ମାଲ୍ୟା, ମୋଦିଙ୍କ ସମ୍ପତ୍ତି ଜବତ ବାଟ ଫିଟିଲା

ପଳାତକ ଆର୍ଥିକ ଅପରାଧୀ, ଅଧ୍ୟାଦେଶକୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ: ବ୍ୟାଙ୍କର ଋଣ ପରିଶୋଧ ନକରି କିମ୍ବା ଆର୍ଥିକ ଅପରାଧ ଘଟାଇ ଦେଶ ଛାଡ଼ି ବିଦେଶ ପଳାଇ ଯାଉଥିବା ବିଜୟ ମାଲ୍ୟା ଏବଂ ନିରବ ମୋଦିଙ୍କ ଭଳି ଲୋକଙ୍କ ସମ୍ପତ୍ତି ଜବତ ବାଟ ଆଜି ଫିଟିଛି। ପଳାତକ ଆର୍ଥିକ ଅପରାଧୀଙ୍କ ସମ୍ପତ୍ତି ଜବତ ପାଇଁ ଉଦ୍ଦିଷ୍ଟ ଅଧ୍ୟାଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ମଞ୍ଜୁରି ମିଳିଛି। ଏ ସଂକ୍ରାନ୍ତ ବିଲ୍‌ ଗତମାସ ୧୨ ତାରିଖରେ ଲୋକସଭାରେ ଆଗତ ହୋଇଥିଲା। କିନ୍ତୁ ସଂସଦରେ ଅଚଳାବସ୍ଥା ଲାଗି ରହିଥିବାରୁ ଏହି ବିଲ୍‌ ଗୃହୀତ ହୋଇ ପାରି ନଥିଲା। ଫଳରେ ସରକାର ଅଧ୍ୟାଦେଶ ମାଧ୍ୟମରେ ଏହି ଆଇନ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି। ରାଷ୍ଟ୍ରପତିଙ୍କ ସ୍ୱୀକୃତି ମିଳିଲେ ଏହି ଅଧ୍ୟାଦେଶ କାର୍ଯ୍ୟକାରୀ ହେବ। ଯେଉଁମାନେ ଆର୍ଥିକ ଅପରାଧ ଘଟାଇ ବିଦେଶ ପଳାଇଛନ୍ତି ଓ ଦେଶକୁ ଫେରିବାକୁ ରାଜି ନାହାନ୍ତି, ଯେଉଁମାନଙ୍କ ବିରୋଧରେ ନିର୍ଧାରିତ ଅପରାଧ ପାଇଁ ଗିରଫ ଓ୍ଵାରେଣ୍ଟ ଜାରି ହୋଇଛି ଏବଂ ୧୦୦ କୋଟି ଟଙ୍କାରୁ ଅଧିକ ଋଣ ବକେୟା ଥାଇ ଯେଉଁମାନେ ଋଣ ଖିଲାପୀ ତାଲିକାରେ ରହିଛନ୍ତି ସେମାନଙ୍କ ବିରୋଧରେ ଏହି ଅଧ୍ୟାଦେଶ ଲାଗୁ ହେବ। ଦୋଷୀ ସାବ୍ୟସ୍ତ ନ ହୋଇଥିଲେ ମଧ୍ୟ ଏହି ବ୍ୟକ୍ତିମାନଙ୍କ ସମ୍ପତ୍ତି ଜବତ ହୋଇ ବାଜ୍ୟାପ୍ତି କରାଯିବ ଏବଂ ପଳାତକ ବ୍ୟକ୍ତିଙ୍କ ସମ୍ପତ୍ତି ବିକ୍ରି କରାଯାଇ ଋଣ ପ୍ରଦାନ କରିଥିବା ସଂସ୍ଥାର ଅର୍ଥ ପରିଶୋଧ କରାଯିବ ବୋଲି ଅଧ୍ୟାଦେଶରେ ବ୍ୟବସ୍ଥା ରହିଛି। ଏଭଳି ଆର୍ଥିକ ଅପରାଧୀମାନଙ୍କ ବିଚାର ମନି ଲଣ୍ଡରିଂ ନିରୋଧ ଆଇନ (ପିଏମ୍‌ଏଲ୍‌ଏ) ଅନୁସାରେ ହେବ। କୌଣସି ବ୍ୟକ୍ତିଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରିବା ପାଇଁ ଜଣେ ନିର୍ଦେଶକ ବା ଉପ ନିର୍ଦେଶକ ( ପିଏମ୍‌ଏଲ୍‌ଏ-୨୦୦୨ ଅନୁଯାୟୀ ନିଯୁକ୍ତ) ନିର୍ଧାରିତ ସ୍ୱତନ୍ତ୍ର କୋର୍ଟରେ ଏଥିପାଇଁ ଆବେଦନ କରିପାରିବେ। ସଂପୃକ୍ତ ବ୍ୟକ୍ତି ଜଣକ ପଳାତକ ଆର୍ଥିକ ଅପରାଧୀ ହୋଇଥିବାର କାରଣ ସେହି ଆବେଦନରେ ଦର୍ଶାଯାଇଥିବ। ଏତଦ୍‌ବ୍ୟତୀତ ସେହି ଅପରାଧୀଙ୍କ ଠିକଣା, ଜବତ ହେବାକୁ ଥିବା ସମ୍ପତ୍ତିର ତାଲିକା, ବେନାମୀ ସମ୍ପତ୍ତି ବା ବିଦେଶୀ ସମ୍ପତ୍ତି ଯାହାର ବାଜ୍ୟାପ୍ତି ଦାବି କରାଯାଇଛି ତାହାର ତାଲିକା ଏବଂ ଏସବୁ ସମ୍ପତ୍ତିରେ କେଉଁସବୁ ବ୍ୟକ୍ତିଙ୍କର ମାଲିକାନା ରହିଛି ତାହାର ତାଲିକା ପ୍ରଦାନ କରିବାର ବ୍ୟବସ୍ଥା ରହିବ। ଆବେଦନ ଗ୍ରହଣ କରିବା ପରେ ସ୍ୱତନ୍ତ୍ର କୋର୍ଟ ସଂପୃକ୍ତ ବ୍ୟକ୍ତିଙ୍କୁ ନୋଟିସ ଜାରି କରିବେ। ସେହି ବ୍ୟକ୍ତିଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ୬ ସପ୍ତାହ ମଧ୍ୟରେ ହାଜର ହେବାକୁ କୁହାଯିବ। ସ୍ୱତନ୍ତ୍ର କୋର୍ଟର ବିନା ବିନା ପ୍ରାକ୍‌ ଅନୁମତିରେ ପଳାତକ ଆର୍ଥିକ ଅପରାଧୀଙ୍କ ସମ୍ପତ୍ତିକୁ ଅସ୍ଥାୟୀଭାବେ ଜବତ କରାଯାଇ ପାରିବ। ତେବେ ଏଥିପାଇଁ ୩୦ ଦିନ ଭିତରେ କୋର୍ଟରେ ଆବେଦନ ଦାଖଲ କରିବାକୁ ହେବ। ସ୍ୱତନ୍ତ୍ର କୋର୍ଟର ରାୟ ବିରୋଧରେ କୌଣସି ଆବେଦନ ହାଇକୋର୍ଟରେ କରାଯାଇ ପାରିବ।

ସମ୍ବନ୍ଧିତ ଖବର