ଜିଓକୁ ଶ୍ରେଷ୍ଠ ମୋବାଇଲ୍‌ ଅପରେଟର ପୁରସ୍କାର

ବାର୍ସିଲୋନା: ସ୍ପେନ୍‌ର ବାର୍ସିଲୋନାଠାରେ ଚାଲିଥିବା ମୋବାଇଲ୍‌ ଓ୍ଵାର୍ଲଡ୍‌ କଂଗ୍ରେସରେ ଆୟୋଜିତ ଗ୍ଲୋବାଲ୍‌ ମୋବାଇଲ୍‌ ଆଓ୍ଵାର୍ଡ ୨୦୧୮ରେ ରିଲାଏନ୍‌ସ ଜିଓକୁ ‘ଗ୍ରାହକ ସେବା ପାଇଁ ଶ୍ରେଷ୍ଠ ମୋବାଇଲ୍‌ ଅପରେଟର’ ପୁରସ୍କାର ପ୍ରଦାନ କରାଯାଇଛି। ନିଜ ପ୍ରଯୁକ୍ତି ପାର୍ଟନର୍‌ ସିସ୍‌କୋ ସହିତ ଜିଓ ଏହି ପୁରସ୍କାର ହାସଲ କରିଛି। ଏହି ଅବସରରେ ଜିଓ ଟିଭି ଆପ୍‌କୁ ‘ଶ୍ରେଷ୍ଠ ମୋବାଇଲ୍‌ ଭିଡିଓ କଣ୍ଟେ୍‌ଣ୍ଟ୍‌’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର କାର୍ଯ୍ୟକ୍ରମକୁ ବିଶ୍ୱ ମୋବାଇଲ୍‌ ଶିଳ୍ପର ଓସ୍କାର ଭାବେ ବିବେଚନା କରାଯାଏ। ମୋବାଇଲ୍‌ ସେବା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ କରିଥିବା କଂପାନିଗୁଡ଼ିକୁ ଏଠାରେ ପୁରସ୍କୃତ କରାଯାଏ। ଏକ ବିଶ୍ୱ ସ୍ତରୀୟ ମଞ୍ଚରେ ଭାରତର ନୂଆ ମୋବାଇଲ୍‌ ସେବା ପ୍ରଦାନକାରୀ ସଂସ୍ଥା ଜିଓକୁ ସ୍ୱୀକୃତି ପ୍ରଦାନ କରାଯାଇଥିବାରୁ ଦେଶର ଟେଲିକମ୍‌ ମନ୍ତ୍ରୀ ମନୋଜ ସିହ୍ନା ଆନନ୍ଦ ପ୍ରକଟ କରିଛନ୍ତି। ଏହା ଦେଶ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି। ବିଶ୍ୱ ସ୍ତରରେ ଭାରତର ପ୍ରଯୁକ୍ତି ନେତୃତ୍ୱକୁ ସ୍ୱୀକୃତି ପ୍ରଦାନ କରାଯାଇଥିବାରୁ ମୁଁ ବହୁତ ଖୁସି ବୋଲି ଟେଲିକମ୍‌ ସଚିବ ଅରୁଣା ସୁନ୍ଦରରାଜନ କହିଛନ୍ତି। ଏହି ପୁରସ୍କାରକୁ ନେଇ ସିସ୍‌କୋର ଅଧ୍ୟକ୍ଷ ଚୁକ୍‌ ରବିନ୍‌ସ ଏବଂ ଜିଓର ସଭାପତି ମାଥ୍ୟୁ ଓମେନ୍‌ ଆନନ୍ଦ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର