ଭୁବନେଶ୍ବର: ଚଳିତ ବର୍ଷ ଜୁନ୍ରେ ଓଡ଼ିଶାରେ ୪୦୦୦ ପାଖାପାଖି ଲ୍ୟାଣ୍ଡ୍ଲାଇନ୍ ସଂଯୋଗ କଟିଯାଇଛି। ସରକାରୀ କଂପାନି ବିଏସ୍ଏନ୍ଏଲ୍ ଏହି ସବୁ ଗ୍ରାହକଙ୍କୁ ହରାଇଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଗତ ମେ’ରେ ରାଜ୍ୟର ମୋଟ ଲ୍ୟାଣ୍ଡ୍ଲାଇନ୍ ସଂଯୋଗ ପରିମାଣ ୨ ଲକ୍ଷ ୧୮ ହଜାର ୧୬୮ ଥିଲା। ଜୁନ୍ ସୁଦ୍ଧା ସେହି ସଂଖ୍ୟା ୩୯୬୨ ହ୍ରାସ ପାଇ ୨ ଲକ୍ଷ ୧୪ ହଜାର ୪୬୨ ସ୍ତରକୁ ଖସିଯାଇଛି। ସାରା ଦେଶରେ ଜୁନ୍ ମାସରେ ୧,୧୯,୬୧୫ ଲ୍ୟାଣ୍ଡ୍ଲାଇନ୍ ସଂଯୋଗ କଟିଯାଇଛି। ରାଜ୍ୟରେ ନୂଆ ମୋବାଇଲ୍ ଗ୍ରାହକ ସୃଷ୍ଟି ହେବାର ଧାରା ବଜାୟ ରହିଛି। ଜୁନ୍ ମାସରେ ମୋଟ ୨ ଲକ୍ଷ ୨ ହଜାର ୪୩୮ ଜଣ ଗ୍ରାହକ ମୋବାଇଲ୍ ନେଟ୍ୱର୍କରେ ସାମିଲ ହୋଇଛନ୍ତି। ଏଥି ସହିତ ଜୁନ୍ ସୁଦ୍ଧା ରାଜ୍ୟର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୨୫ ଲକ୍ଷ ୩୦ ହଜାର ୭୨୩ରେ ପହଞ୍ଚିଛି। ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିବାରେ ରିଲାଏନ୍ସ ଜିଓ ଅନ୍ୟମାନଙ୍କ ଠାରୁ ଆଗରେ ରହିଛି। ଜୁନ୍ରେ ମୁକେଶ ଅମ୍ବାନିଙ୍କ ଏହି କଂପାନି ଓଡ଼ିଶାରେ ୩.୬୧ ଲକ୍ଷ ନୂଆ ଗ୍ରାହକ ହାସଲ କରିଛି। ଏଥି ସହିତ ରାଜ୍ୟରେ କଂପାନିର ମୋଟ ଗ୍ରାହକ ସଂଖ୍ୟା ୧ କୋଟିରୁ ଅଧିକ ହୋଇଯାଇଛି। ଏବେ ରାଜ୍ୟ ମୋବାଇଲ୍ ବଜାରର ୩୧% ଭାଗ ଜିଓ କବ୍ଜାରେ ରହିଛି। ରାଜ୍ୟର ଟେଲି ସାନ୍ଧ୍ରତା ୭୫.୬୮%କୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ଓଡ଼ିଶାର ପ୍ରତି ୧୦୦ ଲୋକଙ୍କ ମଧ୍ୟରୁ ୭୬ ଜଣଙ୍କ ପାଖରେ ମୋବାଇଲ୍ ଫୋନ୍ ରହିଛି।
ଜୁନ୍ରେ କଟିଲା ୪୦୦୦ ଲ୍ୟାଣ୍ଡ୍ଲାଇନ୍, ୧୦୦ରୁ ୭୬ ଜଣଙ୍କ ପାଖରେ ମୋବାଇଲ୍
ଜିଓ ଗ୍ରାହକ ସଂଖ୍ୟା ୧ କୋଟି ଟପିଲା
/sambad/media/post_attachments/wp-content/uploads/2019/06/jio.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)