ଷ୍ଟେଟ୍‌ ବ୍ୟାଙ୍କର ସର୍ବନିମ୍ନ ବାଲାନ୍‌ସ ଜରିମାନା କମିଲା:ମାସକୁ ସର୍ବାଧିକ ଜରିମାନା ୧୫ ଟଙ୍କା

ମୁମ୍ବାଇ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ସର୍ବନିମ୍ନ ବାଲାନ୍‌ସ ରଖୁନଥିବା ଗ୍ରାହକଙ୍କ ଉପରେ ଯେଉଁ ଜରିମାନା ଲାଗୁ କରାଯାଉଥିଲା ତାହାକୁ ୭୦% ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ମେଟ୍ରୋ ଏବଂ ସହରାଞ୍ଚଳର ଗ୍ରାହକମାନଙ୍କ ପାଇଁ ସର୍ବାଧିକ ମାସିକ ଜରିମାନା ୧୫ ଟଙ୍କାକୁ ହ୍ରାସ କରାଯାଇଛି। ପୂର୍ବରୁ ତାହା ୫୦ ଟଙ୍କା ଥିଲା। ସେହିପରି ଅର୍ଧ ସହରାଞ୍ଚଳ ଗ୍ରାହକଙ୍କ ସର୍ବାଧିକ ମାସିକ ଜରିମାନା ୪୦ ଟଙ୍କାରୁ ୧୨ ଟଙ୍କା ପର୍ଯ୍ୟନ୍ତ ଏବଂ ଗ୍ରାମାଞ୍ଚଳ ଗ୍ରାହକଙ୍କ ପାଇଁ ୪୦ ଟଙ୍କାରୁ ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି।
ଆଗାମୀ ଦିନରେ ସହରାଞ୍ଚଳ ଗ୍ରାହକଙ୍କ ଉପରେ ମାସକୁ ସର୍ବାଧିକ ୧୫ ଟଙ୍କା, ଅର୍ଧ ସହରାଞ୍ଚଳ ଗ୍ରାହକଙ୍କ ଉପରେ ୧୨ ଟଙ୍କା ଏବଂ ଗ୍ରାମାଞ୍ଚଳ ଗ୍ରାହକଙ୍କ ଉପରେ ୧୦ ଟଙ୍କାର ଜରିମାନା ଲାଗୁ କରାଯିବ। ବ୍ୟାଙ୍କର ଏହି ନିଷ୍ପତ୍ତି ଦ୍ୱାରା ୨୫ କୋଟି ଗ୍ରାହକ ଲାଭବାନ ହେବେ।
ହାରାହାରି ସର୍ବନିମ୍ନ ବାଲାନ୍ସ (ଏଏମ୍‌ବି) ପାଇଁ ଷ୍ଟେଟ୍‌ ବ୍ୟାଙ୍କ ଅଞ୍ଚଳ ଭିତ୍ତିରେ ଏହାର ଗ୍ରାହକମାନଙ୍କୁ ତିନି ଭାଗରେ ବାଣ୍ଟି ଦେଇଛି। ତାହା ହେଉଛି ମେଟ୍ରୋ ଓ ସହରାଞ୍ଚଳ ଗ୍ରାହକ, ଅର୍ଧ ସହରାଞ୍ଚଳ ଗ୍ରାହକ ଏବଂ ଗ୍ରାମାଞ୍ଚଳ ଗ୍ରାହକ। ସହରାଞ୍ଚଳ ଗ୍ରାହକଙ୍କୁ ଖାତାରେ ମାସକୁ ସର୍ବନିମ୍ନ ୩୦୦୦ ଟଙ୍କାର ବାଲାନ୍ସ ରଖିବାକୁ ପଡ଼ିବ। ଅନ୍ୟଥା ଜରିମାନା ଲାଗୁ କରାଯିବ। ଅର୍ଧ ସହରାଞ୍ଚଳ ଗ୍ରାହକଙ୍କ ପାଇଁ ଏହି ସୀମା ୨୦୦୦ ଟଙ୍କା ଥିବା ବେଳେ ଗ୍ରାମାଞ୍ଚଳ ଗ୍ରାହକଙ୍କ ପାଇଁ ୧୦୦୦ ଟଙ୍କା ରହିଛି।

ସର୍ବନିମ୍ନ ବାଲାନ୍ସ ରଖିପାରୁନଥିବା ଗ୍ରାହକଙ୍କ ଉପରେ ଷ୍ଟେଟ୍‌ ବ୍ୟାଙ୍କ ତିନିଟି ପର୍ଯ୍ୟାୟରେ ଜରିମାନା ଲାଗୁ କରେ। ଧାର୍ଯ୍ୟ ସୀମାଠାରୁ ଯଦି ବାଲାନ୍ସ ପରିମାଣ ୫୦% କମିଯିବ ତେବେ କମ୍‌ ପରିମାଣର ଜରିମାନା ଆଦାୟ କରାଯାଏ। ଯଦି ୫୦-୭୫% ପର୍ଯ୍ୟନ୍ତ ଖସିଯିବ ତେବେ ମଧ୍ୟମ ଧରଣର ଏବଂ ୭୫% କମିଗଲେ ସର୍ବୋଚ୍ଚ ହାରର ଜରିମାନା ଆଦାୟ କରାଯାଏ। ପ୍ରତି ଥର ଜରିମାନା ସହିତ ଜିଏସ୍‌ଟି ମଧ୍ୟ ଲାଗୁ କରାଯାଏ।
ଛଅ ବର୍ଷର ବ୍ୟବଧାନ ପରେ ଗତବର୍ଷ ଏପ୍ରିଲ୍‌ରେ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ପୁଣି ଥରେ ସର୍ବନିମ୍ନ ବାଲାନ୍ସ ଉପରେ ଜରିମାନା ଲାଗୁ କରାଯାଇଥିଲା। ୨୦୧୭-୧୮ ଆର୍ଥିକ ବର୍ଷର ଆଠ ମାସ ଭିତରେ ଏହି ଜରିମାନା ବାବଦରେ ଷ୍ଟେଟ୍‌ ବ୍ୟାଙ୍କ ୧୧୭୨ କୋଟି ଟଙ୍କା ଆୟ କରିଥିଲା ଯାହା ବ୍ୟାଙ୍କର ଦ୍ୱିତୀୟ ତ୍ରୈମାସିକର ଲାଭ ଠାରୁ ଅଧିକ ଥିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଜାରି କରାଯିବା ପରେ ଷ୍ଟେଟ୍‌ ବ୍ୟାଙ୍କକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବାରୁ ୨୦୧୭ ଅକ୍ଟୋବର ୧ରେ ବ୍ୟାଙ୍କ ଏହାର ଜରିମାନା ପରିମାଣ ହ୍ରାସ କରିଥିଲା।

ସମ୍ବନ୍ଧିତ ଖବର