ଭୁବନେଶ୍ୱର: ଇଣ୍ଡିଆନ୍ ରେଲେଓ୍ଵ ଫାଇନାନ୍ସ କର୍ପୋରେସନ୍ (ଆଇଆର୍ଏଫ୍ସି) ନିକଟରେ ଜାରି କରିଥିବା କ୍ୟାପିଟାଲ୍ ଗେନ୍ ବଣ୍ଡ୍ ଜରିଆରେ ୧୦୦୦ କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ କଂପାନିର ପରିଚାଳନା ନିର୍ଦେଶକ ଏସ୍ କେ ପଟ୍ଟନାୟକ କହିଛନ୍ତି ଯେ ନଭେମ୍ବର ୧୦ରେ ଏହି ଇସ୍ୟୁ ଉନ୍ମୁକ୍ତ ହୋଇଥିଲା। ଏଥିରେ ତିନି ବର୍ଷର ଲକ୍ ଇନ୍ ଅବଧି ରହିଛି। ବର୍ଷକୁ ଏହି ବଣ୍ଡ୍ ୫.୨୫% ରିଟର୍ଣ୍ଣ ପ୍ରଦାନ କରିବ ଏବଂ ପ୍ରତିବର୍ଷ ଅକ୍ଟୋବର ୧୫ରେ ତାହା ପ୍ରଦାନ କରାଯିବ। ଏହି ବଣ୍ଡ୍ ହେଉଥିବା ଆୟ ଉପରେ ଟିକସ ଲାଭ ମଧ୍ୟ ମିଳିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଦେଶର ଚାରିଟି ସଂସ୍ଥାକୁ କ୍ୟାପିଟାଲ୍ ଗେନ୍ ବଣ୍ଡ୍ ଜାରି କରିବାକୁ ଅର୍ଥ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି। ସେଥି ମଧ୍ୟରୁ ଗୋଟିଏ ହେଉଛି ଆଇଆର୍ଏଫ୍ସି। ସେ କହିଛନ୍ତି ଯେ ଆଇଆର୍ଏଫ୍ସି ବଣ୍ଡ୍ ନିରାପଦ ଏବଂ ସୁରକ୍ଷିତ। ଆମ ପାଇଁ ଏହା ସୁଲଭ ପାଣ୍ଠି ହାସଲ କରିବା ବିକଳ୍ପ ବୋଲି ସେ କହିଛନ୍ତି। ଯେଉଁ ବ୍ୟକ୍ତିମାନେ ପୁଞ୍ଜି ଲାଭ ହାସଲ କରିଛନ୍ତି ସେମାନେ ଟିକସ ସଞ୍ଚୟ କରିବା ପାଇଁ ଏହି ବଣ୍ଡ୍ରେ ନିବେଶ କରିପାରିବେ ବୋଲି ସେ କହିଛନ୍ତି। ଗୋଟିଏ ଆର୍ଥିକ ବର୍ଷରେ ଜଣେ ବ୍ୟକ୍ତି ଏହି ବଣ୍ଡ୍ରେ ସର୍ବନିମ୍ନ ୨୦ ହଜାର ଟଙ୍କା ଏବଂ ଏହା ପରେ ୧୦ ହଜାର ଟଙ୍କାର ଗୁଣିତକ ହିସାବରେ ନିବେଶ କରିପାରିବେ।