ମାଲ୍ୟା ଋଣ ଶୁଝିବାକୁ ଚାହୁଁନଥିଲେ, ଋଣ ଟଙ୍କା ବିଦେଶ ପଠାଉଥିଲେ

ନୂଆଦିଲ୍ଲୀ: ଭାରତ ଛାଡ଼ି ବ୍ରିଟେନ୍‌ ଚାଲିଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଦେଶର ବିଭିନ୍ନ ଦେଶରୁ ନେଇଥିବା ଋଣ ଅର୍ଥ ଫେରାଇବାକୁ ଚାହୁଁନଥିଲେ। ଋଣ ଶୁଝିବାର ତାଙ୍କର କୌଣସି ଅଭିପ୍ରାୟ ନଥିଲା। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ କରାଯାଇଥିବା‌ ତଦନ୍ତ ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ବିଭିନ୍ନ ବ୍ୟାଙ୍କକୁ ନେଇ ଗଠନ କରାଯାଇଥିବା କନ୍‌ସୋର୍ଟିୟମ୍‌ରୁ ମାଲ୍ୟା ୫୫୦୦ କୋଟି ଟଙ୍କାର ଋଣ ନେଇଥିଲେ। ତାଙ୍କ ବିମାନ କଂପାନି କିଙ୍ଗଫିସର୍‌ ଏୟାରଲାଇନ୍ସ ନାମରେ ଦିଆଯାଇଥିବା ଋଣକୁ ପୁନର୍ଗଠିତ (ରିଷ୍ଟ୍ରକ୍‌ଚର୍‌) କରିବାକୁ ବ୍ୟାଙ୍କଗୁଡ଼ିକ ରାଜି ଥିଲେ। ଏହା ସତ୍ତ୍ବେ ମାଲ୍ୟା ନିଜ ଆଡ଼ୁ କୌଣସି ଆଗ୍ରହ ଦେଖାଇନଥିଲେ। କିଙ୍ଗଫିସର୍‌ ଏୟାରଲାଇନ୍ସର ହିସାବ ଖାତାକୁ ନେଇ ଇଡି କରିଥିବା ତଦନ୍ତରୁ ଏହା ଜାଣିପାରିଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ କିଙ୍ଗଫିସର୍‌ ଏୟାରଲାଇନ୍‌ସକୁ ଉଦ୍ଧାର କରିବା ପାଇଁ ମାଲ୍ୟା କୌଣସି ପଦକ୍ଷେପ ନେଇନଥିଲେ। ସେତେବେଳେ ତାଙ୍କ କଂପାନି ୟୁନାଇଟେଡ୍‌ ବ୍ରି‌ୱେରିଜ୍ ଓ ଗ୍ରୁପ୍‌ ଅଧୀନରେ ଥିବା ଅନ୍ୟ କଂପାନିଗୁଡ଼ିକ ଲାଭ କରୁଥିଲେ। ସେହି ସବୁ କଂପାନିରୁ ଟଙ୍କା ଆଣି କିଙ୍ଗଫିସର୍‌ ଏୟାରଲାଇନ୍ସରେ ନିବେଶ କରିବା ପାଇଁ ମାଲ୍ୟା ଉଦ୍ୟମ କରିନଥିଲେ। ପ୍ରତିବଦଳରେ ୩୫୧୬ କୋଟି ଟଙ୍କାକୁ ବିଭିନ୍ନ ଜାଲ୍‌ କଂପାନି ଜରିଆରେ କିଙ୍ଗଫିସର ଏୟାରଲାଇନ୍ସକୁ ଋଣ ଭାବେ ପ୍ରଦାନ କରାଯାଇଥିଲା। ଫଳରେ ଏହି ବିମାନ କଂପାନିର ମୂଲ୍ୟ ଆହୁରି କମିଯାଇଥିଲା। କ୍ଷତିରେ ଚାଲୁଥିବା କିଙ୍ଗଫିସର୍‌ ଏୟାରଲାଇନ୍ସ ଏହାର ସମସ୍ତ ଚମକ ହରାଇଥିଲେ। ଋଣ ପରିଶୋଧ କରିବାର କୌଣସି ଅଭିପ୍ରାୟ ନଥିବାରୁ ମାଲ୍ୟା ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର କରି କଂପାନିର ଋଣକୁ ପୁନର୍ଗଠିତ କରୁଥିଲେ ଓ ଆର୍ଥିକ ଲାଭ ପାଉଥିଲେ। ତଦନ୍ତ‌ ବେଳେ ଏହା ମଧ୍ୟ ଜଣାପଡ଼ିଛି ଯେ, କିଙ୍ଗଫିସର ଏୟାରଲାଇନ୍ସ ନାମରେ ଅଣାଯାଇଥିବା ଋଣ ରାଶିକୁ ଦେଶ ବାହାରକୁ ପଠାଇ ଦିଆଯାଉଥିଲା। ତାହାକୁ କଂପାନି ହିସାବ ଖାତାରେ ପରିଚାଳନାଗତ ଖର୍ଚ ଓ ଲିଜ୍‌ ଭଡ଼ା ଭାବେ ଦର୍ଶାଯାଉଥିଲା।

ସମ୍ବନ୍ଧିତ ଖବର