ ସୁନାମ ଅର୍ଜନ କରିଛନ୍ତି। ସେ ହିଁ ବିଶ୍ବବ୍ୟାଙ୍କକୁ ଠିକ୍ ଭାବେ ଆଗକୁ ବଢ଼ାଇପାରିବେ ବୋଲି କୁହାଯାଉଛି। ଖୁବ୍‌ଶୀଘ୍ର ଏହି ପଦ ପାଇଁ ସାକ୍ଷାତକାର ପ୍ରକ୍ରିୟା ଆରମ୍ଭ ହେବ। ଆମ‌େରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍ ବିଜୟୀ ହେବା ପରେ ନୁୟି କେତେକ ମନ୍ତବ୍ୟ ଦେଇଥିଲେ ଯାହା ତାଙ୍କ ବିପକ୍ଷରେ ଥିଲା। ଅବଶ୍ୟ କୌଣସି ମନ୍ତବ୍ୟ ସିଧାସଳଖ ନଥିଲା। ତାହା ନୁୟିଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରିବେ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ବିଶ୍ବବ୍ୟାଙ୍କ ସଭାପତି ଭାବେ କାମ କରୁଥିବା ଜିମ୍ ୟଙ୍ଗ୍‌ କିମ୍‌ଙ୍କୁ ଓବାମା ସରକାରଙ୍କ ଅମଳରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ସେ ଟ୍ରମ୍ପ୍‌ଙ୍କ ବିରୋଧରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିଥିବା ହିଲାରି କ୍ଲିଣ୍ଟନଙ୍କ ବହୁତ ନିକଟତମ ବ୍ୟକ୍ତି। ଏକ ଭିତ୍ତିଭୂମି ନିବେଶ କଂପାନିରେ ଯୋଗ ଦେବା ପାଇଁ କାର୍ଯ୍ୟକାଳ ଶେଷ ହେବାର ତିନି ବର୍ଷ ପୂର୍ବରୁ କିମ୍ ଅବ୍ୟାହତି ନେବେ ବୋଲି ଘୋଷଣା କରିଛନ୍ତି। କିମ୍‌ ଯିବା ପରେ ତାଙ୍କ ଉତ୍ତରାଧିକାରୀ ଭାବେ ନିଜର ଜଣେ ବିଶ୍ବସ୍ତ ବ୍ୟକ୍ତିଙ୍କୁ ଟ୍ରମ୍ପ୍ ନିଯୁକ୍ତି ଦେବାକୁ ଚାହୁଁଛନ୍ତି।

ସମ୍ବନ୍ଧିତ ଖବର