ଆଗ୍ରହ ବଢ଼ାଉଛି ୟୁନିସେକ୍ସ ସେଲୁନ୍‌

ରାଜଧାନୀରେ ଦିନକୁ ଦିନ ୟୁନିସେକ୍ସ ସେଲୁନ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଜାତୀୟ ସ୍ତରର ଆଇଟି କମ୍ପାନିର ଶାଖା, ଘରୋଇ ଇଞ୍ଜିନିୟରିଂ ଓ ମେଡିକାଲ କଲେଜ ଏଠାରେ ଗଢ଼ି ଉଠିଛି। ଏସବୁ କାର୍ଯ୍ୟାଳୟରେ ଚାକିରି କରୁଥିବା ଏବଂ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଯୁବକଯୁବତୀଙ୍କ ମଧ୍ୟରୁ ଅଧିକାଂଶ ଷ୍ଟାଇଲ୍‌ ଓ ଫେସନ୍‌ ପ୍ରିୟ। ଏତଦ୍‌ବ୍ୟତୀତ ରାଜଧାନୀରେ ବାସ କରୁଥିବା ରାଜନେତା, ପ୍ରଶାସନିକ ଅଧିକାରୀ ଏବଂ ବ୍ୟାବସାୟିକ ପରିବାରର ପିଲାଙ୍କ ମଧ୍ୟରେ ଫେସନ୍‌ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ଏହାକୁ ଦେଖି ରାଜଧାନୀର ବିଭିନ୍ନ ସ୍ଥାନରେ ଏବେ ୟୁନିସେକ୍ସ ସେଲୁନ ଗଢ଼ି ଉଠିଛି। ଗତ କିଛି ବର୍ଷ ମଧ୍ୟରେ ଏହି ବଜାର ଆକାର ବ୍ୟାପକ ହୋଇଯାଇଛି। ଏହାକୁ ନେଇ ଆମର ଏ ସ୍ୱତନ୍ତ୍ର ପ୍ରସ୍ତୁତି:-
ୟୁନିସେକ୍ସ ସେଲୁନ୍‌ କ’ଣ
ୟୁନିସେକ୍ସ ସେଲୁନ୍‌ କହିଲେ ସେହି ସେଲୁନ୍‌କୁ ବୁଝାଇଥାଏ ଯେଉଁଠାରେ ଉଭୟ ପୁରୁଷ, ମହିଳାଙ୍କ କେଶ ବିନ୍ୟାସ ଓ ସୌନ୍ଦର୍ଯ୍ୟଚର୍ଯ୍ୟା କରାଯାଇଥାଏ। ବିଭିନ୍ନ ବୟସର ପୁରୁଷ, ମହିଳାଙ୍କ ସମେତ ଛୋଟ ପିଲାମାନଙ୍କର ମଧ୍ୟ ଚୁଟି କଟାଯାଇଥାଏ। ପୂର୍ବରୁ ପୁଅମାନେ ସେଲୁନ୍‌ରେ ଚୁଟି କାଟୁଥିବାବେଳେ ଝିଅମାନେ ବିୟୁଟି ପାର୍ଲର ଯାଇ ଚୁଟି କାଟୁଥିଲେ କିମ୍ବା ରଙ୍ଗ କରୁଥିଲେ। କିନ୍ତୁ ଏବେ ୟୁନିସେକ୍ସ ସେଲୁନ ଖୋଲିବା ପରେ ଗୋଟିଏ ସେଲୁନ୍‌ରେ ଉଭୟ ପୁଅ ଓ ଝିଅ ଚୁଟି କାଟି ପାରୁଛନ୍ତି। ତେଣୁ ଏହାକୁ ଫ୍ୟାମିଲି ବା ପାରିବାରିକ ସେଲୁନ୍‌ ମଧ୍ୟ କୁହାଯାଉଛି।
୪୦୦ ଟପିଲାଣି
ଭୁବନେଶ୍ୱର ସମେତ ରାଜ୍ୟର ବଡ଼ ବଡ଼ ସହରରେ ଏବେ ୟୁନିସେକ୍ସ ସେଲୁନ୍‌ ଖୋଲିଲାଣି। କେବଳ ଭୁବନେଶ୍ୱରରେ ଏହି ସଂଖ୍ୟା ପ୍ରାୟ ୪୦୦ ପାଖାପାଖି ହେବ ବୋଲି ଜଣେ ସେଲୁନ୍‌ ବ୍ୟବସାୟୀ କହିଛନ୍ତି। ଜାତୀୟ ସ୍ତରର ୟୁନିସେକ୍ସ ସେଲୁନ୍‌ ସହିତ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ଦ୍ୱାରା ମଧ୍ୟ ଏକାଧିକ ସେଲୁନ୍‌ ଖୋଲାଯାଇଛି। ଏଗୁଡ଼ିକ ମଧ୍ୟରେ ନ୍ୟାଚୁରାଲ୍ସ, ଗ୍ରିନ୍‌ ଟ୍ରେଣ୍ଡ୍‌ସ, ଜାଭେଦ ହବିବ୍‌, ଗ୍ଲିଜ୍‌, ଷ୍ଟୁଡିଓ-୧୧, ଫିନିଜ୍‌, ଇଣ୍ଡଲ୍‌ଜ, ଗ୍ଲାମର ଜୋନ୍‌, କୋରିଆନ୍‌ ସେଲୁନ୍‌, ଷ୍ଟୁଡିଓ ଷ୍ଟାଣ୍ଡ୍‌ ଭଳି ସେଲୁନ୍‌ ରହିଛି। ତେବେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଭଳି ଏଠାରେ ଗଳି କନ୍ଦିରେ ୟୁନିସେକ୍ସ ସେଲୁନ୍‌ ଏ ପର୍ଯ୍ୟନ୍ତ ଖୋଲିନାହିଁ। କିନ୍ତୁ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଏବଂ ଧନୀ ଲୋକ ବାସ କରୁଥିବା କଲୋନି ଗୁଡ଼ିକରେ ଏହି ସେଲୁନ୍‌ ଅଧିକ ସଂଖ୍ୟାରେ ଖୋଲିଛି। ବିଶେଷକରି ଚନ୍ଦ୍ରଶେଖରପୁର, ପଟିଆ, ସହିଦ ନଗର, ଶାସ୍ତ୍ରୀ ନଗର, କଟକ ରୋଡ୍‌ ଭଳି ଅଞ୍ଚଳରେ ଅଧିକ ସଂଖ୍ୟାରେ ୟୁନିସେକ୍ସ ସେଲୁନ୍‌ ରହିଛି।
ପୁଅଙ୍କ ପସନ୍ଦ ସ୍ପାଇକି କଟ୍‌, ଝିଅଙ୍କ ପସନ୍ଦ ଷ୍ଟ୍ରେଟ୍‌ନିଂ
ପୁଅମାନେ ସାଧାରଣତଃ ସ୍ପାଇକି କଟ୍‌ କରିବାକୁ ଅଧିକ ସଂଖ୍ୟାରେ ପସନ୍ଦ କରୁଛନ୍ତି। ଏହି କଟ୍‌ରେ ମୁଣ୍ଡର ଚାରିପଟୁ ଆର୍ମି କଟ୍‌ ଭଳି ଚୁଟିକୁ କାଟି ଛୋଟ କରି ଦିଆଯାଉଛି। କିନ୍ତୁ ମୁଣ୍ଡର ଉପର ଭାଗରେ ବଡ଼ ବଡ଼ ଚୁଟି ରହୁଛି। ଏତଦ୍‌ବ୍ୟତୀତ ମସ୍‌ରୁମ୍‌ କଟିଂକୁ ମଧ୍ୟ ଅନେକ ପୁଅ ପସନ୍ଦ କରୁଛନ୍ତି। ଏହି କଟିଂରେ ମୁଣ୍ଡରେ ଅଧିକ କେଶ ରହିଥାଏ। ଏତଦ୍‌ବ୍ୟତୀତ ସମର୍‌ କଟ୍‌, େଓ୍ଵଜ୍‌ ବ୍ଲଣ୍ଟ୍‌ କଟ୍‌ ଏବଂ ଗ୍ରାଜୁଏଟେଡ୍‌ ବବ୍‌ କଟ୍‌ ଆଦିକୁ ମଧ୍ୟ ଉଭୟ ପୁଅ ଓ ଛୋଟ ପିଲାମାନେ ପସନ୍ଦ କରୁଛନ୍ତି ବୋଲି ଜଣେ ହେୟାର ଷ୍ଟାଇଲିଷ୍ଟ ନିଜ ନାମ ପ୍ରକାଶ ନକରି କୁହନ୍ତି। ଅନ୍ୟପକ୍ଷରେ ଝିଅମାନେ ଏବେ ସାଧାରଣତଃ ଚୁଟି ଷ୍ଟ୍ରେଟେନ୍‌ କରିବାକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ଗ୍ଲିଜ୍‌ର ହେୟାର ଷ୍ଟାଇଲିଷ୍ଟ ଶାହରୁଖ ଅଖତର କୁହନ୍ତି।
୧୦-୨୦% ହାରରେ ବଢ଼ୁଛି ବଜାର
ରାଜଧାନୀ ଓଡ଼ିଶାରେ ଏବେ ୟୁନିସେକ୍ସ ସେଲୁନ୍‌ର ବଜାର ଆକାର ୧୦ ପ୍ରତିଶତରୁ ୨୦ ପ୍ରତିଶତ ହାରରେ ବଢ଼ୁଛି। ଏତଦ୍‌ବ୍ୟତୀତ ସାଧାରଣ ସେଲୁନ୍‌ ଏବଂ ୟୁନିସେକ୍ସ ସେଲୁନ୍‌ ମଧ୍ୟରେ ଅନୁପାତ ୭୦:୩୦ ରହିଛି। ପ୍ରତିଦିନ ଯଦି ୧୦ ହଜାର ଲୋକ ଭୁବନେଶ୍ୱରରେ ସେଲୁନ୍‌କୁ ଚୁଟି କାଟିବାକୁ ଆସୁଥାନ୍ତି ତା’ହେଲେ ଏମାନଙ୍କ ମଧ୍ୟରୁ ଏବେ ୩୦ ପ୍ରତିଶତ ଲୋକ ୟୁନିସେକ୍ସ ସେଲୁନ୍‌ ଗୁଡ଼ିକୁ ଆସୁଛନ୍ତି ବୋଲି ନ୍ୟାଚୁରାଲ୍‌ସର ଫ୍ରାଞ୍ଚାଇଜି ଓନର ଲୋପାମୁଦ୍ରା ପ୍ରଧାନ କୁହନ୍ତି।
୧୫୦ ଟଙ୍କାରୁ ଚୁଟି କଟା ଆରମ୍ଭ
ପୁରୁଷ ମାନଙ୍କ ଚୁଟି କଟା ଏଭଳି ସେଲୁନ୍‌ରେ ୧୫୦ ଟଙ୍କାରୁ ଆରମ୍ଭ ହେଉଛି। ସେହିଭଳି ମହିଳାମାନଙ୍କ ଚୁଟି କଟା ପାଇଁ ୩୫୦ ଟଙ୍କା ପଡ଼ୁଥିବାବେଳେ ଛୋଟ ପିଲାଙ୍କ ଚୁଟି କଟା ୧୦୦ ଟଙ୍କାରେ ହୋଇଯାଉଛି। ତେବେ ବିଭିନ୍ନ ସେଲୁନ୍‌ରେ ଏହି ମୂଲ୍ୟ ଭିନ୍ନ ଭିନ୍ନ ରହୁଛି। ଏତଦ୍‌ବ୍ୟତୀତ ଝିଅ ଓ ମହିଳାମାନଙ୍କୁ ଚୁଟି ଷ୍ଟ୍ରେଟ୍‌ନିଂ ପାଇଁ ଜାତୀୟ ସ୍ତରର ବ୍ରାଣ୍ଡେଡ୍‌ ସୋ’ରୁମ୍‌ ଗୁଡ଼ିକ ଅତିକମ୍‌ରେ ୪୫୦୦ ଟଙ୍କା ନେଉଛନ୍ତି। ପୁରୁଷମାନଙ୍କୁ କେଶ କଲରିଂ ପାଇଁ ଏହି ସୋ’ରୁମ୍‌ରେ ଅତିକମ୍‌ରେ ୯୦୦ ଟଙ୍କା ଦେବାକୁ ପଡ଼ୁଛି। ତେଣୁ ଚୁଟି କାଟିବା କିମ୍ବା ଅନ୍ୟ କୌଣସି ସେବା ନେବା ପୂର୍ବରୁ ମୂଲ୍ୟ ବୁଝିନେଲେ ଗ୍ରାହକଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।
ଧନୀ ଓ ଷ୍ଟାଇଲ୍‌ ପ୍ରିୟ ବ୍ୟକ୍ତିଙ୍କ ଭିଡ଼ ଅଧିକ
ପ୍ରଶାସନିକ ଅଧିକାରୀ, ରାଜନେତା, ବ୍ୟବସାୟୀଙ୍କ ସମେତ ଧନି ବ୍ୟକ୍ତି ଓ ଷ୍ଟାଇଲ୍‌ପ୍ରିୟ ବ୍ୟକ୍ତିମାନେ ହିଁ ସାଧାରଣତଃ ଏହି ସେଲୁନ୍‌ଗୁଡ଼ିକୁ ଯାଉଥିବା ଦେଖାଯାଉଛି। ସେମାନେ ଚୁଟି କାଟିବା ସହିତ କଲର କରିବା, ଫେସିଆଲ୍‌ କରିବା, ପେଡିକିୟୋର, ମାନିକିୟୋର, ଓ୍ଵାକ୍ସିଂ, ବଡି ମସାଜ୍‌, ରିଫ୍ଲେକୋଲୋଜି (ପ୍ରେସର୍‌ ପଏଣ୍ଟ୍‌ ମସାଜ୍‌), ବ୍ଲିଚିଂ, ଡିଟ୍ୟାନିଂ, ଫେସିଆଲ୍‌, ଫେସ୍‌ କ୍ଲିନ୍‌ ଅପ୍‌, ଥ୍ରେଡିଂ, ହେୟାରକଟ୍‌ ସେଭିଂ, କେଶର ରୁପି ଓ ଅନ୍ୟାନ୍ୟ ଟ୍ରିଟ୍‌ମେଣ୍ଟ୍‌, ହେୟାର କଲରିଂ ଆଦି ସେବା ମିଳୁଛି। ଏତଦ୍‌ବ୍ୟତୀତ ବ୍ରାଇଡାଲ ମେକ୍‌ଅପ୍‌ ସେବା ମଧ୍ୟ ପ୍ରଦାନ କରାଯାଉଛି।
ଅଫର୍‌କୁ ଗ୍ରାହକଙ୍କ ଅପେକ୍ଷା
ଫ୍ୟାମିଲି ସେଲୁନ୍‌ ଗୁଡ଼ିକ ବିଭିନ୍ନ ସମୟରେ ଅଫର୍‌ ପ୍ରଦାନ କରୁଛନ୍ତି। ସବୁଦିନ ସେଲୁନ୍‌କୁ ଲୋକ ଆସୁଥିଲେ ମଧ୍ୟ ଅଫର୍‌ ସମୟକୁ ଲୋକମାନେ ଅପେକ୍ଷା କରି ରହୁଛନ୍ତି। ଫଳରେ ଅଫର୍‌ ସମୟରେ ଗ୍ରାହକଙ୍କ ଭିଡ଼ ଅଧିକ ହେଉଛି। ଏତଦ୍‌ବ୍ୟତୀତ ଖରାଦିନେ ଏବଂ ବିବାହ ସିଜନ୍‌ରେ ମଧ୍ୟ ଗ୍ରାହକଙ୍କ ଭିଡ଼ ରହୁଛି।

ସମ୍ବନ୍ଧିତ ଖବର