ଜୁନିଅର ରିସର୍ଚ ଫେଲୋସିପ୍ ଦେବ ଓଡ଼ିଶା

ଭୁବନେଶ୍ବର: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗବେଷଣାକୁ ଆଗକୁ ବଢ଼ାଇବା ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି। ଯେଉଁ ଛାତ୍ରଛାତ୍ରୀମାନେ ନେଟ୍ ପରୀକ୍ଷାରେ ଯୋଗ୍ୟତା ହାସଲ କରୁଛନ୍ତି କିନ୍ତୁ ଜାତୀୟ ଜୁନିଅର ରିସର୍ଚ ଫେଲୋ (ଜେଆର୍‌ଏଫ୍‌) ପାଉନାହାନ୍ତି ସେମାନଙ୍କୁ ରାଜ୍ୟ ସରକାର ଗବେଷଣା ଫେଲୋସିପ୍ ପ୍ରଦାନ କରିବେ। ଏଥିପାଇଁ ଏକ ସ୍ବତନ୍ତ୍ର ସ୍କିମ୍ ଆଜି ଘୋଷଣା କରାଯାଇଛି। ରାଜ୍ୟ ଛାଡ଼ି ଚାଲିଯାଉଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଧରି ରଖିବା ଓ ଶିକ୍ଷା କ୍ଷେତ୍ରରେ ଅଧିକ ଗବେଷକ ସୃଷ୍ଟି କରିବା ପାଇଁ ଆଜି ‘ଓଡ଼ିଶା ବିଶ୍ବବିଦ୍ୟାଳୟ ଗବେଷଣା ଓ ନୂତନତ୍ବ ପ୍ରୋତ୍ସାହନ ଯୋଜନା (ଓୟୁଆରଆଇଆଇପି) ଘୋଷଣା କରାଯାଇଛି। ଏହି ସ୍କିମ୍‌ ଜରିଆରେ ପ୍ରତିବର୍ଷ ୧୩୫ ଜେଆର୍‌ଏଫ୍ ସୃଷ୍ଟି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ୟୁଜିସି ଦ୍ବାରା ଅନୁମୋଦନ ହାସଲ କରିଥିବା ସମସ୍ତ ୩୫ଟି ସ୍ନାତକୋତ୍ତର (ପିଜି) ବିଷୟରେ ବିଷୟ ପିଛା ବର୍ଷକୁ ୫ ଜେଆର୍‌ଏଫ୍ ସୃଷ୍ଟି କରାଯିବ। ପ୍ରତି ବିଷୟର ଦୁଇଟି ସିଟ୍ ଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ। ଜେଆର୍‌ଏଫ୍‌ଙ୍କୁ ମାସିକ ୧୫ ହଜାର ଟଙ୍କା ଲେଖାଏଁ ମିଳିବ। ଏତଦବ୍ୟତୀତ ଲାବ୍ ଆବଶ୍ୟକ ଥିବା ଗବେଷଣା କରୁଥିଲେ ବାର୍ଷିକ ୨୫୦୦୦ ଟଙ୍କା ଓ ଲାବ୍ ସୁବିଧା ଚାହୁଁ ନଥିଲେ ଗବେଷକମାନଙ୍କୁ ବର୍ଷକୁ ୧୫ ହଜାର ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ। ଏହି ସ୍କିମ୍ ଜରିଆରେ ରାଜ୍ୟ ସରକାର ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଗବେଷକଙ୍କ ରହିଥିବା ଅଭାବକୁ ପୂରଣ କରିବାକୁ ଚାହୁଁଛି। ଏହା ବ୍ୟତୀତ ରାଜ୍ୟ ସରକାର କ୍ୟାରିଅର ରିସର୍ଚ ଗ୍ରାଣ୍ଟ (କ୍ୟାରିଅର ଗବେଷଣା ଅନୁଦାନ) ମଧ୍ୟ ପ୍ରଦାନ କରିବେ। ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ପାଇଥିବା ୪୦ ବର୍ଷରୁ କମ୍‌ ଫାକଲ୍‌ଟିମାନଙ୍କ ପାଇଁ ଏହି ସ୍କିମ୍ ପ୍ରସ୍ତୁତ କରାଯାଇଛି। ଏଥିରେ ଫାକଲ୍ଟିମାନଙ୍କୁ ଗବେଷଣା କାମ ପାଇଁ ଅନୁଦାନ ରାଶି ପ୍ରଦାନ କରାଯିବ। ଫାକଲ୍ଟିମାନଙ୍କୁ ୨ ବର୍ଷର ଗବେଷଣା ପାଇଁ ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ। ଏଥିରେ ପାଞ୍ଚ ବର୍ଷ ଭିତରେ ୧୭୫ ଫାକଲଟିଙ୍କୁ ଅନୁଦାନ ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।ଆନ୍ତର୍ଜାତିକ ସ୍ତରର ଶ୍ରେଷ୍ଠ ଜର୍ଣ୍ଣାଲ୍‌ରେ ନିଜର ଲେଖା ଛପାଇବା ପାଇଁ ବହୁତ ଟଙ୍କା ଦରକାର ହୁଏ। ଗବେଷକମାନଙ୍କ ସେହି ଆବଶ୍ୟକତାକୁ ପୂରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯେଉଁମାନଙ୍କ ସନ୍ଦର୍ଭ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇବାକୁ ମନୋନୀତ ହେବ ସରକାର ତାଙ୍କୁ ପାଣ୍ଠି ସବ୍‌ସିଡି ଆକାରରେ ପ୍ରଦାନ କରିବେ ବୋଲି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଓ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର