ଆଧାର ଇ-କେୱାଇସିରେ ତତ୍କାଳ ପାନ୍ ମିଳିବ

ନୂଆଦିଲ୍ଲୀ: ଆଧାର ଇ-କେୱାଇସି ଜରିଆରେ ତତ୍କାଳ ପାନ୍ ନମ୍ବର ଜାରି କରିବା ବ୍ୟବସ୍ଥାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆରମ୍ଭ କରିଛନ୍ତି। ଏହି ସୁବିଧା ବୈଧ ଆଧାର ନମ୍ବର ଏବଂ ସେଥିରେ ପଞ୍ଜୀକୃତ ମୋବାଇଲ ନମ୍ବର ଧାରକଙ୍କୁ ମିଳିପାରିବ। ଏହି ନମ୍ବର ପ୍ରଦାନ ପ୍ରକ୍ରିୟାରେ ଇ-ପାନ୍ ନମ୍ବର ଆବେଦନକାରୀଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ଚଳିତ ବର୍ଷ ବଜେଟ୍‌ରେ ଏବିଷୟରେ ଘୋଷଣା କରାଯାଇଥିଲା। ଏହି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଗତ ଫେବ୍ରୁଆରିରୁ ଆରମ୍ଭ କରାଯାଇଛି। ଆୟକର ବିଭାଗ ଦ୍ବାରା ଇ-ଫାଇଲିଂ ପାଇଁ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା।

ସେବେଠାରୁ ଚଳିତ ମାସ ୨୫ ମଧ୍ୟରେ ମାତ୍ର ୧୦ ମିନିଟ୍‌ ଭିତରେ ୬,୭୭,୬୮୦ ପାନ୍ ନମ୍ବର ଜାରି କରାଯାଇଛି। ତତ୍କାଳ ପାନ୍ ପାଇବାକୁ ଇଚ୍ଛୁକ ବ୍ୟକ୍ତି ଆୟକର ବିଭାଗର ଇ-ଫାଇଲିଂ ୱେବସାଇଟକୁ ଯାଇ ତାଙ୍କର ବୈଧ ଆଧାର ନମ୍ବର ଓ ପରେ ପରେ ତାଙ୍କର ଆଧାର ପଞ୍ଜୀକୃତ ମୋବାଇଲରେ ଆସିଥିବା ଓଟିପିକୁ ଦେବେ । ଏହି ପଦ୍ଧତି ସଫଳତାର ସହିତ କରିସାରିବା ପରେ ଏକ ୧୫ ଅଙ୍କ ବିଶିଷ୍ଟ ସ୍ଵୀକାରୋକ୍ତି ନମ୍ବର ସୃଷ୍ଟି ହେବ । ଯଦି ଆବଶ୍ୟକ ହୁଏ, ଆବେଦନକାରୀ ଯେକୌଣସି ସମୟରେ ତାଙ୍କ ବୈଧ ଆଧାର କାର୍ଡ ନମ୍ବର ଦେଇ ଏହାର ସ୍ଥିତି ସମ୍ପର୍କରେ ଜାଣିପାରିବେ ଓ ନମ୍ବର ପ୍ରଦାନ କରାଗଲା ପରେ ଏହି ଇ-ପାନ୍ ନମ୍ବରକୁ ଡାଉନ୍‌ଲୋଡ କରିପାରିବେ । ଆଧାର ସହିତ ଯଦି ଆବେଦନକାରୀଙ୍କ ଇ-ମେଲ ଆଇଡି ପଞ୍ଜୀକୃତ ହୋଇଥାଏ ତେବେ ସେଥିରୁ ମଧ୍ୟ ଇ-ପାନ୍ ଡାଉନ୍‌ଲୋଡ୍‌ କରିପାରିବେ।

ସମ୍ବନ୍ଧିତ ଖବର