ରାୟଗଡ଼ାରେ ହେବ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ୍‌

ଏଚ୍‌ପିସିଏଲ୍‌ ନିବେଶ କରିବ ୯୧ କୋଟି, ୧୯ରେ ଧର୍ମେନ୍ଦ୍ର ପ୍ରଧାନ କରିବେ ଶିଳାନ୍ୟାସ

ଭୁବନେଶ୍ୱର, ରାଷ୍ଟ୍ରାୟତ୍ତ ତେଲ ଏବଂ ଗ୍ୟାସ ବିପଣନ କମ୍ପାନି ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ (ଏଚପିସିଏଲ୍) ପକ୍ଷରୁ ରାୟଗଡ଼ା ଜିଲାସ୍ଥିତ ଆଇଆଇଡି ସେଣ୍ଟରଠାରେ ଏକ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ ହେବ।। ଆସନ୍ତା ୧୯ ତାରିଖରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଏଲ୍‌ପିଜି ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ କରିବେ। ୯୧ କୋଟି ନିବେଶରେ ଏହି ପ୍ରକଳ୍ପ ନିର୍ମାଣ ହେବ। ରାୟଗଡ଼ା ରେଳ ଷ୍ଟେସନଠାରୁ ପ୍ରାୟ ୫ କିମି ଦୂରରେ ଆଇଇଡି ସେଣ୍ଟରରେ ୨୧ ଏକର ପିରିମିତ ଜମିରେ ଏହି ପ୍ଲାଣ୍ଟ ହେବ। ୨୦୨୦ ସେପ୍ଟେମ୍ବର ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଛି। ରାୟଗଡ଼ାରେ ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ୧୧ଟି ଜିଲ୍ଲା ଯଥା ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ନୂଆପଡ଼ାର ଉପଭୋକ୍ତାମାନଙ୍କୁ ଏଠାରୁ ସିଲିଣ୍ଡର ଯୋଗାଣ ହେବ। ବର୍ତ୍ତମାନ ଏଚପିସିଏଲର ଖୋର୍ଧା ଜିଲ୍ଲା ଜଟଣୀଠାରେ ଏକ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଅଛି । ରାୟଗଡ଼ାଠାରେ ନୂତନ ପ୍ଲାଣ୍ଟ ନିର୍ମାଣ ପରେ ଓଡ଼ିଶାରେ ଏହା ହେବ ଏଚ୍‌ପିସିଏଲ୍‌ର ଦ୍ୱିତୀୟ ବଟଲିଂ ପ୍ଲାଣ୍ଟ । ଅନ୍ୟାନ୍ୟ ତୈଳ ବିପଣନ କମ୍ପାନିଗୁଡ଼ିକର ଏଲପିଜି ବଟଲିଂ ପ୍ଲାଣ୍ଟ ବାଲେଶ୍ୱର, ଝାରସୁଗୁଡ଼ା, ଖୋର୍ଧା ଏବଂ ଜଟଣୀଠାରେ ରହିଅଛି । ଏହି ୪ଟି ବଟଲିଂ ପ୍ଲାଣ୍ଟର ବାର୍ଷିକ କ୍ଷମତା ୨.୮୦ କୋଟି ସିଲିଣ୍ଡର ରହିଛି । ରାୟଗଡ଼ାଠାରେ ଏହି ପ୍ରସ୍ତାବିତ ଏଲପିଜି ବଟଲିଂ ପ୍ଲାଣ୍ଟ ସହିତ ତୈଳ ବିପଣନ କମ୍ପାନିଗୁଡ଼ିକ ଭୁବନେଶ୍ୱର ଏବଂ ବଲାଙ୍ଗୀରଠାରେ ନୂତନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା ରଖିଛନ୍ତି । ଏହି ନୂତନ ବଟଲିଂ ପ୍ଲାଣ୍ଟ ନିର୍ମାଣ ହେବା ପରେ ଓଡ଼ିଶାରେ ସର୍ବମୋଟ ୭ଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ । ଏହି ୭ଟି ବଟଲିଂ ପ୍ଲାଣ୍ଟର କ୍ଷମତା ବାର୍ଷିକ ୪.୦୬ କୋଟି ସିଲିଣ୍ଡର ରହିବ।

ଆଜି ଭୁବନେଶ୍ୱରଠାରେ ଏଚପିସିଏଲ ଏବଂ ପୂର୍ବତଟ ରେଳପଥ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଏଚପିସିଏଲର ଡିଜିଏମ (ଏଲପିଜି ରିଜିଅନ-ଭୁବନେଶ୍ବର) ଧର୍ମେନ୍ଦ୍ର ବେହୁରା, ଏଚପିସିଏଲ୍‌ର ଜଟଣୀ ବଟଲିଂ ପ୍ଲାଣ୍ଟର ଚିଫ୍‌ ପ୍ଲାଣ୍ଟ ମ୍ୟାନେଜର ଅନିଲ କୁମାର ତ୍ରିପାଠୀ, ଏଚପିସିଏଲର ସିନିୟର ମ୍ୟାନେଜର (ମାର୍କେଟିଂ) ତୃପ୍ତି ରଞ୍ଜନ ସାହୁ ଏବଂ ପୂର୍ବତଟ ରେଳପଥର ବରିଷ୍ଠ ‌ଲୋକ ସମ୍ପର୍କ ଅଧିକାରୀ ନିରାକାର ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶାରେ ୭୭ ଲକ୍ଷ ଏଲପିଜି ଉପଭୋକ୍ତା
ଓଡ଼ିଶାରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ଦୃତଗତିରେ ବୃଦ୍ଧି ପାଇଛି। ୨୦୧୪ ଜୁନ ୧ ସୁଦ୍ଧା ରାଜ୍ୟରେ ୨୦.୨୨ ଲକ୍ଷ ଏଲପିଜି ଉପଭୋକ୍ତା ଥିବାବେଳେ ୨୦୧୯ ଫେବ୍ରୁଆରି ୧ ସୁଦ୍ଧା ଏମାନଙ୍କ ସଂଖ୍ୟା ପ୍ରାୟ ୭୭ ଲକ୍ଷ (୭୬ ଲକ୍ଷ ୬୫ ହଜାର)ରେ ପହଞ୍ଚିଛି। ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ଏହି ସମୟ ମଧ୍ୟରେ ୨୭୯% ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର