ମହିଳା ଉଦ୍ୟୋଗୀଙ୍କୁ ୫% ସୁଧରେ ଋଣ

ଅର୍ଥ ଆୟୋଗ ନିକଟରେ ଦାବି

ଭୁବନେଶ୍ବର: ରାଜ୍ୟରେ ବ୍ୟାଙ୍କ ଗୁଡ଼ିକ ମନଇଚ୍ଛା କାର୍ଯ୍ୟ କରୁଛନ୍ତି। ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକୁ ଋଣ ଦେବାକୁ କୁଣ୍ଠା ପ୍ରକାଶ କରୁଛନ୍ତି। ଏଥିଯୋଗୁ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗ ଗୁଡ଼ିକ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଓଡ଼ିଶା ରାଜ୍ୟ ଅର୍ଥ ନିଗମ (ଓଏସଏଫସି)ର ପୁନରୁଦ୍ଧାର ପାଇଁ ଓଡ଼ିଶା ଏସଏମଇ ସଂଘର ସାଧାରଣ ସମ୍ପାଦକ ସାତ୍ତ୍ବିକ ସ୍ବାଇଁ ଦାବି କରିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ପଞ୍ଚଦଶ ଅର୍ଥ କମିସନ ଆଜି ଶିଳ୍ପ ସଂଘର ପ୍ରତିନିଧିମାନଙ୍କୁ ଭେଟି ସେମାନଙ୍କ ପରାମର୍ଶ ଓ ମତାମତ ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ସ୍ବାଇଁ ଉପରୋକ୍ତ ଦାବି କରିଥିଲେ। ଏତଦବ୍ୟତୀତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକ ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜ ପ୍ରଦାନ କରାଗଲେ ଏମାନଙ୍କ ପାଇଁ ଋଣ ପାଇବା ସହଜ ହେବ ବୋଲି ସେ ଦାବି କରିଥିଲେ। ଏତଦବ୍ୟତୀତ ମହିଳା ଉଦ୍ୟୋଗୀମାନଙ୍କୁ ୫% ସୁଧରେ ଋଣ ଯୋଗାଇ ଦିଆଗଲେ ଅଧିକରୁ ଅଧିକ ମହିଳା ଉଦ୍ୟୋଗ ଜଗତରେ ପ୍ରବେଶ ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି। ସେହିଭଳି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ରାଜ୍ୟର କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ଗୁଡ଼ିକ ସମ୍ମୁଖୀନ ହେଉଥିବା କୋଇଲାର ଅଭାବ ଦୂର ପାଇଁ ଦାବି କରାଯାଇଛି। ସେହିଭଳି କୋଇଲା ରୟାଲଟିର ସଂଶୋଧନ ପାଇଁ ମଧ୍ୟ ଦାବି କରାଯାଇଛି। ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ ଓଡ଼ିଶାରେ ପର୍ଯ୍ୟଟନ ଓ କୃଷିର ବିକାଶ ପାଇଁ ପଦକ୍ଷେପ ନେବାକୁ ଦାବି ଉପସ୍ଥାପନ କରାଯାଇଛି। ଏଥିସହିତ କେନ୍ଦ୍ର ଓ ରାଜ୍ୟରେ ବାଣିଜ୍ୟ ବୋର୍ଡ ଗଠନ, ଅନ୍ୟମାନଙ୍କ ଭଳି ବ୍ୟବସାୟୀଙ୍କୁ ପେନସନ ପ୍ରଦାନ, ଖୁଚୁରା କ୍ଷେତ୍ରରେ ଏଫଡିଆଇ ଅନୁମତିକୁ ପ୍ରତ୍ୟାହାର, ଅନଲାଇନ ଏବଂ ଦେଶରେ ତୈଳବୀଜ ଚାଷକୁ ପ୍ରାଧାନ୍ୟ ଦେବାକୁ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଦାବି କରିଛନ୍ତି।

୧୭ ଜଣିଆ ଟିମ୍
ପଞ୍ଚଦଶ ଅର୍ଥ ଆୟୋଗର ୧୭ ଜଣିଆ ଟିମ୍ ଓଡ଼ିଶା ଗସ୍ତରେ ଆସିଛନ୍ତି। ‌ଅଧ୍ୟକ୍ଷ ନନ୍ଦ କିଶୋର ସିଂହଙ୍କ ଅଧ୍ୟକ୍ଷତା‌ରେ ଆସିଥିବା ଟିମ୍‌ରେ ଅଛନ୍ତି ସଦସ୍ୟ ଡ. ଅନୁପ ସିଂହ, ଅଶୋକ ଲାହିରି, ଡ. ରମେଶ ଚାନ୍ଦ, ଅରବିନ୍ଦ ମେ‌ହେଟ୍ଟା, ମୁକ୍ତିମିତ୍ ସିଂହ ଭାଟିଆ, ଡ. ରବି କୋଟା, ଆଣ୍ଟୋନି ସିରିଆକ, ମୌସୁମୀ ଚକ୍ରବର୍ତ୍ତୀ, ଭାରତ ଭୂଷଣ ଗର୍ଗ, ଗୋପାଳ ପ୍ରସାଦ, ନୀତୀଶ ସାଇନି, ସନ୍ଦୀପ କୁମାର, ରିତେଶ କୁମାର, ଆର ଥ୍ୟାଗରାଜନ, ଶ୍ରୀ ଆନିକେତ ଓ ହିମାନି ବର୍ମା।

ସମ୍ବନ୍ଧିତ ଖବର