କେରଳର ଚତୁର୍ଥ ବିମାନ ବନ୍ଦର ଉଦ୍‌ଘାଟିତ, ପ୍ରଥମ ବିମାନ ଗଲା ଆବୁ ଧାବି

କୁନୁର: କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ ଓ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ରବିବାର କୁନୁର ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଉଦ୍‌ଘାଟନ କରିଛନ୍ତି। ଏହାକୁ ମିଶାଇଲେ କେରଳରେ ସମୁଦାୟ ୪ଟି ବିମାନ ବନ୍ଦର ହେଲା। ଏହି ବିମାନ ବନ୍ଦରଟିକୁ କରିବା ପାଇଁ ୨୦୦ ଏକର ଜମି ଓ ୧,୮୦୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ନୂଆ ବିମାନ ବନ୍ଦରରେ ଏକକାଳୀନ ୨ ହଜାର ଯାତ୍ରୀ ଏକାଠି ହୋଇ ପାରିବେ ବୋଲି ସୂଚନା ରହିଛି। ବର୍ଷକୁ ପ୍ରାୟ ୧.୫ ମିଲୟନ୍‌ ଅନ୍ତର୍ଜାତୀୟ ଯାତ୍ରୀ ଯାତାୟତ କରିବେ। ବିମାନବନ୍ଦରଟିର ରନ୍‌େଓ୍ଵର ଲମ୍ବ ହେଉଛି ୩,୦୫୦ ମିଟର୍‌ ଓ ଏହାକୁ ପରବର୍ତ୍ତୀ ସମୟରେ ୪ ହଜାର ମିଟର ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇ ପାରିବ।

ଅତିଥିମାନଙ୍କ ଉପସ୍ଥିତିରେ ଏହି ବିମାନ ବନ୍ଦରରୁ ପ୍ରଥମ ବିମାନ ୧୮୦ ଯାତ୍ରୀଙ୍କୁ ନେଇ ଆବୁ ଧାବିକୁ ଉଡ଼ାଣ ଭରିଛି। ଏହି ବିମାନ ବନ୍ଦରଟି ଦେଶ ବହାରକୁ ସଂଯୋଗ କରିବା ସହିତ ହାଇଦ୍ରାବାଦ୍‌, ବେଙ୍ଗାଲୁର ଏବଂ ମୁମ୍ବାଇକୁ ମଧ୍ୟ ସଂଯୋଗ କରିବ। ଉଲ୍ଳେଯୋଗ୍ୟ, କେରଳରେ ଥିବା ଅନ୍ୟ ୩ଟି ବିମାନ ବନ୍ଦର ତିରୁବନନ୍ତପୁରମ, କୋଚି ଏବଂ କୋଜିକୋଡଠାରେ ରହିଛି।

ସମ୍ବନ୍ଧିତ ଖବର