ଜେଟ୍ ପାଇଲଟ୍ ଦେଲେ ଧମକ, ବେତନ ନମିଳିଲେ ୧ରୁ ବିମାନ ଉଡ଼ାଇବେନି

ମୁମ୍ବାଇ: ଘରୋଇ ବିମାନସେବା ପ୍ରଦାନକାରୀ କମ୍ପାନି ଜେଟ୍‌ ଏୟାରୱେଜ୍‌ର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ବ୍ୟାଙ୍କ ଗୁଡ଼ିକ ଏୟାରଲାଇନ୍ସକୁ ପୁନଃରୁଦ୍ଧାର କରିବା ଲାଗି ଯୋଜନା ଚଳାଇଥିବାବେଳେ ପାଇଲଟମାନେ ବାକିବା ଦରମା ତୁରନ୍ତ ପ୍ରଦାନ ଲାଗି ଜିଦ୍ ଧରିଛନ୍ତି। ପାଇଲଟମାନଙ୍କର ୪ ମାସର ଦରମା ବାକି ଥିବାରୁ ସେମାନେ ଆସନ୍ତା ପହିଲାରୁ ଛୁଟିରେ ଯିବାକୁ ଧମକ ଦେଇଛନ୍ତି। ଯଦି ବେତନ ପ୍ରଦାନ କରା ନଯାଏ ତାହେଲେ ଜେଟ୍‌ର ପ୍ରାୟ ୧୦୦୦ ପାଇଲଟ୍ ଏପ୍ରିଲ ୧ରୁ ବିମାନ ନ ଉଡ଼ାଇବା ପାଇଁ ମଧ୍ୟ ଧମକ ଦେଇଛନ୍ତି। ଜେଟ ଏୟାରୱେଜ୍‌ର ସିଇଓ ବିନୟ ଦୁବେଙ୍କ ନିକଟକୁ ଏହି ପାଇଲଟମାନେ ଚିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ ରହିଛି କମ୍ପାନି ଦେଇଥିବା ପ୍ରତିଶ୍ରୁତି ଏବଂ କରିଥିବା ରାଜିନାମା ପାଳନ କରିବାରେ ବିଫଳ ହୋଇଛି। ତେଣୁ ସେମାନେ ସେମାନଙ୍କର ଗୁଜୁରାଣ ମେଣ୍ଟାଇବା ନିମନ୍ତେ ଅର୍ଥ ଯୋଗାଡ଼ କରିବା ଲାଗି ଛୁଟିରେ ରହିବେ। ସେମାନଙ୍କୁ ଛୁଟିରେ ରହିବା ଲାଗି ଅନୁମତି ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଚିଠି ଲେଖି ଛୁଟିରେ ରହିବା ପାଇଁ ଧମକ ଦେଇଥିବା ପାଇଲଟମାନଙ୍କୁ ଜେଟ୍‌ର ପ୍ରବକ୍ତା ଉତ୍ତର ଦେଇଛନ୍ତି। ‌ପାଇଲଟମାନଙ୍କ କାର୍ଯ୍ୟ ଓ ସମର୍ଥନକୁ ପ୍ରବକ୍ତା ପ୍ରଶଂସା କରିଥିଲେ ମଧ୍ୟ ସେମାନଙ୍କ ଦରମା କେବେ ମିଳିବ ସେ ନେଇ କିଛି କହି ନଥିଲେ। କିନ୍ତୁ ପରେ ଆଜି ପାଇଲଟମାନଙ୍କ ଡିସେମ୍ବର ମାସର ଅବଶିଷ୍ଟ ୮୭.୫ ପ୍ରତିଶତ ବେତନ କମ୍ପାନି ପ୍ରଦାନ କରିଛି। ତଥାପି ପାଇଲଟମାନେ‌ ସେମାନଙ୍କ ଜିଦ୍‌ରୁ ଓହରିନାହାନ୍ତି। ପଳଇଲଟମାନେ ବିମାନ ନ ଉଡ଼ାଇଲେ ଜେଟ୍ କିଭଳି ଏ ପରିସ୍ଥିତିକୁ ସମ୍ଭାଳିବ ସେ ନେଇ ମଧ୍ୟ କିଛି କହିନାହାନ୍ତି।

ପାଇଲଟମାନେ ପୂର୍ବରୁ ମାର୍ଚ୍ଚ ୧ରୁ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ ସେତେବେଳେ ଦେଖାଦେଇଥିବା ଉତ୍ତେଜନା ଯୋଗୁ ଏଥିରୁ ବିରତ ରହିଥିଲେ। ନ୍ୟାସନାଲ ଏଭିଏଟର୍ସ ଗିଲ୍ଡ (ଏନ୍‌ଏଜି)ର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି, ସଂଘର ସଦସ୍ୟ ନଥିବା ଅନେକ ପାଇଲଟ ମଧ୍ୟ ବ୍ୟକ୍ତିଗତମାନେ କମ୍ପାନିକୁ ଇ-ମେଲ୍ ପଠାଇଛନ୍ତି। ତେବେ ବେତନ ନମିଳିଲେ ଆମେ ଏପ୍ରିଲ ପହିଲାରୁ ବିମାନ ଉଡ଼ାଇବୁ ନାହିଁ ବୋଲି ସେ ମତ ଦେଇଛନ୍ତି। କମ୍ପାନିର ମାନବ ସମ୍ବଳ ବିଭାଗ ପକ୍ଷରୁ ଏକ ଚିଠି ପାଇଲଟମାନଙ୍କୁ ଦିଆଯାଇଥିଲା। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ ମାର୍ଚ୍ଚ ୩୧ ସୁଦ୍ଧା ସେମାନଙ୍କ ବାକିଆ ‌ବେତନ ମିଳିଯିବ ଏବଂ ଏପ୍ରିଲରୁ ବେତନ ସ୍ବାଭାବିକ ହୋଇଯିବ।

ପାଇଲଟ୍ ସଂଘ ଡାକିଲା ଜରୁରୀ ବୈଠକ
ନୂଆଦିଲ୍ଲୀ: ଜେଟ୍ ଏୟାରୱେଜ୍‌ର ପାଇଲଟମାନେ ଆସନ୍ତା ସୋମବାରଠାରୁ ଛୁଟିରେ ଯିବେ ବୋଲି ଧମକ ଦେବା ପରେ କମ୍ପାନି ଏହାର ଆଭିମୁଖ୍ୟ ସ୍ପଷ୍ଟ କରିଛି। କମ୍ପାନି ପୂର୍ବରୁ ଡିସେମ୍ବର ମାସର ୧୨.୫ ପ୍ରତିଶତ ବେତନ ପ୍ରଦାନ କରିଥିବାବେଳେ ଆଜି କର୍ମଚାରୀମାନଙ୍କ ବ୍ୟାଙ୍କ ଖାତାରେ ଅବଶିଷ୍ଟ ୮୭.୫ ପ୍ରତିଶତ ଦରମା ଜମା କରିଛି। ତେବେ ବାକିଆ ଦରମା ସମ୍ପୂର୍ଣ୍ଣ ଭାବେ ଦିଆ ନଗଲେ ଆସନ୍ତା ୧ ତାରିଖରୁ ପାଇଲଟମାନେ ବିମାନ ଉଡ଼ାଣ କରିବେ ନାହିଁ ବୋଲି କହିଛନ୍ତି। କିନ୍ତୁ ଏନଏଜି (ନ୍ୟାସନାଲ ଏଭିଏଟର୍ସ ଗିଲ୍ଡ) ପକ୍ଷରୁ ରବିବାର ଅପରାହ୍ଣରେ ମୁମ୍ବାଇରେ ଏକ ଜରୁରୀ ବୈଠକ ଡକାଯାଇଛି। ଏହି ବୈଠକରେ ପାଇଲଟମାନେ ସେମାନଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି। ପାଣ୍ଠି ଆସିଲେ ବାକିଆ ଦରମା ମିଳିବ ବୋଲି କମ୍ପାନିର ସିଇଓ କହିଛନ୍ତି।

ସମ୍ବନ୍ଧିତ ଖବର