ଏଲ୍‌ପିଜି ଦର ବି ବଢ଼ିଲା:ପେଟ୍ରୋଲ ୯ ପଇସା, ଡିଜେଲ ୧୦ ପଇସା କମିଲା

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲ ଦର ଧୀରେ ଧୀରେ କମୁଛି। ସରକାରୀ ତେଲ କମ୍ପାନି ଗୁଡ଼ିକ କ୍ରମାଗତ ଭାବେ ଶନିବାର ଚତୁର୍ଥ ଦିନ ପାଇଁ ତେଲ ଦର ହ୍ରାସ କରିଛନ୍ତି। ଶୁକ୍ରବାର ତୁଳନାରେ ଶନିବାର ଲିଟର ପିଛା ପେଟ୍ରୋଲ ଦର ୯ ପଇସା ଏବଂ ଡିଜେଲ ଦର ୧୦ ପଇସା କମିଛି। ଏଥିଯୋଗୁ ଭୁବନେଶ୍ୱରରେ ଭାରତୀୟ ତୈଳ ନିଗମ ପେଟ୍ରୋଲ ପମ୍ପରେ ଲିଟର ପିଛା ପେଟ୍ରୋଲ ଦର ୭୭ ଟଙ୍କା ଏବଂ ଡିଜେଲ ଦର ୭୪ ଟଙ୍କା ୦୯ ପଇସାକୁ ହ୍ରାସ ଘଟିଛି। ଗତ ବୁଧବାରଠାରୁ ଆଇଓସିଏଲ ଲିଟର ପିଛା ପେଟ୍ରୋଲ ଦର ୨୩ ପଇସା ଏବଂ ଡିଜେଲ ଦର ୨୧ ପଇସା ହ୍ରାସ କରିଛିି। ଗତ ୨୯ ତାରିଖରେ ଲିଟର ପିଛା ପେଟ୍ରୋଲ ଦର ରେକର୍ଡ ୭୭ ଟଙ୍କା ୨୩ ପଇସା ଏବଂ ଡିଜେଲ ଦର ୭୪ ଟଙ୍କା ୩୦ ପଇସା ଛୁଇଁଥିଲା।
ନୂଆଦିଲ୍ଲୀ,୧/୬: ସରକାରୀ ତେଲ କମ୍ପାନି ଗୁଡ଼ିକ କର୍ଣ୍ଣାଟକ ନିର୍ବାଚନ ପରେ କ୍ରମାଗତ ଭାବେ ୧୬ ଦିନ ଧରି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରି ଏହାକୁ ମହଙ୍ଗା କରି ଦେଇଛନ୍ତି। ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ଦର ପାଖାପାଖି ସାଢ଼େ ତିନି ଟଙ୍କା ମହଙ୍ଗା କରିଦେବା ପରେ ଶନିବାରକୁ ମିଶାଇ ୪ ଦିନ ହେଲା ଏହାକୁ ଅଳ୍ପ କମାଇଛନ୍ତି। ଅନ୍ୟପକ୍ଷରେ ପେଟ୍ରୋଲ ଏବଂ ଡିଜେଲ ଦର ପରେ ଏବେ ରନ୍ଧନ ଗ୍ୟାସ୍‌ ଏବଂ ବିମାନ ଇନ୍ଧନ (ଏଟିଏଫ୍‌)ର ଦର ବୃଦ୍ଧି ପାଳି ପଡ଼ିଛି।
ସବ୍‌ସିଡିରେ ଗ୍ରାହକମାନଙ୍କୁ ବର୍ଷକୁ ମିଳୁଥିବା ଏଲ୍‌ପିଜି ଦର ସିଲିଣ୍ଡର ପିଛା ୨ ଟଙ୍କାରୁ ଊର୍ଧ୍ୱ ବୃଦ୍ଧି କରାଯାଇଛି। ସବ୍‌ସିଡିରେ ମିଳୁଥିବା ରନ୍ଧନ ଗ୍ୟାସ (୧୪.