ମେକ୍ ଇନ୍ ଇଣ୍ଡିଆକୁ ଧକ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ମେକ୍ ଇନ୍ ଇଣ୍ଡିଆକୁ ଧକ୍କା ଲାଗିଲାଣି। ବିଶେଷକରି ଟିଭି ନିର୍ମାଣରେ ଏହି ପରିସ୍ଥିତି ଦେଖାଦେଇଛି। ଭାରତରେ ଟିଭି ନିର୍ମାଣ କରିବା ପରିବର୍ତ୍ତେ ଭିଏତନାମ୍ ଭଳି ଆସିଆନ୍‌ ଦେଶଗୁଡ଼ିକରୁ ଏହାକୁ ବିନା ଶୁଳ୍କରେ ଆମଦାନି କରିବାକୁ ଉଚିତ ମନେ କରୁଛନ୍ତି। ଏହାକୁ ଦୃଷ୍ଟିରେ ସରକାର ଓପନ୍ ସେଲ୍ ଏଲ୍‌ଇଡି ପ୍ୟାନେଲ ଉପରୁ ଆମଦାନି ଶୁଳ୍କ ହଟାଇବାକୁ ସରକାର ବିଚାର କରୁଛନ୍ତି। ଏକ ବଡ଼ କଂପାନି ଭାରତରେ ଟିଭି ନିର୍ମାଣ ଗତ ଅକ୍ଟୋବରରୁ ବନ୍ଦ କରିସାରିଲାଣି। ଏହି କଂପାନି ଭଳି ଅନ୍ୟ ପ୍ରମୁଖ କମ୍ପାନି ମଧ୍ୟ ଏଭଳି ପଦକ୍ଷେପ ନେବା ଉପରେ ବିଚାର କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି। ଟିଭି ଉତ୍ପାଦନକାରୀଙ୍କ ଏହି ସମସ୍ୟା ଉପରେ ଇଲେ‌କଟ୍ରୋନିକ୍ସ ମନ୍ତ୍ରାଳୟ ଟିଭି ନିର୍ମାଣ କରୁଥିବା କଂପାନିର ବରିଷ୍ଠ ଅଧିକାରୀଙ୍କ ସମେତ କଞ୍ଜ୍ୟୁମର ଇଲେ‌କଟ୍ରୋନିକ୍ସ ଆଣ୍ଡ୍ ଆପ୍ଲାଏନ୍‌ସେସ୍ ମ୍ୟାନୁଫାକଚର୍ସ ଆସୋସିଏସନ୍ (ସିଇଏଏମଏ)ର କର୍ମକର୍ତ୍ତାଙ୍କ ଦୁଇ ଦୁଇ ଥର ଆଲୋଚନା କରିସାରିଲାଣି। ଟିଭି ନିର୍ମାତାମାନେ ଓପନ୍ ସେଲ୍ ଟିଭି ପ୍ୟାନେଲ ଉପରୁ ଆମଦାନି ଶୁଳ୍କକୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ପ୍ରସ୍ତାବମାନ ଦେଇଛନ୍ତି। ସରକାର ମଧ୍ୟ ଏହାକୁ ଗୁରୁତ୍ବ ସହ ବିଚାର କରୁଛନ୍ତି ଏବଂ ଏ ନେଇ ଶୀଘ୍ର ନିଷ୍ପତ୍ତି ନିଆଯାଇ ପାରେ ବୋଲି ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର