ଜେଟ୍‌ ପାଇଁ ଗ୍ରାହକ ଖୋଜା, ଜୁନ୍‌ରେ ମାଲିକାନା ହସ୍ତାନ୍ତର

ମୁମ୍ବାଇ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍ ଏୟାରୱେଜ୍‌ର ପୁନରୁଦ୍ଧାର ପାଇଁ ଏହାକୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଜେଟ୍‌ର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ପ୍ରଥ‌ମେ ବ୍ୟାଙ୍କଗୁଡ଼ିକ କଂପାନିକୁ ୧୫୦୦ କୋଟି ଟଙ୍କାର ପାଣ୍ଠି ଦେବେ। ଦୁଇ ମାସ ଭିତରେ ଏହାର ସ୍ଥିତି ସୁଧାରିବାକୁ ପ୍ରୟାସ କରିବେ। ଏହା‌ପରେ ଜେଟ୍‌ରେ ଥିବା ନିଜର ଅଂଶଧନକୁ ଖୋଲା ବଜାରରେ ନିଲାମ କରିବେ। କଂପାନିର ସ୍ଥିତି ଭଲ ହୋଇଯିବା ପରେ ସେୟାର ବିକ୍ରିରୁ ବେଶ ଭଲ ଲାଭ ମିଳିବ ବୋଲି ବ୍ୟାଙ୍କଗୁଡ଼ିକ ଭାବୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ଏନ୍‌ପିଏକୁ ନେଇ ରହିଥିବା ଦିଶାନିର୍ଦେଶ ଅନୁସାରେ ବ୍ୟାଙ୍କଗୁଡ଼ିକ ଜେଟ୍‌ର ଅଂଶଧନକୁ ବିକ୍ରି କରିବେ। ତେବେ ଏହି ପ୍ରକ୍ରିୟା ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ରେ ନହୋଇ ସମ୍ପୂର୍ଣ୍ଣ ରୂପେ ବଜାରରେ ହେବ। ଜେଟ୍‌କୁ ବ୍ୟାଙ୍କଗୁଡ଼ିକ ଏନ୍‌ସିଏଲ୍‌ଟିକୁ ଟାଣିବାକୁ ଚାହୁନାହାନ୍ତି। ଏହା ପଛରେ କାରଣ ହେଉଛି ଯଦି ଥରେ ଜେଟ୍‌କୁ ଦେବାଳିଆ ଘୋଷଣା କରାଯିବ ତେବେ ଏହାର ସବୁ ବିମାନର ଉଡ଼ାଣ ବନ୍ଦ ହୋଇଯିବ ଏବଂ କଂପାନି ପୁନରୁଦ୍ଧାରର ସବୁ ବାଟ ବନ୍ଦ ହୋଇଯିବ। ଏନ୍‌ସିଏଲ୍‌ଟିର ମାମଲା ସମାଧାନ ଲାଗି ମଧ୍ୟ ଦୀର୍ଘ ସମୟ ଲାଗିବ। ବ୍ୟାଙ୍କଗୁଡ଼ିକୁ ଦରକାର ପଡ଼ିଲେ ବିପୁଳ କ୍ଷତି ମଧ୍ୟ ସହିବାକୁ ପଡ଼ିବ।

ଏସବୁ ବିଷୟକୁ ବିଚାରକୁ ନେଇ ବ୍ୟାଙ୍କଗୁଡ଼ିକ ଦୁଇ ମାସ ପର୍ଯ୍ୟନ୍ତ ଜେଟ୍‌ର ମାଲିକାନାକୁ ନିଜ ନିୟନ୍ତ୍ରଣରେ ରଖିବେ ଏବଂ ଏହାର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ପ୍ରୟାସ କରିବେ। ଏହି ସମୟ ଭିତରେ କଂପାନିର ପ୍ରତିଷ୍ଠାତା ନରେଶ ଗୋୟଲ ଏବଂ ତାଙ୍କ ଦ୍ବାରା ମନୋନୀତ ହୋଇଥିବା ସଦସ୍ୟମାନଙ୍କୁ ବୋର୍ଡରୁ ବାହାର କରିଦିଆଯିବ। ବିମାନ କଂପାନି ପରିଚାଳନାରେ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ବ୍ୟାଙ୍କଗୁଡ଼ିକ ଜେଟ୍‌ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବେ। ଆସନ୍ତା ‌ମେ’ ଶେଷ ସୁଦ୍ଧା ଜେଟ୍‌ ପାଇଁ ନୂତନ ଗ୍ରାହକ ଯୋଗାଡ଼ କରାଯିବ ଏବଂ ଜୁନ୍‌ରେ ମାଲିକାନାସତ୍ତ୍ବ ହସ୍ତାନ୍ତର କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଜେଟ୍‌ ଏୟାରୱେଜ୍ ବନ୍ଦ ହୋଇଗଲେ ବ୍ୟାଙ୍କ ଠାରୁ ଆରମ୍ଭ କରି ଲିଜ୍‌ରେ ବିମାନ ଦେଇଥିବା ସଂସ୍ଥା ପର୍ଯ୍ୟନ୍ତ ଅନେକ କଂପାନି କ୍ଷତିଗ୍ରସ୍ତ ହେବ। ତେଣୁ ଏହି କଂପାନି ବନ୍ଦ ହୋଇଯାଉ ବୋଲି କେହି ଚାହୁନାହାନ୍ତି। ଯେକୌଣସି ଉପାୟରେ ଜେଟ୍‌କୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ କରାଯାଉଛି। ନିଲାମରେ ଜେଟ୍‌ର ଆକର୍ଷଣ ଯେଭଳି କମ୍ ନହୁଏ ସେଥିପାଇଁ କଂପାନିକୁ ଦିଆଯାଇଥିବା ଅଧିକାରଗୁଡ଼ିକୁ ପ୍ରତ୍ୟାହାର ନକରିବା ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି। ବିଶେଷ କରି ବିମାନ ଅବତରଣ ଅଧିକାର, ସ୍ଲଟ୍ ଏବଂ ଟ୍ରାଫିକ୍ ଅଧିକାର ପ୍ରତ୍ୟାହାର ନକରିବାକୁ ସରକାରଙ୍କ ନିକଟରେ ଅନେକ ସଂସ୍ଥା ଅନୁରୋଧ କରିଛନ୍ତି।

ଉଡ଼ାଣ ବାତିଲ, ଯାତ୍ରୀ ହଇରାଣ
ନୂଆଦିଲ୍ଲୀ: ଜେଟ୍ ଏୟାରୱେଜ୍ ପ୍ରତିଦିନ ବିପୁଳ ସଂଖ୍ୟକ ବିମାନର ଉଡ଼ାଣ ବାତିଲ କରୁଛି। ଏହା ଦ୍ବାରା ଯାତ୍ରୀମା‌ନେ ବହୁତ ହଇରାଣ ହେଉଛନ୍ତି। ବିମାନ ଉଡ଼ାଣ ବାତିଲ ହେଉଥିବାରୁ ଯାତ୍ରୀମାନେ ଟିକଟ ବାତିଲ କରି ମୋଟା ଅଙ୍କର କ୍ଷତି ସହୁଛନ୍ତି। ଜେଟ୍‌କୁ ବିମାନ ଉଡ଼ାଣ ବାତିଲ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି। ଯେତେ ଉଡ଼ାଣ ବାତିଲ କଲେ ମଧ୍ୟ ଜେଟ୍ ଉପରେ ଜରିମାନା ଲାଗୁ କରାଯିବ ନାହିଁ। କିନ୍ତୁ ଏହି କଂପାନିର ଯାତ୍ରୀଙ୍କ ସ୍ବାର୍ଥ ରକ୍ଷା ପାଇଁ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଜେଟ୍‌ର ଇକୋନମି ଶ୍ରେଣୀର ଟିକଟ ବାତିଲ କଲେ ୪୬୦୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଗଣିବାକୁ ପଡ଼ୁଛି। ବିମାନ ଉଡ଼ାଣ ବାତିଲ ହେବା ବିଷୟରେ ୭୨ ଘଣ୍ଟା ପୂର୍ବରୁ ଯାତ୍ରୀମାନଙ୍କୁ ସୂଚନା ଦିଆଯାଉନଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ଜେଟ୍ ପାଖରେ ବହୁତ କମ୍ ବିମାନ ରହିଛି। ସେହି ବିମାନଗୁଡ଼ିକୁ ନେଇ କଂପାନି ଦିନକୁ ୧୨୦ ଧର ଉଡ଼ାଣ କରୁଛି। ପୂର୍ବରୁ କଂପାନି ଏହାର ଛଅ ଗୁଣାରୁ ଅଧିକ ଥର ଉଡ଼ାଣ କରୁଥିଲା।

କର୍ମଚାରୀଙ୍କ ମନରେ ସଂଶୟ
ଜେଟ୍‌ର ଆର୍ଥିକ ସ୍ଥିତିକୁ ନେଇ କର୍ମଚାରୀମାନଙ୍କ ମନରେ ଭୟ ସୃଷ୍ଟି ହେଲାଣି। ଅନେକ କର୍ମଚାରୀ ଭାବୁଛନ୍ତି ଯେ ଖୁବ୍‌ଶୀଘ୍ର ଜେଟ୍‌ର ଅବସ୍ଥା ବିଜୟ ମାଲ୍ୟାଙ୍କ ବିମାନ କଂପାନି କିଙ୍ଗଫିସର ଭଳି ହୋଇଯିବ। ନିଜ ଚାକିରିକୁ ନେଇ ବହୁ କର୍ମଚାରୀ ଭୟଭୀତ ହୋଇପଡ଼ିଲେଣି। ବହୁ କର୍ମଚାରୀ ଅନ୍ୟ ବିମାନ କଂପାନିରେ ଯୋଗ ଦେଉଥିବା ବେଳେ ଯେଉଁମାନେ ଅଧିକ ଦରମା ପାଉଛନ୍ତି ସେମାନଙ୍କ ପାଇଁ ନୂଆ ଚାକିରି ଯୋଗାଡ଼ କରିବା କଷ୍ଟକର ହେଉଛି। ବିଶେଷ କରି ଅଭିଜ୍ଞତା ସମ୍ପନ୍ନ ପାଇଲଟ୍‌ମାନେ ଚାକିରି ହାତେଇବାରେ ସମସ୍ୟା ସାମ୍ନା କରୁଥିବା ଜଣାପଡ଼ିଛି।

ମାସକରେ ୧ ନିୟୁତ ସିଟ୍ ଉଭାନ୍
ନୂଆଦିଲ୍ଲୀ: ଜେଟ୍‌ ଏୟାରୱେଜ୍‌ ସଙ୍କଟ ଭାରତର ବିମାନ ଚଳାଚଳ ଶିଳ୍ପକୁ ଗୁରୁତର ଭାବେ ପ୍ରଭାବିତ କରିଛି। ମାସକ ଭିତରେ ଏକ ନିୟୁତରୁ ଅଧିକ ବିମାନ ସିଟ୍ ଉଭାନ ହୋଇଯାଇଛି। ଚଳିତ ବର୍ଷ ଜାନୁଆରିରେ ବିମାନ ଯାତ୍ରୀଙ୍କ ପାଇଁ ୧୪.୭ ନିୟୁତ ସିଟ୍ ଉପଲବ୍ଧ ଥିଲା। ଫେବ୍ରୁଆରିରେ ସେହି ସିଟ୍ ସଂଖ୍ୟା ୧୩.୪ ନିୟୁତ ହ୍ରାସ ପାଇଛି। ଜେଟ୍‌ର ଆର୍ଥିକ ସଙ୍କଟ, ଇଣ୍ଡିଗୋରେ କ୍ରୁ ସଦସ୍ୟଙ୍କ ଅଭାବ ଏବଂ ବୋଇଙ୍ଗ୍‌ର ୭୩୭ ମ୍ୟାକ୍ସ ବିମାନ ଉପରେ କଟକଣା ଭଳି ବିଭିନ୍ନ କାରଣ ଯୋଗୁ ଭାରତରେ ବିମାନ ସିଟ୍ ସଂଖ୍ୟା ବହୁତ କମିଯାଇଛି। ଏହା ସହିତ ବିମାନ ଟିକଟ ଦର ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ବର୍ତ୍ତମାନ ଜେଟ୍‌ର ୮୪, ସ୍ପାଇସ୍‌ଜେଟ୍‌ର ୧୨ ଏବଂ ଇଣ୍ଡିଗୋର ୭ଟି ବିମାନ ଠିଆ ହୋଇରହିଛି। ଜେଟ୍‌ ପ୍ରତିଦିନ ୩୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରୁଛନ୍ତି। ସ୍ପାଇସ୍‌ଜେଟ୍ ଓ ଇଣ୍ଡିଗୋ ମଧ୍ୟ ଦିନକୁ ପାଖାପାଖି ୩୦ଟି ବିମାନର ଉଡ଼ାଣ ବାତିଲ କରୁଛନ୍ତି।

ସମ୍ବନ୍ଧିତ ଖବର