ଶତାବ୍ଦୀ ସ୍ଥାନରେ ଚାଲିବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିଶ୍ୱସ୍ତରୀୟ ‘ଟ୍ରେନ୍‌ ୧୮’

ଜୁନ୍‌ ଶେଷ ସୁଦ୍ଧା ଧାରଣାରେ ଦୌଡ଼ିବ ଟ୍ରେନ୍‌ ୧୮: ଘଣ୍ଟାପ୍ରତି ବେଗ ରହିବ ୧୬୦ କିମି

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍‌ ମାସ ଶେଷ ସୁଦ୍ଧା ଦେଶର ରେଳ ଲାଇନ୍‌ ଉପରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ମଧ୍ୟମ- ଦ୍ରୁତ ଗତିରେ ଚାଲୁଥିବା ଏକ ସଂପୂର୍ଣ୍ଣ ନୂତନ ଟ୍ରେନ୍‌ ଦେଖିବାପାଇଁ ମିଳିବ। ଏହି ଟ୍ରେନ୍‌ରେ ଯାତ୍ରା କଲେ, ଯାତ୍ରାକାଳୀନ ସମୟ ଅବଧି ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇବ।

ତେବେ, ଏ ବାବଦରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଏହି ନୂତନ ଟ୍ରେନ୍‌ଟି ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ଆଉ ଟ୍ରେନ୍‌କୁ ନିର୍ମାଣ କରିଛନ୍ତି ଭାରତୀୟ ରେଳବାଇର ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରାଲ୍‌ କୋଚ୍‌ ଫ୍ୟାକ୍ଟ୍ରି (ଆଇସିଏଫ୍‌)। ଏକ ଯୋଡ଼ା, ୧୬ଟି କୋଚ୍‌ ବିଶିଷ୍ଟ ଏହି ନୂତନ ଟ୍ରେନ୍‌ର ନିର୍ମାଣ କାର୍ଯ୍ୟ ଏବେ ପ୍ରାୟ ଶେଷ ହୋଇ ସାରିଛି ଏବଂ ଚଳିତ ବର୍ଷ ଜୁନ୍‌ ଶେଷ ସୁଦ୍ଧା ଯେ କୌଣସି ସମୟରେ ଏହି ନୂତନ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରାଯାଇପାରେ।

ପ୍ରାପ୍ତ ସୂଚନା ମୁତାବିକ୍‌ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଚାଲିବାକୁ କ୍ଷମତା ରଖୁଥିବା ‘ଟ୍ରେନ୍‌ ୧୮’ ନାମରେ ନାମିତ ଏହି ଟ୍ରେନ୍‌ରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାରର ବିଶ୍ୱସ୍ତରୀୟ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି। ଏହି ଟ୍ରେନ୍‌ ଭିତରେ ଯାତ୍ରୀମାନେ ଓ୍ଵାଇ-ଫାଇ ସୁବିଧା ସହ ସୂଚନା ଓ ମନୋରଞ୍ଜନର ସାଧନ ପାଇ ପାରିବେ। ପ୍ରତ୍ୟେକ ଯାତ୍ରୀଙ୍କ ସିଟ୍‌ ସମ୍ମୁଖରେ ଜିପିଏସ୍‌ ଆଧାରିତ ଯାତ୍ରୀ ସୂଚନା ଉପଲବ୍ଧ ହେବ। କୋଚ୍‌ ଭିତରକୁ ଏଲ୍‌ଇଡି ଆଲୋକରେ ଆଲୋକିତ କରାଯିବ। ଏହି ଟ୍ରେନ୍‌ର ଭିତର ଠାରୁ ଆରମ୍ଭ କରି ବାହାର, ଏପରିକି ଇଞ୍ଜିନ୍‌ ପର୍ଯ୍ୟନ୍ତ ସାଜ୍ଜସଜା ସଂପୂର୍ଣ୍ଣ ବିଶ୍ୱସ୍ତରୀୟ କରାଯାଇଛି। ଟ୍ରେନ୍‌ର ଝରକା ଠାରୁ ଆରମ୍ଭ କରି କବାଟ ପର୍ଯ୍ୟନ୍ତରେ ସବୁ କିଛି ବିଦ୍ୟୁତ ଚାଳିତ। ଏହି ଟ୍ରେନ୍‌ରେ ଡୋର୍‌ ସବୁ ଅଟୋମେଟିକ୍‌ ସ୍ଲାଇଡିଂ ହୋଇଥିବା ବେଳେ ଟ୍ରେନ୍‌କୁ ଚଢ଼ିବାକୁ ଥିବା ପାହାଚ ସବୁ ମଧ୍ୟ ଅଟୋମେଟିକ୍‌ ସ୍ଲାଇଡିଂ। ଆଉ ୧୬ କୋଚ୍‌ ବିଶିଷ୍ଟ ଏହି ଟ୍ରେନ୍‌ଟି ସଂପୂର୍ଣ୍ଣ ବାତାନୁକୂଳିତ ହୋଇଥିବା ବେଳେ ଏହାର ସମସ୍ତ ଟଏଲେଟ୍‌ ହେଉଛି ଅତ୍ୟାଧୁନିକ ବାୟୋ ଟଏଲେଟ୍‌। ଟ୍ରେନ୍‌ର ନିର୍ମାଣରେ ଉଚ୍ଚମାନର ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ୟବହାର କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ସଂପ୍ରତି ଇଣ୍ଟରସିଟି ଟ୍ରେନ୍‌ ଭାବେ ଚଳାଚଳ କରୁଥିବା ଶତାବ୍ଦୀ ଟ୍ରେନ୍‌କୁ ପରିବର୍ତ୍ତନ କରାଯାଇ ତା’ ସ୍ଥାନରେ ଏହି ନୂତନ ଟ୍ରେନ୍‌ ୧୮କୁ ଚଳାଇବା ପାଇଁ ଯୋଜନା କରିଛି ଭାରତୀୟ ରେଳ ବିଭାଗ।

ଏହା ପରେପରେ ‘ଟ୍ରେନ୍‌ ୨୦’ ନାମରେ ଟ୍ରେନ୍‌ ୧୮ ଠାରୁ ଆହୁରି ଅଧିକ ଦ୍ରୁତଗାମୀ ଏବଂ ଆହୁରି ଅଧିକ ଯାତ୍ରୀ ସୁବିଧା ଉପଲବ୍ଧ ଥିବା ଆଉ ଅନ୍ୟ ଏକ ଟ୍ରେନ୍‌ ଚଳାଚଳ କରିବ। ବର୍ତ୍ତମାନ ଚାଲିଥିବା ରାଜଧାନୀ ଏକ୍ସପ୍ରେସ୍‌ ସବୁକୁ ପରିବର୍ତ୍ତନ କରି ତା’ ସ୍ଥାନରେ ୨୦୨୦ ସୁଦ୍ଧା ଟ୍ରେନ୍‌ ୨୦କୁ ଚଳାଇବା ପାଇଁ ରେଳ ବିଭାଗ ଯୋଜନା ରଖିଛି।

ଉଲ୍ଲେଖଯୋଗ୍ୟ, ‘ମେକ୍‌ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ଅଧୀନରେ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ଟ୍ରେନ୍‌ ୧୮ ଓ ଟ୍ରେନ୍‌ ୨୦କୁ ନିର୍ମାଣ କରୁଛନ୍ତି ଭାରତୀୟ ରେଳବାଇର ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରାଲ୍‌ କୋଚ୍‌ ଫ୍ୟାକ୍ଟ୍ରି (ଆଇସିଏଫ୍‌)।

ସମ୍ବନ୍ଧିତ ଖବର