୨ କିଗ୍ରା) ଦର ଦିଲ୍ଲୀରେ ପୂର୍ବରୁ ୪୯୧ ଟଙ୍କା ୨୧ ପଇସା ଥିବାବେଳେ ଏବେ ଏହା ୪୯୩ ଟଙ୍କା ୫୫ ପଇସାକୁ ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ଏଲ୍‌ପିଜି ଦର ସିଲିଣ୍ଡର ପିଛା ୨ ଟଙ୍କା ୩୪ ପଇସା ବଢ଼ିଯାଇଛି। ସେହିଭଳି ମୁମ୍ବାଇରେ ଏବେ ରନ୍ଧନ ଗ୍ୟାସ ଦର ୪୯୧ ଟଙ୍କା ୩୧ ପଇସାକୁ ଏବଂ କୋଲକାତାରେ ୪୯୬ ଟଙ୍କା ୬୫ ପଇସାକୁ ବୃଦ୍ଧି ଘଟିଛି। ଜଣେ ଗ୍ରାହକ ବର୍ଷକୁ ୧୨ଟି ରନ୍ଧନ ଗ୍ୟାସ ସବ୍‌ସିଡିରେ ପାଇ ପାରୁଛନ୍ତି। ଏହାଠାରୁ ଅଧିକ ରନ୍ଧନ ଗ୍ୟାସ କିଣିଲେ ସେଥିପାଇଁ ସେମାନଙ୍କୁ ବଜାର ଦର ଦେବାକୁ ପଡ଼ୁଛି। ବଜାର ଦରରେ ବିକ୍ରି ହେଉଥିବା ବା ବିନା ସବ୍‌ସିଡିରେ ପ୍ରଦାନ କରାଯାଉଥିବା ଏଲ୍‌ପିଜି ଦର ସିଲିଣ୍ଡର ପିଛା ୪୮ ଟଙ୍କା ବୃଦ୍ଧି ଘଟିଛି। ଏଥିଯୋଗୁଁ ଅଣ ସବ୍‌ସିଡିରେ ମିଳୁଥିବା ଏଲ୍‌ପିଜି ଦର ୬୯୮ ଟଙ୍କା ୫୦ ପଇସାରେ ପହଞ୍ଚିଛି। ଜାନୁଆରିଠାରୁ କ୍ରମାଗତଭାବେ ୫ ଥର ମୂଲ୍ୟ ହ୍ରାସ ପରେ ପ୍ରଥମ ଥର ପାଇଁ ଏହି ବୃଦ୍ଧି ଘଟିଛି।

ଗତ ଡିସେମ୍ବରରେ ଅଣ ସବ୍‌ସିଡିରେ ମିଳୁଥିବା ଏଲ୍‌ପିଜି ଦର ୭୪୭ ଟଙ୍କା ରହିଥିଲା। ପରବର୍ତ୍ତୀ ମାସ ଗୁଡ଼ିକରେ ଏଲ୍‌ପିଜି ଦର ହ୍ରାସ ଘଟି ମେ ମାସରେ ଏହା ୬୫୦ ଟଙ୍କା ୫୦ ପଇସା ରହିଥିଲା। ସେହିଭଳି ବିମାନ ଇନ୍ଧନ ଦର ବା ଏଟିଏଫ୍‌ ମୂଲ୍ୟ କିଲୋଲିଟର ପିଛା ୪୬୮୮ ଟଙ୍କା ବା ୭.୧୭ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ଦିଲ୍ଲୀରେ କିଲୋଲିଟର (୧୦୦୦ ଲିଟର) ପିଛା ଏଟିଏମ୍‌ ମୂଲ୍ୟ ୭୦,୦୨୮ ଟଙ୍କାରେ ପହଞ୍ଚି ଯାଇଛି। ଏହା ପୂର୍ବରୁ ଗତମାସ ୧ ତାରିଖରେ ମଧ୍ୟ ସରକାରୀ ତେଲ କମ୍ପାନି ଗୁଡ଼ିକ ଏଟିଏଫ୍‌ ମୂଲ୍ୟ କିଲୋଲିଟର ପିଛା ୩୮୯୦ ଟଙ୍କା (୬.୩ ପ୍ରତିଶତ) ବୃଦ୍ଧି କରିଥିଲେ। କ୍ରମାଗତ ଦୁଇ ମାସ ଧରି ବୃଦ୍ଧି କରିବା ଫଳରେ ବିମାନ ଇନ୍ଧନ ଦର ୨୦୧୪ ମେ ମାସଠାରୁ ସର୍ବାଧିକ ସ୍ତରରେ ପହଞ୍ଚି ଯାଇଛି। ଏଥିଯୋଗୁଁ ଆଗାମୀ ଦିନରେ ବିମାନ ଯାତ୍ରା ମହଙ୍ଗା ହେବାର ଯଥେଷ୍ଟ ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର