ଗାଡ଼ି, ଗୃହ ଋଣ ମହଙ୍ଗା ହେବ

ସୁଧ ହାର ବଢ଼ାଇଲା ଷ୍ଟେଟ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ଋଣ ସୁଧ ହାରରେ ବୃଦ୍ଧି ଘୋଷଣା କରିଛି। ୩ ବର୍ଷ ପର୍ଯ୍ୟନ୍ତ ସମସ୍ତ ଅବଧିର ଋଣର ସୁଧ ହାର ୦.୨ ପ୍ରତିଶତ ବୃଦ୍ଧି ଘୋଷଣା କରିଛି। ଷ୍ଟେଟ ବ୍ୟାଙ୍କର ଏହି ନିଷ୍ପତ୍ତି ଯୋଗୁ ଲୋକଙ୍କୁ ଗୃହ, ଗାଡ଼ି ଏବଂ ଅନ୍ୟାନ୍ୟ ଋଣ ବାବଦରେ ଅଧିକ ସୁଧ ଦେବାକୁ ପଡ଼ିବ। ସେମାନଙ୍କୁ ମାସିକ ଋଣ କିସ୍ତି ବା ଇଏମ୍‌ଆଇ ବାବଦରେ ଅଧିକ ଅର୍ଥ ପରିଶୋଧ କରିବାକୁ ପଡ଼ିବ। ଶନିବାରଠାରୁ ଏହି ନୂଆ ସୁଧ ହାର ଲାଗୁ କରାଯାଇଛି। ଷ୍ଟେଟ ବ୍ୟାଙ୍କ ପକ୍ଷରୁ ବେଞ୍ଚମାର୍କ ଋଣ ସୁଧ ହାର ବା ଏମ୍‌ସିଏଲ୍‌ଆର୍‌ରେ ୨୦ ବେସିସ୍‌ ପଏଣ୍ଟ ବା ୦.୨ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ଷ୍ଟେଟ ବ୍ୟାଙ୍କର ଏକ ମାସ ଅବଧିର ଏମ୍‌ସିଏଲ୍‌ଆର୍‌ ୭.୯ ପ୍ରତିଶତରୁ ୮.୧ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିଭଳି ୧ ବର୍ଷ ଅବଧିର ଋଣ ସୁଧ ହାର ୮.୨୫ ପ୍ରତିଶତରୁ ୮.୪୫ ପ୍ରତିଶତକୁ ବୃଦ୍ଧି ଘଟିଛି। ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ଅଧିକାଂଶ ଖୁଚୁରା ଋଣର ସୁଧ ହାର ବର୍ଷିକିଆ ଏମ୍‌ସିଏଲ୍‌ଆର୍‌ ମାନଦଣ୍ଡ ଅନୁଯାୟୀ ନିର୍ଧାରଣ କରାଯାଇଥାଏ। ସେହିଭଳି ୩ ବର୍ଷ ଅବଧି ବିଶିଷ୍ଟ ଋଣର ଏମ୍‌ସିଏଲ୍‌ଆର୍‌ ୮.୪୫ ପ୍ରତିଶତରୁ ୮.୬୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ରେପୋ ହାର ଗତମାସରେ ୦.୨୫ ପ୍ରତିଶତ ବୃଦ୍ଧି କରି ୬.୫ ପ୍ରତିଶତରେ ରଖିଛି। ରେପୋ ହାର ବୃଦ୍ଧିର ପ୍ରାୟ ମାସକ ପରେ ଷ୍ଟେଟ ବ୍ୟାଙ୍କ ଏହାର ଋଣ ସୁଧ ହାରରେ ବୃଦ୍ଧି ଆଣିଛି। ଗତମାସରେ ରିଜର୍ଭ ବ୍ୟାଙ୍କ ରେପୋ ହାର ବୃଦ୍ଧି କରିବା ପରେ ଏଚ୍‌ଡିଏଫ୍‌ସି ମଧ୍ୟ ଋଣ ସୁଧ ହାରରେ ୦.୨ ପ୍ରତିଶତ ବୃଦ୍ଧି ପୂର୍ବରୁ ଘୋଷଣା କରିସାରିଛି। ଏବେ ଷ୍ଟେଟ ବ୍ୟାଙ୍କ ଋଣ ସୁଧ ହାର ବୃଦ୍ଧି କରିବା ଯୋଗୁ ଆଗାମୀ ଦିନରେ ଅନ୍ୟ ବ୍ୟାଙ୍କ ଗୁଡ଼ିକ ମଧ୍ୟ ସେମାନଙ୍କ ଋଣ ସୁଧ ହାର ବୃଦ୍ଧି କରିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର