୩-ମାସିଆ ଇଏମଆଇ ମହଲତ ସ୍କିମ୍ : ଗ୍ରାହକମାନେ ସେତେଟା ଉପକୃତ ହେବେ ନାହିଁ

ମୁମ୍ବାଇ : ରିଜର୍ଭ ବ୍ୟାଙ୍କର ଅନୁମତି ପରେ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବିଭିନ୍ନ ମିଆଦୀ ଋଣ ପରିଶୋଧ ପାଇଁ ଦିଆଯାଉଥିବା ମାସିକ କିସ୍ତିକୁ ୩ ମାସ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି । ବ୍ୟାଙ୍କ ମାନଙ୍କର ଏହି ଋଣଦାତାମାନଙ୍କ ବ୍ୟାଙ୍କ ଖାତାରୁ ଇଏମଆଇ ୩ ମାସ ପାଇଁ କଟିବ ନାହିଁ ଓ ୩ ମାସ ପରେ ସେମାନେ ଋଣ କିସ୍ତି ପ୍ରଦାନ କରିପାରିବେ ଓ ଏହା ଦ୍ୱାରା ତାଙ୍କର କ୍ରେଡିଟ୍ ହିଷ୍ଟ୍ରି ବା ଋଣ ଇତିହାସ ପ୍ରଭାବିତ ହେବ ନାହିଁ ।

କରୋନା ଭାଇରସ ଯୋଗୁଁ ଏବେ ସାରା ଦେଶରେ ଲକଡାଉନ କରାଯାଇଥିବାରୁ ବିଭିନ୍ନ ଅଫିସ , କଳକାରଖାନା ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଅଛି । ଏ ପରିସ୍ଥିତିରେ ଲୋକମାନଙ୍କ ପାଇଁ ମାସିକ କିସ୍ତି ପରିଶୋଧ କଷ୍ଟକର ହୋଇପାରେ । ଏହାକୁ ଦେଖି ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ବ୍ୟାଙ୍କମାନଙ୍କ ଦ୍ୱାରା ଯେଉଁ ମୋରାଟୋରିଅମ ସ୍କିମ ଘୋଷଣା କରାଯାଇଛି, ତଦ୍ୱାରା ଋଣଗ୍ରହୀତାମାନେ ସେତେଟା ଉପକୃତ ହେବାର ଆଶଙ୍କା କମ ବୋଲି ଅନୁମାନ କରାଯାଉଛି । କାରଣ ଗ୍ରାହକମାନଙ୍କୁ ତିନିମାସ କିସ୍ତି ଦେବାକୁ ପଡ଼ିନପାରେ କିନ୍ତୁ ଏହି ତିନିମାସ ପାଇଁ ସେମାନଙ୍କ ଋଣ ଉପରେ ସୁଧ ଲାଗୁ କରାଯିବ । ଗ୍ରାହକମାନେ ଯଦି ନିଜର କିସ୍ତି ପରିମାଣ ସମାନ ରଖନ୍ତି ତେବେ ସୁଧ ମିଶିବା ପରେ ତାଙ୍କର କିସ୍ତି ସଂଖ୍ୟା ବଢିପାରେ ।

ଉଦାହରଣ ସ୍ୱରୂପ ଯଦି ଜଣେ ଗ୍ରାହକ ଷ୍ଟେଟ ବ୍ୟାଙ୍କରୁ ୬ ଲକ୍ଷ ଟଙ୍କାର ଗାଡ଼ିଋଣ ନେଇଛନ୍ତି ଓ ତାଙ୍କର ଆଉ ୫୪ଟି ମାସିକ କିସ୍ତି ବାକି ଅଛି, ତେବେ ସେ ଏହି ୩-ମାସିଆ ମୋରାଟୋରିଅମ ଗ୍ରହଣ କଲେ ତାଙ୍କୁ ଅଧିକ ପ୍ରାୟ ୧୯ ହଜାର ଦେବାକୁ ହେବ ।

ସମ୍ବନ୍ଧିତ ଖବର