ବଢ଼ିଲା ଜେଟ୍‌ ଏୟାରେଓ୍ଵଜ୍‌ ସମସ୍ୟା

ମୁମ୍ବାଇ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ ଏୟାରେଓ୍ଵଜ୍‌ର ସମସ୍ୟା ଜଟିଳ ହେବାରେ ଲାଗିଛି। କଂପାନି ବିରୋଧରେ ଅର୍ଥ ତୋସରପାତ ଅଭିଯୋଗ ଆସିଛି। ଏହାର ତଦନ୍ତ କରି କେନ୍ଦ୍ର କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ରେଜିଷ୍ଟ୍ରାର୍‌ ଅଫ୍‌ କଂପାନିଜ୍‌ (ଆର୍‌ଓସି) ମୁମ୍ବାଇକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି।
ଆର୍‌ଓସି ମୁମ୍ବାଇ ପକ୍ଷରୁ ଜେଟ୍‌ ଏୟାରେଓ୍ଵଜ୍‌ର ହିସାବ ଖାତା ଯାଞ୍ଚ କରାଯିବ। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ସହିତ ସମନ୍ଵୟ ରକ୍ଷା କରି ଆର୍‌ଓସି କଂପାନିର ହିସାବ ଖାତା ଯାଞ୍ଚ କରିବ।
ଆଇସିଆଇସିଆଇ ବ୍ୟାଙ୍କର ଭିଡିଓକନ୍‌ ଋଣ ଜାଲିଆତି ପର୍ଦାଫାସ କରିଥିବା ଅରବିନ୍ଦ ଗୁପ୍ତା ଏବେ ଜେଟ୍‌ ଏୟାରେଓ୍ଵଜ୍‌ ପଛରେ ପଡ଼ିଯାଇଛନ୍ତି। ଶ୍ରୀ ଗୁପ୍ତା ଅଭିଯୋଗ କରିଛନ୍ତି ଯେ, ଜେଟ୍‌ ଏୟାରେଓ୍ଵଜ୍‌ର ପ୍ରତିଷ୍ଠାତାମାନେ କଂପାନିରୁ ୫୧୨୫ କୋଟି ଟଙ୍କା ହଡ଼ପ କରିଛନ୍ତି। ଏହି ବେଆଇନ କାମକୁ ଅଟକାଇବାରେ ଜେଟ୍‌ ଏୟାରେଓ୍ଵଜ୍‌ର ଅଡିଟ୍‌ କମିଟି ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ବୋଲି ସେ ଜଣାଇଛନ୍ତି। ଜେଟ୍‌ ଏୟାରେଓ୍ଵଜ୍‌ ଓ ଜେଟ୍‌ ଲାଇଟ୍‌ର ସଂସ୍ଥାପକମାନଙ୍କର ଅନ୍ୟ ଘରୋଇ କଂପାନି ରହିଛି। ସେହି କଂପାନିଗୁଡ଼ିକ ସହିତ ଜେଟ୍‌ ଏୟାରେଓ୍ଵଜ୍‌ କାରବାର କରୁଥିଲା। କିନ୍ତୁ ସେଗୁଡ଼ିକୁ ହିସାବ ଖାତାରେ ‘ଅନ୍ୟାନ୍ୟ’ ବର୍ଗରେ ପ୍ରଦର୍ଶନ କରାଯାଉଥିଲା।

ସମ୍ବନ୍ଧିତ ଖବର