ଋଣ ସୁଧ ବଢ଼ିଲା

ମୁମ୍ବାଇ: ଦ୍ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ ହାଉସିଂ ଆଣ୍ଡ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ (ଏଚଡିଏଫସି) ଋଣ ସୁଧ ହାର ବୃଦ୍ଧି ‌କରିଛନ୍ତି। ବ୍ୟାଙ୍କ ଗୁଡ଼ିକ ସୁଧ ହାର ବୃଦ୍ଧି କରିଥିବାରୁ ଆଗାମୀ ଦିନରେ କାର ଓ ଗୃହ ଋଣ ଇଏମ୍‌ଆଇ ବଢ଼ିଯିବ। ଆଗାମୀ ଦିନରେ ଅନ୍ୟ ବ୍ୟାଙ୍କ ଗୁଡ଼ିକ ମଧ୍ୟ ସୁଧ ହାର ବୃଦ୍ଧି କରିବା ଆଶଙ୍କା ରହିଛି। ବ୍ୟାଙ୍କ ଗୁଡ଼ିକ ଏମ୍‌ସିଏଲ୍‌ଆର୍‌ ଭିତ୍ତିକ ସୁଧ ଏବଂ ଏଚଡିଏଫସି ରିଟେଲ ପ୍ରାଇମ ଲେଣ୍ଡିଂ ରେଟ୍‌ (ଆରପିଏଲ୍‌ଆର୍‌)ରେ ୫ରୁ ୧୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି ଘୋଷଣା କରିଛି। ଷ୍ଟେଟ ବ୍ୟାଙ୍କ ଏହାର ୧ ବର୍ଷର ଅବଧି ବିଶିଷ୍ଟ ଏମ୍‌ସିଏଲ୍‌ଆର୍‌ (ମାର୍ଜିନାଲ କଷ୍ଟ୍‌ ଅଫ୍ ଲେଣ୍ଡିଂ ରେଟ୍)କୁ ୮.୪୫% ପରିବର୍ତେ ୮.୫୦%କୁ ବୃଦ୍ଧି କରିଛି। ୩୦ ଲକ୍ଷ ଟଙ୍କାର ଗୃହଋଣ ଉପରେ ଷ୍ଟେଟ୍‌ ବ୍ୟାଙ୍କ ୮.୭୦ରୁ ୮.୮୫% ପର୍ଯ୍ୟନ୍ତ ସୁଧ ଆଦାୟ କରିବ। ଆଇସିଆଇସିଆଇ ବ୍ୟାଙ୍କ ଏହାର ୬ ମାସିଆ ଏମସିଏଲଆରକୁ ୮.୫୦%ରୁ ୮.୬୦%କୁ ବୃଦ୍ଧି କରିଥିବାବେଳେ ୧ ବର୍ଷ ଅବଧିର ଏମସିଏଲଆରକୁ ୮.୫୫%ରୁ ୮.୬୫%କୁ ବୃଦ୍ଧି କରିଛି। ଏଚଡିଏଫ୍‌ସି ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ୮.୮୦%ରୁ ୮.୮୫% ମଧ୍ୟରେ ସୁଧ ଆଦାୟ ପାଇଁ ସ୍ଥିର କରିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମଧ୍ୟ ଏହାର ସ୍ବଳ୍ପ ଅବଧି ବିଶିଷ୍ଟ ଋଣ ଉପରେ ସୁଧ ହାରରେ ୦.୨% ପର୍ଯ୍ୟନ୍ତ ବୃଦ୍ଧି କରିଛି।

ସମ୍ବନ୍ଧିତ ଖବର