ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଇସ୍ପାତ ସଚିବଙ୍କ ଚିଠି : ଇସ୍ପାତ କାରଖାନା, ଖଣି ବନ୍ଦ ହେବନି

ଭୁବନେଶ୍ବର : ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ଦେଶରେ ବିଭିନ୍ନ ସ୍ଥାନରେ ଥିବା ଇସ୍ପାତ କଂପାନିଗୁଡ଼ିକ ଅନେକ ସମସ୍ୟା ସାମ୍ନା କରୁଛନ୍ତି। ଶ୍ରମିକମାନେ କାରଖାନାକୁ ପ୍ରବେଶ କରିପାରୁନଥିବା ବେଳେ କଞ୍ଚାମାଲ ଯୋଗାଣ ପ୍ରଭାବିତ ହୋଇଛି ଓ ଫିନିସଡ୍ ଇସ୍ପାତକୁ ବାହାରକୁ ପଠାଇ ହେଉନାହିଁ। ଯେହେତୁ କୋଇଲା, ବିଦ୍ୟୁତ, ଇସ୍ପାତ ଓ ସାର ଯୋଗାଣକୁ ଅତ୍ୟାବଶ୍ୟକୀୟ ସେବା ବର୍ଗରେ ସାମିଲ କରାଯାଇଛି ତେଣୁ ଏହି ସବୁ ସାମଗ୍ରୀ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକ ଉପରେ କୌଣସି କଟକଣା ଲଗାଯିବ ନାହିଁ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

କେନ୍ଦ୍ର ଇସ୍ପାତ ସଚିବ ବିନୟ କୁମାର ଏନେଇ ମୁଖ୍ୟ ସଚିବଙ୍କ ନିକଟକୁ ଏକ ଚିଠି ପଠାଇଛନ୍ତି। ଚିଠି ଅନୁଯାୟୀ, ଅତ୍ୟାବଶ୍ୟକ ସାମଗ୍ରୀ ପରିଚାଳନା ନିୟମ ୧୯୮୧ ଅନୁଯାୟୀ ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ, ଯୋଜନା କିମ୍ବା ବିତରଣ ଉପରେ କଟକଣା ଲଗାଯିବା ଅନୁଚିତ। ସେହି ଦୃଷ୍ଟିରୁ ଲକ୍ ଡାଉନ୍ ସମୟରେ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ୍, ଇଣ୍ଡକ୍ସନ ଫର୍ଣ୍ଣାସ୍ ଓ ଇଲେକ୍ଟ୍ରିକ୍ ଆର୍କ ଫର୍ଣ୍ଣାସ୍ ଭିତ୍ତିକ ଇସ୍ପାତ କାରଖାନାଗୁଡ଼ିକରେ କର୍ମଚାରୀ ଓ ଶ୍ରମିକ ପ୍ରବେଶ କରିବା ଓ ବାହାରକୁ ଆସିବା, କାରଖାନାରୁ ବିଭିନ୍ନ ସାମଗ୍ରୀକୁ ରେଳ, ସଡ଼କ କିମ୍ବା ଜଳପଥ ଜରିଆରେ ବାହାରକୁ ପଠାଇବା, କଞ୍ଚାମାଲ ଯୋଗାଣ ଓ ମାଧ୍ୟମିକ ଓ ଚୂଡ଼ାନ୍ତ ଉତ୍ପାଦଗୁଡ଼ିକର ଯୋଗାଣ ଉପରେ କଟକଣା ଲାଗୁ ନକରିବାକୁ ରାଜ୍ୟଗୁଡ଼ିକୁ ଇସ୍ପାତ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଇସ୍ପାତ କାରଖାନା ଚାଲୁ ରଖିବା ଲାଗି ଖଣି ଚାଲୁ ରହିବା ନିହାତି ଜରୁରୀ। ତେଣୁ ଲୁହା ପଥର, କୋଇଲା, ଚୂନପଥର, ଡୋଲୋମାଇଟ, ମାଙ୍ଗାନିଜ ଓ କ୍ରୋମାଇଟ୍ ଖଣିଗୁଡ଼ିକରେ ମଧ୍ୟ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ଦରକାର। ଲକ୍ ଡାଉନ୍ ସମୟରେ ସ୍ପଞ୍ଜ ଆଇରନ୍, ଫେରୋ ଆଲଏଜ୍, ଲୁହା ପଥର ପେଲେଟ୍ ପ୍ଲାଣ୍ଟ୍‌ଗୁଡ଼ିକ ଚାଲୁ ରହିବ। ଏହି ସବୁ ସାମଗ୍ରୀ ନେଇ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଟ୍ରକ୍‌ଗୁଡ଼ିକ ଯେଭଳି ସ୍ବାଭାବିକ ଭାବେ ଚଳାଚଳ କରିପାରିବ ସେଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟ ସରକାରଗୁଡ଼ିକୁ ଇସ୍ପାତ ମନ୍ତ୍ରଣାଳୟ କହିଛି। ଇତି ମଧ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏକ ନିର୍ଦେଶ ଜାରି କରି କୋଇଲା, ବିଦ୍ୟୁତ, ଇସ୍ପାତ କିମ୍ବା ସାରର ଉତ୍ପାଦନ, ଯୋଗାଣ ଓ ବିତରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକ ଉପରୁ କଟକଣା ହଟାଇବା ଲାଗି କୁହାଯାଇଛି।

ସମ୍ବନ୍ଧିତ ଖବର