ମିଳିଲାନି ପାଣ୍ଠି, ଭବିଷ୍ୟତ ଅନିଶ୍ଚିତ, ଆଜି ପୁଣି ଆଲୋଚନା

ଆନ୍ତର୍ଜାତିକ ଉଡ଼ାଣ ରଦ୍ଦ

ମୁମ୍ବାଇ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍ ଏୟାରୱେଜ୍‌କୁ ଉଦ୍ଧାର କରିବା ବିଷୟରେ ଆଲୋଚନା କରିବା ପାଇଁ ଆଜି କଂପାନି କତୃର୍ପକ୍ଷ ଓ ବ୍ୟାଙ୍କଗୁଡ଼ିକର ପ୍ରତିନିଧିଙ୍କ ମଧ୍ୟରେ ବୈଠକ ହୋଇଥିଲା। ଦୀର୍ଘ ସମୟ ଧରି ବିଚାରବିମର୍ଶ କରିବା ପରେ ମଧ୍ୟ ଜେଟ୍‌କୁ ପାଣ୍ଠି ଦେବା ନେଇ ବ୍ୟାଙ୍କଗୁଡ଼ିକ କୌଣସି ନିଷ୍ପତ୍ତି ନେଇପାରିନାହାନ୍ତି। ଆସନ୍ତାକାଲି ପୁଣି ଥରେ ବୈଠକରେ ଏନେଇ ଆଲୋଚନା କରାଯିବ।‌ ଜେଟ୍‌ର ମାଲିକାନା ଏବେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବାଧୀନ ୨୬ଟି ବ୍ୟାଙ୍କ ପାଖରେ ରହିଛି।। କଂପାନିକୁ ୧୫୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯିବ ବୋଲି ମାର୍ଚ ୨୫ରେ ଷ୍ଟେଟ୍‌ ବ୍ୟାଙ୍କ କହିଥିଲା। ବହୁଦିନ ବିତିଯାଇଥିଲେ ମଧ୍ୟ ଜେଟ୍‌କୁ ସେହି ପାଣ୍ଠି ଦିଆଯାଉନାହିଁ। ସେ ସଂକ୍ରାନ୍ତରେ ଆଲୋଚନା କରିବାକୁ ଆଜିର ବୈଠକ ଡକାଯାଇଥିଲା। ବ୍ୟାଙ୍କ ଠାରୁ ଟଙ୍କା ନମିଳିବାରୁ ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ କଂପାନି ଏହାର ସମସ୍ତ ଆନ୍ତର୍ଜାତିକ ବିମାନ ଉଡ଼ାଣକୁ ବାତିଲ କରିଦେଇଛି। କଂପାନିର ସିଇଓ ବିନୟ ଦୁବେ ଜଣାଇଛନ୍ତି ଯେ, ଜେଟ୍‌ର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରିବାକୁ ଆସନ୍ତାକାଲି ପୁଣି ବୈଠକରେ ଆଲୋଚନା ହେବ। ବ୍ୟାଙ୍କଗୁଡ଼ିକ ଠାରୁ ପାଣ୍ଠି ହାସଲ କରିବାକୁ ପ୍ରୟାସ କରାଯାଉଥିଲେ ମଧ୍ୟ ସେହି ଉଦ୍ୟମ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ। ପାଣ୍ଠିର ଘୋର ଅଭାବ ଯୋଗୁ ଜେଟ୍ ଏହାର ୧୬ ହଜାରରୁ ଅଧିକ କର୍ମଚାରୀଙ୍କୁ ଦରମା ଦେଇପାରୁନାହିଁ। ପାଇଲଟ୍‌ମାନେ ବିମାନ ଉଡ଼ାଇବେ ନାହିଁ ବୋଲି ଚେତାବନୀ ଦେଉଛନ୍ତି। କଂପାନି ବିରୋଧରେ ଧର୍ମଘଟ କରିବାକୁ ୧୧୦୦ ପାଇଲଟ୍‌ ଧମକ ଦେଇଛନ୍ତି। ଯେହେତୁ ବ୍ୟାଙ୍କଗୁଡ଼ିକ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଜାରି ରହିଛି, ସେଥିପାଇଁ ସେମାନେ ଧର୍ମଘଟକୁ କିଛି ଦିନ ସ୍ଥଗିତ ରଖିଛନ୍ତି। ଦିନକୁ ଦିନ ଜେଟ୍‌ର ବିମାନ ସଂଖ୍ୟା କମିବାରେ ଲାଗିଛି। ଏକଦା ୧୨୩ଟି ବିମାନ ରଖିଥିବା ଜେଟ୍‌ ପାଖରେ ଏବେ ଆଉ ମାତ୍ର ୭ଟି ବିମାନ ରହିଛି।

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ କର୍ମଚାରୀ
ମୁମ୍ବାଇ: ନିଜ ଚାକିରି ବଞ୍ଚାଇବା ପାଇଁ ଜେଟ୍‌ ଏୟାରୱେଜ୍‌ର ପାଇଲଟ୍‌ ଏବଂ କର୍ମଚାରୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କକୁ ଅନୁରୋଧ କରାଯାଇଛି। ଜେଟ୍‌ରେ କାମ କରୁଥିବା ୨୦ ହଜାର କର୍ମଚାରୀଙ୍କ ଚାକିରି ବଞ୍ଚାଇବାକୁ ସେମାନେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଗୁହାରି କରିଛନ୍ତି। କଂପାନିର କଠିନ ସମୟରେ କର୍ମଚାରୀମାନେ ଏକଜୁଟ ରହିଥିବା ପ୍ରମାଣ କରିବା ପାଇଁ ଜେଟ୍‌ର ପାଇଲଟ୍‌, ଇଞ୍ଜିନିୟର ଓ କ୍ୟାବିନ୍ କ୍ରୁ ସଦସ୍ୟମା‌ନେ କଂପାନିର ମୁଖ୍ୟ କାର୍ଯ୍ୟାଳୟରେ ଏକତ୍ରୀତ ହୋଇଥିଲେ। କଂପାନିର ପାଇଲଟ୍‌, ଇଞ୍ଜିନିୟର ଓ ବରିଷ୍ଠ ଅଧିକାରୀଙ୍କୁ ଗତବର୍ଷ ଡିସେମ୍ବର ପରଠାରୁ ଆଉ ଦରମା ମିଳିନାହିଁ।

ସମ୍ବନ୍ଧିତ ଖବର