ଭୁବନେଶ୍ବରରୁ ସିଙ୍ଗାପୁରକୁ ସିଧା ବିମାନ ଚଳାଚଳ ଦାବି

କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ହାରୋ ଅଧ୍ୟକ୍ଷଙ୍କ ଚିଠି

ଭୁବନେଶ୍ବର: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ହାରୋ ଏବଂ ଆଇଏଟିଓ ପୂର୍ବାଞ୍ଚଳ ମୁଖ୍ୟ ତଥା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ ଏବଂ ପର୍ଯ୍ୟଟନ ଉପଦେଷ୍ଟା ପରିଷଦର ସଦସ୍ୟ ଜେ କେ ମହାନ୍ତି ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଭୁବନେଶ୍ବରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଦାବି କରିଛନ୍ତି। ଶ୍ରୀ ମହାନ୍ତି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ସିଙ୍ଗାପୁରର ଲୋକସଂଖ୍ୟା ୫.୫ ନିୟୁତ ହୋଇଥିବାବେଳେ ଏଠାକୁ ବର୍ଷକୁ ଦେଶ ଜନସଂଖ୍ୟାର ପ୍ରାୟ ୩ ଗୁଣ ଅର୍ଥାତ୍ ୧୮.୫ ନିୟୁତ ପର୍ଯ୍ୟଟକ ଯାଇଥାନ୍ତି। ତେବେ ଭୁବନେଶ୍ବରରୁ ସିଙ୍ଗାପୁର ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରାଗଲେ ଏହି ପର୍ଯ୍ୟଟକମାନଙ୍କ ମଧ୍ୟରୁ ଅନେକ ଓଡ଼ିଶାକୁ ଆସିବା ସହଜ ହୁଅନ୍ତା। କାରଣ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ପୂର୍ବ ଭାରତର ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶାର ଯଥେଷ୍ଟ ସମ୍ଭାବନା ଓ ସାମର୍ଥ୍ୟ ରହିଛି।

ଏପରିକି ସିଙ୍ଗାପୁର ସରକାରଙ୍କ ପକ୍ଷରୁ ଭୁବନେଶ୍ବରକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଅନୁମତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ମଗାଯାଇଛି। ଭୁବନେଶ୍ବର ଗସ୍ତରେ ଆସିଥିବା ସିଙ୍ଗାପୁରର କନସୁଲ ଜେନେରାଲ ଗଭିନ୍ ଚେ ଏବଂ ପିପିଏ (ଜି) ଏବଂ ଭାଇସ କନସୁଲ (ପଲିଟିକାଲ) ଅମିନ ରହିମ ଆଜି ଏହି ସୂଚନା ଦେଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ଅବସରରେ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ବ୍ୟବସାୟ ଓ ପର୍ଯ୍ୟଟନର ଉନ୍ନତି ପାଇଁ ବିସ୍ତୃତ ଆଲୋଚନା ହୋଇଛି। ସିଙ୍ଗାପୁର ସରକାରଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଓ ସିଙ୍ଗାପୁର ମଧ୍ୟରେ ଏୟାର ଇଣ୍ଡିଆର ସିଧାସଳଖ ବିମାନ ଚଳାଚଳ ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର