ଜିଏସଟି ନ ଲାଗିଲେ ତେଲ ଦର ବୃଦ୍ଧିକୁ ଅଟକାଇବା କଷ୍ଟକର : ଇଣ୍ଡିଆନ ଅଏଲ ଅଧ୍ୟକ୍ଷ

ନୂଆଦିଲ୍ଲୀ : ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଥିବାବେଳେ ଜନଅସନ୍ତୋଷ ମଧ୍ୟ ବଢିଚାଲିଛି । ଅନ୍ତର୍ଜାତୀୟ ବଜାରରେ ତେଲ ବୃଦ୍ଧି ଅପେକ୍ଷା ସରକାର ଆଦାୟ କରୁଥିବା ଟିକସ ଲୋକଙ୍କୁ ଅଧିକ ବାଧୁଛି । ଏଥିପାଇଁ ପେଟ୍ରୋଲିୟମ ପଦାର୍ଥକୁ ଜିଏସଟି ଅଧିନକୁ ଆଣିବାକୁ ଦାବି ପ୍ରବଳ ହେଉଛି । ଏହି ଦାବିକୁ ସମର୍ଥନ କରିଛନ୍ତି ଇଣ୍ଡିଆନ ଅଏଲ ଅଧ୍ୟକ୍ଷ ସଂଜୀବ ସିଂ । ସେ କହିଛନ୍ତି ଯେ ପେଟ୍ରୋଲିୟମ ସାମଗ୍ରୀ ଜିଏସଟି ଅଧିନକୁ ନ ଆସିଲେ ତେଲ ଦରକୁ ନିୟନ୍ତ୍ରଣ କରିବା କଷ୍ଟକର ।

ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ତୈଳଦର ଯେଉଁ ହାରରେ ବଢିଚାଲିଛି, ତାହା ପୂର୍ବରୁ ଆକଳନ କରାଯାଇନଥିଲା । ଆଜିର ସ୍ଥିତିକୁ ଦେଖିଲେ ଭବିଷ୍ୟତର ଦର ଅନୁମାନ କରିବା କଷ୍ଟକର ହୋଇପଡୁଛି । ଏଣୁ ଆଗକୁ ପେଟ୍ରୋଲ ଓ ଡିଜେଲ ଦର କେତେ ବଢିବ ତାହା ଏବେଠାରୁ କହିହେବ ନାହିଁ । ଏଣୁ ଜିଏସଟି ଲାଗୁ ଦ୍ୱାରା ଜନସାଧରଣଙ୍କ କଷ୍ଟକୁ କିଛିଟା ଲାଘବ କରିହେବ ବୋଲି ସେ କହିଛନ୍ତି । କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଲଗାତାର ୧୯ ଦିନ ଧରି ତେଲଦର ବଢିବା ଉପରେ ରୋକ ଲଗାଇବା ପାଇଁ କଣ ସରକାର କିଛି ନିର୍ଦ୍ଦେଷ ଦେଇଥିଲେ ? ଏହି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ତେଲ ଦର ନିର୍ଦ୍ଧାରଣ କରିବାକୁ ସରକାର ତେଲ କମ୍ପାନିମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି । ଏଣୁ ଦର ବୃଦ୍ଧିକୁ ଅଟକାଇବାକୁ କୌଣସି ନିର୍ଦ୍ଦେଶ ଉପରୁ ଆସିନଥିଲା ।

ସୂଚନାଯୋଗ୍ୟ ଯେ ଦେଶରେ ଏବେ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ପ୍ରତିଦିନ ବଢୁଛି । ଏହା ଫଳରେ ଦର ରେକର୍ଡ ସ୍ତରରେ ପହଞ୍ଚିଲାଣି ।

ସମ୍ବନ୍ଧିତ ଖବର