ଭୁବନେଶ୍ୱରରେ ହେବ ଆନ୍ତର୍ଜାତିକ ଆଲୁମିନିୟମ୍‌ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା ବର୍ଷ ଜାନୁଆରି ୩୧ରୁ ଫେବ୍ରୁଆରି ୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆନ୍ତର୍ଜାତିକ ଆଲୁମିନିୟମ ସମ୍ମିଳନୀ (ଇନ୍‌କାଲ୍‌-୨୦୧୯) ଆୟୋଜନ କରାଯିବ। ନିକଟରେ ଏହି ସମ୍ମିଳନୀର େଓ୍ଵବସାଇଟ୍‌କୁ କେନ୍ଦ୍ର ଖଣି ସଚିବ ଅନିଲ ମୁକିମ୍‌ ଉନ୍ମୋଚନ କରିଛନ୍ତି। ଏଥିରେ ନାଲ୍‌କୋର ସିଏମ୍‌ଡି ଓ ଭାରତୀୟ ଆଲୁମିନିୟମ୍‌ ସଂଘ (ଏଏଆଇ)ର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଉପସ୍ଥିତ ଥିଲେ।
ଏଏଆଇ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଆନ୍ତର୍ଜାତିକ ସ୍ତରର ଆଲୁମିନିୟମ୍‌ ଜଗତ ଏକତ୍ରୀତ ହୋଇ ଏହି କ୍ଷେତ୍ରରେ ରହିଥିବା ସମସ୍ୟା ଓ ସୁଯୋଗ ବିଷୟରେ ଆଲୋଚନା କରିବେ। ଆଲମୁନିୟମ୍‌ କ୍ଷେତ୍ରର ସଦ୍ୟତମ ବିକାଶ ଉପରେ ସେମାନେ ମାନସ ମନ୍ଥନ କରିବେ। ଏହି ସମ୍ମିଳନୀ ଅବସରରେ ଏଏଆଇ ଓ ରିଡ୍‌ ଏକ୍‌ଜିଭିସନ୍‌, ଜର୍ମାନିର ମିଳିତ ସହଯୋଗରେ ‘ଆଲୁମିନିୟମ୍‌ ଇଣ୍ଡିଆ’ ବିଷୟବସ୍ତୁ ଉପରେ ଏକ ବିଶ୍ୱ ସ୍ତରୀୟ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ। ନାଲ୍‌କୋ, ବେଦାନ୍ତ ଓ ହିଣ୍ଡାଲ୍‌କୋ ଭଳି ଦେଶର ବୃହତ ଆଲୁମିନିୟମ ଶିଳ୍ପ ଏହି ସମ୍ମିଳନୀରେ ଭାଗ ନେଇ ଏହାକୁ ସଫଳ କରିବା ପାଇଁ ପ୍ରୟାସ କରିବେ। ଏହି ସମ୍ମିଳନୀ ବିଷୟରେ ଶ୍ରୀ ଚାନ୍ଦ କହିଛନ୍ତି ଯେ, ଆମେ ଏହି ଅବସରରେ ଓଡ଼ିଶାକୁ ଦେଶର ଆଲୁମିନିୟମ ଶିଳ୍ପର ସ୍ଥାନ ଓ ଆଲୁମିନିୟମ ରାଜଧାନୀ ଭାବେ ଉପସ୍ଥାପନ କରିବାକୁ ପ୍ରୟାସ କରିବୁ। ‘ମେକିଙ୍ଗ ଆଲୁମିନିୟମ: ଡ୍ରାଇଭିଂ ଗ୍ରୋଥ୍‌ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ୍‌’ ବିଷୟବସ୍ତୁ ଉପରେ ମଧ୍ୟ ଏକ ବିଶ୍ୱ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଏହି ସମ୍ମିଳନୀରେ କାନାଡାର ଆଲ୍‌କାନ୍‌, ଆମେରିକାର ଆଲ୍‌କୋଆ, ଚୀନ୍‌ର ଚାଲିଇକୋ ଓ ଚିନାଲ୍‌କୋ, ଏମିରେଟସ୍‌ର ଇଏମ୍‌ଏଏଲ୍‌, ଦୁବାଇର ଦୁବାଲ୍‌, ଲଣ୍ଡନର ରିଓ ଟିଣ୍ଟୋ, ରୁଷିଆର ରୁଷାଲ୍‌, ନରେଓ୍ଵର ନରସ୍କ ହାଇଡ୍ରୋ ଭଳି ବଡ଼ କଂପାନି ଓ ଡେନମାର୍କର ସ୍ମିଥ୍‌, ଜର୍ମାନିର ଏସ୍‌ଏମ୍‌ଏସ୍‌, ଇଟାଲିର ଡାନିଏଲି, ଆଲମେକ୍ସ ଓ ପ୍ରେପେର୍ଜି ଓ ଫ୍ରାନ୍ସର କାର୍ବନ୍‌ ସାଭୋଇ ଭଳି ଉପକରଣ ଯୋଗାଣକାରୀ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର