ନିବେଶକଙ୍କୁ ନିରାଶ କଲା କର୍ଣ୍ଣାଟକ ଫଳାଫଳ:ସେନ୍‌ସେକ୍ସ ଖସିଲା,ଦୁର୍ବଳ ହେଲା ଟଙ୍କା

ମୁମ୍ବାଇ,: କର୍ଣ୍ଣାଟକ ନିର୍ବାଚନରେ ସରକାର ଗଢ଼ିବା ପାଇଁ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇ ନପାରିବାର ପ୍ରଭାବ ଆଜି ନିବେଶକମାନଙ୍କ ଉପରେ ମଧ୍ୟ ପଡ଼ିଛି। ବିଜେପି ସବୁଠୁ ଅଧିକ ସଂଖ୍ୟକ ଆସନ ପାଇଥିଲେ ମଧ୍ୟ ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଏହି ଦଳ ଜୁଟାଇ ପାରିନାହିଁ। ସକାଳବେଳେ ବିଜେପି ସରକାର ଗଠନ କରିବ ବୋଲି ଆଶା ଦେଖାଦେଇଥିଲା। ଏହାର ଅନୁକୂଳ ପ୍ରଭାବରେ ସକାଳବେଳା ସେନ୍‌ସେକ୍ସରେ ୪୩୬ ପଏଣ୍ଟରୁ ଅଧିକ ବୃଦ୍ଧି ଘଟିଥିଲା। କିନ୍ତୁ ପରେ ନିର୍ବାଚନ  ଫଳ ଗଣିତ ବଦଳିବାରୁ ସେନ୍‌ସେକ୍ସ ତଳକୁ ଖସିଥିଲା। କାରବାର ଶେଷବେଳକୁ ସେନ୍‌ସେକ୍ସ ପୂର୍ବଦିନ ତୁଳନାରେ ୧୨ ପଏଣ୍ଟ ତଳକୁ ଖସି ୩୫୫୪୪ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍‌ଟିରେ ୫ ପଏଣ୍ଟ ହ୍ରାସ ଘଟି ଏହା ୧୦୮୦୨ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିର୍ବାଚନ ଫଳର ପ୍ରଭାବ ବୈଦେଶିକ ମୁଦ୍ରା ବଜାରରେ ଟଙ୍କାର ବିନିମୟ ମୂଲ୍ୟ ଉପରେ ପଡ଼ିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ପାଖାପାଖି ୬ ପ୍ରତିଶତ ହ୍ରାସ ଘଟି ୬୮ ଟଙ୍କା ୦୭ ପଇସାକୁ ଖସିଆସିଛି। ଫଳରେ ଟଙ୍କାର ବିନିମୟ ମୂଲ୍ୟ ୧୬ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଚାଲିଯାଇଛି।

ସମ୍ବନ୍ଧିତ ଖବର