ଜେଟ୍‌ ସଙ୍କଟ ୧୫ ଦିନ ଟଳିଲା

ମୁମ୍ବାଇ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍ ଏୟାରୱେଜ୍‌ର ପାଇଲଟ୍‌ମାନେ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖିଛନ୍ତି। ଫଳରେ ଏହି କଂପାନି ସାମ୍ନା କରିବାକୁ ଯାଉଥିବା ଅପ୍ରୀତିକର ସ୍ଥିତିରୁ କିଛି ଦିନ ପାଇଁ ନିସ୍ତାର ପାଇଛି। ରବିବାର ମୁମ୍ବାଇ ଓ ଦିଲ୍ଲୀରେ ପାଇଲଟ୍‌ମାନଙ୍କ ସଂଘ ନ୍ୟାସନାଲ୍ ଆଭିଏଟର୍ସ ଗିଲ୍‌ଡ (ଏନ୍‌ଏଜି)ର ଅନୁଷ୍ଠିତ ହୋଇଥିବା ବୈଠକରେ ଧର୍ମଘଟ କିଛି ଦିନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏପ୍ରିଲ୍‌ ୧ରୁ ବିମାନ ଉଡ଼ାଇବେ ନାହିଁ ବୋଲି ଜେଟ୍‌ରେ ଥିବା ୧୬୦୦ ପାଇଲଟ୍‌ଙ୍କ ମଧ୍ୟରୁ ୧୧୦୦ ପାଇଲଟ୍‌ ଧମକ ଦେଇଛନ୍ତି। ଦରମା ନମିଳିବା ଏବଂ କଂପାନିର ଭବିଷ୍ୟତ ବିଷୟରେ କୌଣସି ସ୍ପଷ୍ଟ ଚିତ୍ର ମିଳୁନଥିବାରୁ ପାଇଲଟ୍‌ମାନେ ବିମାନ ଉଡ଼ାଇବେ ନାହିଁ ବୋଲି କହିଥିଲେ। ଇଞ୍ଜିନିୟରମାନେ ମଧ୍ୟ ସମାନ ଦାବି କରିଥିଲେ। ଗତବର୍ଷ ଅଗଷ୍ଟ ପରଠାରୁ ଜେଟ୍ ଏହାର ପାଇଲଟ୍‌, ଇଞ୍ଜିନିୟର ଏବଂ ବରିଷ୍ଠ ଅଧିକାରୀଙ୍କୁ ବିଳମ୍ବରେ ଦରମା ପ୍ରଦାନ କରୁଛି। କିଛି ଦିନ ତଳେ ଜେଟ୍‌ରୁ ଏହାର ପ୍ରତିଷ୍ଠାତା ନରେଶ ଗୋୟଲ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ଏହାର ମାଲିକାନା ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବାଧୀନ ୨୬ଟି ବ୍ୟାଙ୍କ ପାଖରେ ରହିଛି।

ସମ୍ବନ୍ଧିତ ଖବର