ଜେଏସ୍‌ପିଏଲ୍‌କୁ ଫିକି ସିଏସ୍‌ଆର୍‌ ପୁରସ୍କାର

ଭୁବନେଶ୍ବର: ନୂଆଦିଲ୍ଲୀଠାରେ ଅନୁଷ୍ଠିତ ୧୭ତମ ଫିକି ସିଏସ୍‌ଆର୍ ସମିଟ୍ ଓ ପୁରସ୍କାର କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ (ଜେଏସପିଏଲ)କୁ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଫିକି ସିଏସ୍‌ଆର୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ଜେଏସପିଏଲ୍ ଫାଉଣ୍ଡେସନ ମାଧ୍ୟମରେ କମ୍ପାନି କରିଥିବା ଅଭିନବ ତଥା ପ୍ରଭାବଶାଳୀ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମକୁ ସ୍ବୀକୃତି ପ୍ରଦାନ କରାଯାଇ ଏହି ପୁରସ୍କାର ଦିଆଯାଇଛି। ଜେଏସ୍‌ପିଏଲ୍‌ର ନିର୍ଦେଶକ ତଥା ଜେଏସ୍‌ପିଏଲ୍‌ ଫାଉଣ୍ଡେସନ୍‌ର ସହ-ଅଧ୍ୟକ୍ଷା ଶାଲୁ ଜିନ୍ଦଲ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁଙ୍କଠାରୁ ଏହି ପୁରସ୍କାର ଗତକାଲି ଗ୍ରହଣ କରିଛନ୍ତି। ଏହି ପୁରସ୍କାର ଗ୍ରହଣ କରି ଶ୍ରୀମତୀ ଜିନ୍ଦଲ ଖୁସି ବ୍ୟକ୍ତ କରିଛନ୍ତି। ଏଥିପାଇଁ ସେ ଫିକି ତଥା ବିଚାରକମଣ୍ଡଳୀକୁ ଧନ୍ୟବାଦ ଜଣାଇଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରେ ଜେଏସ୍‌ପିଏଲ୍ ଫାଉଣ୍ଡେସନ ପକ୍ଷରୁ ଅନେକ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ପରିଚାଳନା କରାଯାଇଛି। ଏଥିରେ ପ୍ରାୟ ୬ ଲକ୍ଷରୁ ଅଧିକ ମହିଳାଙ୍କ ଜୀବନଧାରଣ ମାନରେ ଉନ୍ନତି ଅଣାଯାଇଛି। ଜେଏସ୍‌ପିଏଲ୍ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର ଅନୁଗୁଳ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ, ଝାଡ଼ଖଣ୍ଡର ରାମଗଡ଼ ଓ ପଶ୍ଚିମ ସିଂହଭୂମ୍, ଛତିଶଗଡ଼ର ରାଇଗଡ଼ ଜିଲ୍ଲା ସହିତ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମହିଳାମାନଙ୍କ ବିକାଶ ଓ ସଶକ୍ତୀକରଣ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି।

ସମ୍ବନ୍ଧିତ ଖବର