ଏଟିଏମରେ ଟଙ୍କା ନାହିଁ, ଏମାନଙ୍କ ପାଖରୁ ବାହାରିଲା ଗଦା ଗଦା ନୋଟ୍‌

ନୂଆଦିଲ୍ଲୀ : ସାରା ଦେଶରେ ନଗଦ ଅର୍ଥ ଅଭାବ ଯୋଗୁଁ ଏଟିଏମ ସେବା ପ୍ରଭାବିତ ହୋଇଥିବାବେଳେ କେତେକ ରାଜ୍ୟରେ ଏହି ସମସ୍ୟା ଅଧିକ ଉତ୍କଟ ହୋଇଛି । ଏସବୁ ରାଜ୍ୟଗୁଡ଼ିକ ହେଲା କର୍ଣ୍ଣାଟକ, ତେଲେଙ୍ଗାନା, ବିହାର ଓ ଆନ୍ଧ୍ରପ୍ରଦେଶ । ରିଜର୍ଭ ବ୍ୟାଙ୍କର ଏକ ଆକଳନ ଅନୁସାରେ ବ୍ୟାଙ୍କ ବ୍ୟବସ୍ଥାରେ ଯେତିକି ଜମା ଆସିବା କଥା ସେତିକି ଆସୁନାହିଁ । ଲୋକମାନେ ଅଧିକ ଟଙ୍କା ଉଠାଉଛନ୍ତି, କମ ଜମା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିପୁଳ ପରିମାଣରେ ନଗଦ ଟଙ୍କା ଜମା କରୁଥିବା ଲୋକମାନଙ୍କ ଉପରେ ଆୟକର ବିଭାଗ ଚଢଉ ଅବ୍ୟାହତ ରଖିଛି । ଆଜି ବାଙ୍ଗାଲୋରରେ ଆୟକର ବିଭାଗ ପକ୍ଷରୁ କେତେକ ପିଡବ୍ଲୁଡି ଠିକାଦାରଙ୍କ ଘରେ ଚଢଉ କରି ପ୍ରାୟ ୬ କୋଟି ୭୬ ଲକ୍ଷ ଟଙ୍କା ମୂଲ୍ୟର ୨ ହଜାର ଓ ୫ ଟଙ୍କିଆ ନୋଟ ଜବତ କରିଛି । ଏହି ଠିକାଦାରମାନେ ଗତ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ କେତେକ ସରକାରୀ ନିର୍ମାଣ ଠିକା ପାଇଥିଲେ । ଏହି ଟଙ୍କା କେଉଁଥିପାଇଁ ଜମା କରାଯାଇଛି ସେ ସଂପର୍କରେ ଉକ୍ତ ଠିକାଦାରମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ସେହିପରି ହାଇଦ୍ରାବାଦରେ କେତେକ ରିଅଲ ଇଷ୍ଟେଟ ସଂସ୍ଥା ଉପରେ ଚଢଉ ହୋଇ ୫ କୋଟି ଟଙ୍କାର ନଗଦ ୨ ହଜାର ଓ ୫ ଟଙ୍କିଆ ନୋଟ ଜବତ କରିଛି । ସେହିପରି ପଞ୍ଜାବରେ ମଧ୍ୟ ନଗଦ ୨.୬୨ କୋଟି ଟଙ୍କାର ନଗଦ ନୋଟ ଜବତ ହୋଇଛି । ଗତ ଦୁଇ ଦିନରେ ଆୟକର ବିଭାଗ ମୋଟ ୧୪.୪୮ କୋଟି ଟଙ୍କାର ୨ ହଜାର ଓ ୫ ଟଙ୍କିଆ ନୋଟ ଜବତ କରିଛି ।

ସମ୍ବନ୍ଧିତ ଖବର