ଏଲପିଜି ଦାମ୍ ୬୫ ଟଙ୍କା କମିଲା

ନୂଆଦିଲ୍ଲୀ : ଆନ୍ତର୍ଜାତିକ ବଜାରରେ ଦର ହ୍ରାସ ଘଟିବାରୁ ଦେଶ ଭିତରେ ବିନା ରିହାତିରେ ପ୍ରଦାନ କରାଯାଉଥିବା ଏଲପିଜି ସିଲିଣ୍ଡର୍ ଦାମରେ ୬୫ ଟଙ୍କା ୫୦ ପଇସାର ହ୍ରାସ ଘୋଷଣା କରାଯାଇଛି। ଫଳରେ ଦିଲ୍ଲୀରେ ୧୪.୨ କେଜି ଏଲପିଜି ସିଲିଣ୍ଡର୍ ଦାମ୍ ୭୪୪ ଟଙ୍କାକୁ ହ୍ରାସ ପାଇଛି। ସବସିଡି ପ୍ରତ୍ୟାହାର କରିଥିବା ପ୍ରାୟ ୧.୬ କୋଟି ଗ୍ରାହକ ଏହା ଦ୍ବାରା ଉପକୃତ ହେବେ। ଦେଶରେ ୨୬.୫ କୋଟି ଗ୍ରାହକ ରିହାତି ଦରରେ ସବସିଡି କିଣୁଛନ୍ତି। ସେମାନେ ବିନା ରିହାତି ଦରରେ ମିଳୁଥିବା ସିଲିଣ୍ଡର୍ ପାଇଁ ଟଙ୍କା ଗଣୁଛନ୍ତି। ମାତ୍ର ରିହାତି ବାବଦ ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହେଉଛି।

ଫେବ୍ରୁଆରି ଖାଉଟି ମୂଲ୍ୟସୂଚୀ ହ୍ରାସ
ଭୁବନେଶ୍ବର : ସର୍ବ ଭାରତୀୟ ସ୍ତରରେ ଶିଳ୍ପ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଖାଉଟି ମୂଲ୍ୟସୂଚୀ ୨ ପଏଣ୍ଟ ହ୍ରାସ ପାଇ ୩୨୮ ପଏଣ୍ଟ ରହିଛି। ସେହିଭଳି ଅନୁଗୁଳ-ତା‌ଳଚେର ଏବଂ ରାଉରକେଲାରେ ଏହି ମୂଲ୍ୟସୂଚୀ ଯଥାକ୍ରମେ ୩୪୬ ଏବଂ ୩୩୩ ପଏଣ୍ଟକୁ କମିଛି। ଉପଭୋକ୍ତା ମୂଲ୍ୟସୂଚୀ ସଂଖ୍ୟା ଆସିବା ପରେ ଜଣାଯାଇଛି ଯେ, ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ ଏପ୍ରିଲ ପହିଲାରୁ ୧୬୦.୭% ମହଙ୍ଗାଭତ୍ତା ପାଇବାକୁ ହକ୍‌ଦାର ହୋଇଥିବାବେଳେ ବ୍ୟାଙ୍କ ଓ ବୀମା କର୍ମଚାରୀମାନେ ମେ ପହିଲାରୁ ଯଥାକ୍ରମେ ୭୬.୫% ଏବଂ ୬୯.୮% ମହଙ୍ଗାଭତ୍ତା ପାଇବାକୁ ଯୋଗ୍ୟ ହୋଇଛନ୍ତି। ସେହିଭଳି ସରକାରୀ କର୍ମଚାରୀମାନେ ଆସନ୍ତା ଜୁଲାଇ ପହିଲାରୁ ୨୫% ମହଙ୍ଗା ଭତ୍ତା ପାଇବାକୁ ଯୋଗ୍ୟ ହୋଇଛନ୍ତି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ମାର୍ଚ୍ଚରେ ମାରୁତିର ଗାଡ଼ି ବିକ୍ରି ୪୭% କମିଲା
ନୂଆଦିଳ୍ଲୀ : ଦେଶର ସର୍ବବୃହତ୍ କାର ନିର୍ମାତା ମାରୁତି ସୁଜୁକିର କାର୍ ବିକ୍ରି ମାର୍ଚ୍ଚ ମାସରେ କରୋନା ପ୍ରଭାବରେ ଗୁରୁତର ଭାବେ ହ୍ରାସ ପାଇଛି। ଗତବର୍ଷ ମାର୍ଚ୍ଚ ତୁଳନାରେ ଚଳିତବର୍ଷ ମାର୍ଚ୍ଚରେ କମ୍ପାନିର କାର ବିକ୍ରି ୪୭ ପ୍ରତିଶତ କମିଛି। ଚଳିତବର୍ଷ ମାର୍ଚ୍ଚରେ କମ୍ପାନି ମାତ୍ର ୮୩,୭୯୨ ୟୁନିଟ୍ ଗାଡ଼ି ବିକ୍ରି କରିବାରେ ସକ୍ଷମ ହୋଇଛି। ଗତବର୍ଷ ମାର୍ଚ୍ଚରେ କମ୍ପାନି ୧,୫୮,୦୭୬ଟି ଗାଡ଼ି ବିକିଥିଲା। ଉଲ୍ଲେଖଯୋଗ୍ୟ, କରୋନା ପାଇଁ କମ୍ପାନି ମାର୍ଚ୍ଚ ୨୨ ତାରିଖରୁ ଏହାର ବିଭିନ୍ନ କାରଖାନାରେ ଗାଡ଼ି ଉତ୍ପାଦନ ବନ୍ଦ କରିବାକୁ ବାଧ୍ୟ ହୋଇଛି।

ଜିଏସ୍‌ଟି ଆଦାୟ ୯୭,୫୯୭ କୋଟିକୁ ହ୍ରାସ
ନୂଆଦିଲ୍ଲୀ : ମାର୍ଚ୍ଚରେ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ଆଦାୟ ୯୭,୫୯୭ କୋଟି ଟଙ୍କାକୁ ହ୍ରାସ ପାଇଛି। ସରକାର ମାସକୁ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ କରୋନା ଭୂତାଣୁ ବ୍ୟାପିବାରୁ ଲକ୍ ଡାଉନ୍‌ ଘୋଷଣା କରାଯାଇଥିବାରୁ ବ୍ୟାବସାୟିକ କାର୍ଯ୍ୟକଳାପ କମିଯାଇଛି। ସେଥିପାଇଁ ଜିଏସ୍‌ଟି ଆଦାୟ ହ୍ରାସ ପାଇଛି। ଗତ ଫେବ୍ରୁଆରିରେ ୧.୦୫ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ଫେବ୍ରୁଆରି ପର୍ଯ୍ୟନ୍ତ କ୍ରମାଗତ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସ୍‌ଟି ଆଦାୟ ହୋଇଥିଲା।

ସମ୍ବନ୍ଧିତ ଖବର