ଆଉ ଏକ ଧମାକା କରିବାକୁ ଯାଉଛି ଜିଓ : ଛାଡିବ ଜିଓ ସିମ ଲାଗିଥିବା ଶସ୍ତା ଲାପଟପ୍‌

ମୁମ୍ବାଇ : ଦେଶରେ ଶସ୍ତା ୪-ଜି ସେବା ଆରମ୍ଭ କରି ଟେଲିକମ ଜଗତରେ ବିପ୍ଲବ ଆଣିଥିବା ରିଲାଏନ୍ସ ଜିଓ ପୁଣି ଏକ ଧମାକା କରିବାକୁ ପ୍ରସ୍ତୁତ ହେଉଛି । ଏହା ହେଉଛି ରିଲାଏନ୍ସ ଜିଓ ସଂଯୋଗ ସହ ଲାପଟପ୍‌ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଯୋଜନା ଅନୁସାରେ କମ୍ପାନି ୪-ଜି ସିମ ସଂଯୋଗ ଥିବା ଶସ୍ତା ଲାପଟପ ବଜାରକୁ ଛାଡିବ । ଏଥିପାଇଁ ମୁକେଶ ଅମ୍ବାନିଙ୍କ ଏହି କମ୍ପାନି ଆମେରିକୀୟ ଚିପ୍‌ ନିର୍ମାଣକାରୀ କମ୍ପାନି କ୍ୱାଲକମ ସହ କଥାବାର୍ତ୍ତା ଚଳାଇଛି । ଏବେ କ୍ୱାଲକମ ରିଲାଏନ୍ସ ଜିଓ ପାଇଁ ଏକ ୪-ଜି ଫିଚର ଫୋନ ନିର୍ମାଣ କରାଯାଉଛି । ଏହି ଲାପଟପ ଗୁଡ଼ିକ ସ୍ନାପଡ୍ରାଗନ ୮୩୫ ପରିଚାଳିତ ହେବ । ଏହି ସିମ୍‌ ଲାଗିଥିବା ଲାପଟପଗୁଡ଼ିକୁ ଅଲେଓ୍ଵଜ୍‌ କନେକ୍ଟେଡ୍‌ ପିସି ବୋଲି କୁହାଯାଉଛି ।

ପୂର୍ବରୁ ଲଧ୍ୟ କ୍ୱାଲକମ ଏଚପି, ଏସସ୍‌ ଓ ଲିନୋଭୋ ପାଇଁ ସ୍ନାପଡ୍ରାଗନ ପରିଚାଳିତ ଅଲେଓ୍ଵଜ୍‌ କନେକ୍ଟେଡ୍‌ ପିସି ଲାପଟପ ଛାଡିଛି । ୟୁଏସ, ଜର୍ମାନୀ, ଇଟାଲୀ, ୟୁକେ, ଫ୍ରାନ୍ସ ଆଦି ଦେଶରେ ଏଭଳି ଲାପଟପ ବିକ୍ରିହେଉଛି । ଗତ ବର୍ଷ ମାଇକ୍ରୋସଫ୍ଟ ଓ କ୍ୱାଲକମ ମିଶି ଏପରି ଲାପଟପ ଛାଡିବା ପାଇଁ ବୁଝାମଣା କରିଥିଲେ । ରିଲାଏନ୍ସ ଜିଓର ଯୋଜନା ସଫଳ ହେଲେ ଅଲେଓ୍ଵଜ୍‌ କନେକ୍ଟେଡ୍‌ ପିସି ଭାରତରେ ମିଳିବ । ଏସବୁ ଲାପଟପ ଗୁଡ଼ିକରେ ବ୍ୟାଟେରୀ ଲାଇଫ ଅଧିକ ରହିବ ଓ ଅଧିକ ଇଣ୍ଟରନେଟ ସୁରକ୍ଷା ବ୍ୟବସ୍ଥା ରହିବ । ତେବେ ଜିଓ ଏପରି ଲାପଟପ କେବେ ବଜାରକୁ ଛାଡିବ ତାହା ଜଣାପଡିନାହିଁ ।

ସମ୍ବନ୍ଧିତ ଖବର