ଦେଶରେ ତିଆରି ହେବ ଲିଥିଅମ୍‌-ଆୟନ୍‌ ବ୍ୟାଟେରି

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍‌ ଯାନକୁ ନେଇ ବଡ଼ ଧରଣର ଯୋଜନା ପ୍ରସ୍ତୁତ କରିଥିବା ଭାରତ ସରକାର ଦେଶ ଭିତରେ ଲିଥିଅମ୍‌-ଆୟନ ବ୍ୟାଟେରି ଉତ୍ପାଦନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଇଲେକ୍ଟ୍ରିକ୍‌ ଯାନର ଏକ ପ୍ରମୁଖ ଉପାଦାନ ହେଉଛି ବ୍ୟାଟେରି। ଯଦି ଦେଶ ଭିତରେ ଲିଥିଅମ୍‌-ଆୟନ ବ୍ୟାଟେରି ଉତ୍ପାଦନ ହୋଇନପାରିବ ତେବେ ଚୀନ୍‌ରୁ ତାହା ଆମଦାନି କରିବାକୁ ପଡ଼ିବ।ଦେଶ ଭିତରେ ଲିଥିଅମ୍‌-ଆୟନ ବ୍ୟାଟେରି ଉତ୍ପାଦନ ଆରମ୍ଭ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଅନନ୍ତ ଗୀତେ କହିଛନ୍ତି। ଇଲେକ୍ଟ୍ରିକ୍‌ ବସ୍‌ରେ ଲଗାଯାଉଥିବା ବ୍ୟାଟେରି ଯଦି ଚୀନ୍‌ରୁ ଆମଦାନି କରାଯିବ ତେବେ ପ୍ରତି ବ୍ୟାଟେରି ପାଇଁ ୫୦-୬୦ ଲକ୍ଷ ଟଙ୍କା ଗଣିବାକୁ ପଡ଼ିପାରେ। ଯଦି ବ୍ୟାଟେରି ମୂଲ୍ୟ କମ୍‌ କରାଯାଇପାରିବ ତେବେ ଗ୍ରାହକଙ୍କ ପାଇଁ ଇଲେକ୍ଟ୍ରିକ୍‌ ଯାନ ଶସ୍ତା ହୋଇପାରିବ ବୋଲି ସେ କହିଛନ୍ତି। ଇସ୍ରୋ ପକ୍ଷରୁ ଏକ ଲିଥିଅମ୍‌-ଆୟନ୍‌ ବ୍ୟାଟେରି ପ୍ରଯୁକ୍ତି ବିକଶିତ କରାଯାଇଛି। ସେହି ବ୍ୟାଟେରିକୁ ଦେଶ ଭିତରେ ଉତ୍ପାଦନ କରାଯିବ।

ସମ୍ବନ୍ଧିତ ଖବର