ବୁଲେଟ୍‌ ଟ୍ରେନ୍‌ ବାଟ ଓଗାଳିଲେ ଆମ୍ବ, ସପେଟା

ନୂଆଦିଲ୍ଲୀ: ଭାରତର ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ପଥରେ ଏବେ ଆମ୍ବ ଓ ସପେଟା କଣ୍ଟା ଭାବେ ଉଭା ହୋଇଛି। ଏହି ଦୁଇ ପ୍ରକାର ଫଳ ଚାଷ କରୁଥିବା ମହାରାଷ୍ଟ୍ରର ଚାଷୀମାନେ ଜମି ଅଧିଗ୍ରହଣକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ସେମାନଙ୍କୁ ସ୍ଥାନୀୟ ରାଜନେତାଙ୍କ ସମର୍ଥନ ମିଳିଛି। ନିଯୁକ୍ତିର ଗ୍ୟାରେଣ୍ଟି ନମିଳିଲେ ଜମି ଛାଡ଼ିବେ ନାହିଁ ବୋଲି ଚାଷୀମାନେ ଜିଦ୍‌ ଧରିଛନ୍ତି। ୧୭୦୦ କୋଟି ଡଲାରରେ ନିର୍ମାଣ କରାଯାଉଥିବା ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଜମି ଅଧିଗ୍ରହଣ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଜମି ଅଧିଗ୍ରହଣ ସମସ୍ୟା ଆରମ୍ଭ ହୋଇଥିବାରୁ ପ୍ରକଳ୍ପ ଆହୁରି ବିଳମ୍ବିତ ହେବ ବୋଲି ମନେ ହେଉଛି। ଯଦି ଏହି ସମସ୍ୟାର ସମାଧାନ ନହେବ ତେବେ ଏହି ପ୍ରକଳ୍ପ ପାଇଁ ଜାଇକାଠାରୁ ମିଳିବାକୁ ଥିବା ପାଣ୍ଠି ବିଳମ୍ବିତ ହେବାର ଆଶଙ୍କା ପ୍ରକାଶ ପାଇଛି। ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର