୩୦୦ ବ୍ୟାଗ୍ ନେଇ ଦେଶ ଛାଡ଼ିଥିଲେ ମାଲ୍ୟା

ମୁମ୍ବାଇ: ଏକଦା ବିଳାସବ୍ୟସନରେ ଜୀବନ କାଟୁଥିବା ରଙ୍ଗିଲା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଦେଶ ଛାଡ଼ିବା ବେଳେ ନିଜ ସହିତ ୩୦୦ ବ୍ୟାଗ୍‌ ଓ ଆହୁରି ଅନେକ ସାମଗ୍ରୀ ନେଇଥିଲେ। ଆଜି ମୁମ୍ବାଇର ଏକ ଅଦାଲତରେ ଚାଲିଥିବା ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଏହି ମାମଲାର ଶୁଣାଣି ବେଳେ ମାଲ୍ୟାଙ୍କ ଓକିଲ ଅମିତ ଦେଶାଇ କହିଥିଲେ ଯେ, ମାଲ୍ୟା ଦେଶରୁ ପଳାୟନ କରିନାହାନ୍ତି। ଭେନେଭାର ଏକ ବୈଠକରେ ଯୋଗ ଦେବାକୁ ସେ ଭାରତ ବାହାରକୁ ଯାଇଥିଲେ। ଏହାର ଉତ୍ତରରେ ଇଡି ତରଫରୁ ମାମଲା ପରିଚାଳନା କରୁଥିବା ଓକିଲ ଡି ଏନ୍ ସିଂହ ପ୍ରଶ୍ନ କରିଥିଲେ ଯେ, ବୈଠକରେ ଯୋଗ ଦେବାକୁ ୩୦୦ ବ୍ୟାଗ୍‌ ଓ ବିପୁଳ ପରିମାଣର ସାମଗ୍ରୀ ନେଇ କିଏ ଯାତ୍ରା କରେ? ବୈଠକରେ ଯୋଗଦେବାକୁ ମାଲ୍ୟା ଯାଇଥିଲେ ବୋଲି କୌଣସି ପ୍ରମାଣ ଏପର୍ଯ୍ୟନ୍ତ କୋର୍ଟରେ କାହିଁକି ଉପସ୍ଥାପନ କରାଯାଉନାହିଁ? ଅଦାଲତରେ ଇଡି ପକ୍ଷରୁ ମାଲ୍ୟାଙ୍କୁ ଅର୍ଥନୈତିକ ପଳାତକ ଅପରାଧୀ ଘୋଷଣା କରିବା ଦାୟର ମାମଲାର ଶୁଣାଣି ବେଳେ ଦୁଇ ପକ୍ଷର ଓକିଲଙ୍କ ମଧ୍ୟରେ ଏହି ବିତର୍କ ହୋଇଥିଲା। ଏହା ପୂର୍ବରୁ ମାଲ୍ୟାଙ୍କ ଓକିଲ କୋର୍ଟଙ୍କୁ ଅବଗତ କରିଥିଲେ ଯେ, ମାଲ୍ୟାଙ୍କ ପାଖରେ ଆଉ କୌଣସି ମୂଲ୍ୟବାନ ସମ୍ପତ୍ତି ନାହିଁ। ସବୁ କିଛି ଜବତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ବ୍ରିଟେନ୍‌ରେ ମାଲ୍ୟା ପ୍ରତ୍ୟର୍ପଣ ମାମଲାକୁ ହାରି ଚିନ୍ତାରେ ପଡ଼ିଯାଇଛନ୍ତି।

ଦାମୀ ଘଣ୍ଟା, କାର୍‌ ସବୁ ହରାଇଲେ
ଇତି ମଧ୍ୟରେ ମାଲ୍ୟାଙ୍କ ପ୍ରାୟ ସବୁ ମୂଲ୍ୟବାନ ସମ୍ପତ୍ତି ଜବତ ହୋଇଯାଇଛି। ତାଙ୍କ ପାଖରେ ୯୫ ଲକ୍ଷ ଟଙ୍କାର ରୋଲ୍‌ସ ରଏସ୍‌ ଫାଣ୍ଟମ୍, ଏକ ମିନି କୁପର, ରେଞ୍ଜ ରୋଭର୍‌, ଏକ ବେଣ୍ଟଲି ଟର୍ବୋ ଆର୍‌ ୧୯୯୧ ଓ ତିନିଟି ଫେରାରି ଥିଲା। ତାଙ୍କ ପାଖରେ ଥିବା ସବୁ କାର୍‌ର ସମୁଦାୟ ମୂଲ୍ୟ ହେଉଛି ୧୬ କୋଟି ଟଙ୍କା। ସେହିପରି ୮ କୋଟି ଟଙ୍କାର ଏକ ୟାଚ୍‌ ସମେତ ମୋଟ ତିନିଟି ୟାଚ୍‌ ଥିଲା। ସେ କାନରେ ପିନ୍ଧିଥିବା ହୀରା ରିଙ୍ଗ୍‌ର ମୂଲ୍ୟ ୩ କୋଟି ଟଙ୍କା ଥିଲା। ଏହି ସବୁ ସମ୍ପତ୍ତି ଏବେ ବ୍ରିଟେନ୍‌ର ଅଦାଲତରେ ଜବତ ରହିଛି। ତାଙ୍କ ପାଖରେ ଥିବା ଦାମୀ ଫେରାରି, ପୋର୍ସି ଓ ମେବ୍ୟାଚ୍‌ ଭଳି କାର୍‌, ଦାମୀ ଗହଣା ଓ ହାତଘଣ୍ଟା ସବୁ କିଛିକୁ ସେ ଲଣ୍ଡନର ଅଦାଲତକୁ ଦେଇଦେଇଛନ୍ତି। ପୂର୍ବରୁ ମାଲ୍ୟାଙ୍କ ବେକରେ ୧୦ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ସୁନା ଚେନ୍, ଆଙ୍ଗୁଠିରେ ହୀରା ମୁଦି, ହାତରେ ହୀରା ବ୍ରେସ୍‌ଲେଟ୍‌ ଓ ବୀମା ଘଣ୍ଟା ଶୋଭାପାଉଥିଲା। ସେ ପିନ୍ଧୁଥିବା ଘଣ୍ଟାଗୁଡ଼ିକର ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ ଥିଲା। ନିଜ ପାଖରେ ଥିବା ୯ଟି ଦାମୀ କାର୍, ତିନିଟି ୟାଚ୍‌, ସାତଟି ଦାମୀ ଗହଣା, ନଅଟି ଘଣ୍ଟା, ଦୁଇଟି ରତ୍ନ ପଥର ଓ ୧୨ଟି ଖଣ୍ଡା ଓ ଦୁଇଟି ଢାଲ ବିଶିଷ୍ଟ ଏକ ପ୍ରାଚୀନ ସାମଗ୍ରୀକୁ ମାଲ୍ୟା ବ୍ରିଟେନ୍‌ର ଅଦାଲତରେ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର