ମାଲ୍ୟା ଓ ଗୋୟଲଙ୍କୁ ଝଟ୍‌କା: ଡିଆଜିଓକୁ ଶୁଝିବେ ୯୪୫ କୋଟି

ବିଦେଶ ଖସି ଯ‌ିବା‌େବ‌େଳ ଅଟକ

ଲଣ୍ଡନ: ବ୍ରିଟେନ ହାଇକୋର୍ଟରୁ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ଏକ ବଡ଼ ଧକ୍କା ଲାଗିଛି। ବ୍ରିଟେନର ସ୍ପିରିଟ୍ କମ୍ପାନି ଡିଆଜିଓ ମାଲ୍ୟାଙ୍କଠାରୁ ୧୭.୫ କୋଟି ଡଲାର ପାଇବାକୁ ଦାବି କରି ବ୍ରିଟେନ୍ ହାଇକୋର୍ଟରେ ଯେଉଁ ମାମଲା କରିଥିଲା ସେଥିରେ ତାର ବିଜୟ ହୋଇଛି। ଡିଆଜିଓକୁ ୧୩.୫ କୋଟି ଡଲାର ବା ପ୍ରାୟ ୯୪୫ କୋଟି ଟଙ୍କା ଫେରାଇବା ପାଇଁ କୋର୍ଟ ମାଲ୍ୟାଙ୍କୁ ନିର୍ଦେଶ ଦେଇଛନ୍ତି। ମାଲ୍ୟାଙ୍କ ଓକିଲ ଅଦାଲତରେ ଯୁକ୍ତି ବାଢ଼ିଥିଲେ ଯେ, ଚୁକ୍ତି ସମୟରେ ଡିଆଜିଓକୁ ମୌଖିକ ଭାବେ କୁହାଯାଇଥିଲା ‌ଏତେ ଶୀଘ୍ର କମ୍ପାନି କୌଣସି ଅର୍ଥ ଦାବି କରିବ ନାହିଁ। ତେବେ ଅଦାଲତ ମାଲ୍ୟାଙ୍କ ଓକିଲଙ୍କ ଯୁକ୍ତିକୁ ଖାରଜ କରି ସୁଧ ସହିତ ଡିଆଜିଓର ଅର୍ଥ ପରିଶୋଧ କରିବା ଲାଗି ନିର୍ଦେଶ ଦେଇଛନ୍ତି।

ମାଲ୍ୟାଙ୍କ କମ୍ପାନିରେ ଅଂଶଧନ କିଣିବା ଲାଗି ଡିଆଜିଓ ଅର୍ଥ ପଇଠ କରିଥିଲା। କିନ୍ତୁ ଏହି କମ୍ପାନିକୁ ଅଂଶଧନ ମିଳି ନଥିଲା। ମାମଲାରେ ବିଜୟ ହୋଇଥିବାରୁ ଡିଆଜିଓର ପ୍ରବକ୍ତା ଡାମିନିକ୍ ରେଡଫର୍ନ ଖୁସି ବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କିଙ୍ଗଫିସର ଏୟାରଲାଇନ୍ସ ମାମଲାରେ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ସଂକ୍ରାନ୍ତ ମାମଲାର ଶୁଣାଣି ଆସନ୍ତା ଜୁଲାଇ ୨ ତାରିଖରେ ହେବ। କିଙ୍ଗି ଫିସର ଏୟାରଲାଇନ୍ସ ପାଇଁ ନେଇଥିବା ପ୍ରାୟ ୯ ହଜାର କୋଟି ଟଙ୍କା ଋଣ ପରିଶୋଧ ନକରି ଦୀର୍ଘଦିନ ହେଲା ମାଲ୍ୟା ବିଦେଶ ପଳାଇଛନ୍ତି। କିଛିମାସ ପୂର୍ବେ ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ତାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରିଛି।

ମୁମ୍ବାଇ: ଜେଟ୍ ଏୟାରୱେଜ୍‌ର ପୂର୍ବତନ ଅଧ୍ୟକ୍ଷ ନରେଶ ଗୋୟଲ ଏବଂ ତାଙ୍କ ପତ୍ନୀ ଅନୀତା ଗୋୟଲ ବିଦେଶ ଯାତ୍ରା କରିବା ପୂର୍ବରୁ ସେମାନଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଅଟକାଯାଇଛି। ଇମିଗ୍ରେସନ କାର୍ଯ୍ୟାଳୟର ଅଧିକାରୀମାନେ ସେମାନଙ୍କୁ ଅଟକାଇ ଦେବା ଫଳରେ ସେମାନଙ୍କ ବିମାନ ଯାତ୍ରା ସମ୍ଭବ ହୋଇପାରି ନାହିଁ। ଅନୀତା ମଧ୍ୟ ଜେଟ୍ ଏୟାରୱେଜ୍‌ର ନିର୍ଦେଶକ ରହିଥିଲେ। ସୂଚନା ଅନୁଯାୟୀ ଗୋୟଲ ଦମ୍ପତି ଏମିରେଟ୍ସ ବିମାନରେ ଲଣ୍ଡନ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଥିଲା। ବିମାନ ଉଡ଼ାଣ ଆରମ୍ଭ କରିବାକୁ ଟ୍ୟାକ୍ସିୱେରେ ପହଞ୍ଚି ସାରିଥିଲା। କିନ୍ତୁ ଇମିଗ୍ରେସନ ଅଧିକାରୀମାନେ ଉଡ଼ାଣକୁ ଅଟକାଇବାକୁ କହିବା ସହିତ ଗୋୟଲ ଦମ୍ପତିଙ୍କୁ ନିଜ ହେପାଜତକୁ ନେଇଥିଲେ। ଉଲ୍ଲେଖ ଯୋଗ୍ୟ, ଏବେ ବନ୍ଦ ହୋଇ ଯାଇଥିବା ଜେଟ୍ ଏୟାରୱେଜ୍ ଉପରେ ପ୍ରାୟ ୮୦୦୦ କୋଟି ଟଙ୍କାର ଋଣ ବୋଝ ରହିଛି। ଏଥିସହିତ ନରେଶଙ୍କ ବିରୋଧରେ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ଲୁକ୍ ଆଉଟ୍ ନୋଟିସ୍ ମଧ୍ୟ ଜାରି ହୋଇଛି।

ସମ୍ବନ୍ଧିତ ଖବର