ବ୍ରିଟେନ୍‌ରେ ମାଲ୍ୟାଙ୍କୁ ଝଟ୍‌କା, ପ୍ରତ୍ୟର୍ପଣ ବିରୋଧରେ ଆବେଦନ ପାଇଁ ମିଳିଲାନି ଅନୁମତି

ଲଣ୍ଡନ: ବ୍ୟାଙ୍କଗୁଡ଼ିକର ଋଣ ଅର୍ଥ ହଡ଼ପ କରି ଦେଶ ଛାଡ଼ି ଚାଲିଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ୍‌ କୋର୍ଟରେ ଜବରଦସ୍ତ ଝଟ୍‌କା ଲାଗିଛି। ତାଙ୍କୁ ଭାରତ ପ୍ରତ୍ୟର୍ପଶ କରିବାକୁ ବ୍ରିଟେନ୍‌ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ସେ ବ୍ରିଟେନ ହାଇକୋର୍ଟରେ ଆବେଦନ କରିବାକୁ ଅନୁମତି ଲୋଡ଼ିଥିଲେ। ‌େକାର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଭାରତ ନଫେରିବା ପାଇଁ ମାଲ୍ୟାଙ୍କ ଶେଷ ପ୍ରୟାସ ମଧ୍ୟ ‌ବିଫଳ ହୋଇଛି। ଏଥି ସହିତ ତାଙ୍କୁ ଦେଶକୁ ଫେରାଇ ଆଣିବା ସମ୍ଭାବନା ବଢ଼ିଯାଇଛି। ଏବେ ମାଲ୍ୟାଙ୍କ ଏହି ମାମଲାର କେବଳ ମୌଖିକ ଶୁଣାଣି ବାକି ରହିଛି। ଗତବର୍ଷ ଡିସେମ୍ବର ୯ରେ ବ୍ରିଟେନ୍‌ର ୱେଷ୍ଟମିନିଷ୍ଟର୍‌ଙ୍କ ଅଦାଲତ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାର କିଛି ଦିନ ପରେ ବ୍ରିଟେନ୍‌ର ଗୃହ ମନ୍ତ୍ରୀ ସାଜିଦ ଭାବିଦ୍‌ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରିବା ନିର୍ଦେଶରେ ମୋହର ମାରିଥିଲେ। ସେହି ନିର୍ଦେଶକୁ ବିରୋଧ କରି ମାଲ୍ୟା ବ୍ରିଟେନ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଚାହୁଥିଲେ। ସେଥିପାଇଁ କୋର୍ଟଙ୍କ ଅନୁମତି ଲୋଡ଼ିଥିଲେ। ଏବେ ମାଲ୍ୟାଙ୍କ ପାଖରେ ଆଉ ଦୁଇଟି ବିକଳ୍ପ ରହିଛି। ପ୍ରଥମଟି ହେଉଛି ଆସନ୍ତା ୫ଟି କାର୍ଯ୍ୟଦିବସ ଭିତରେ ତାଙ୍କୁ ମୌଖିକ ଶୁଣାଣି ପାଇଁ ଆବେଦନ କରିବାକୁ ହେବ କିମ୍ବା ସେ ପୁଣି ଥରେ ଏକ ଲିଖିତ ଆବେଦନ କରି ଅନୁମତି ଭିକ୍ଷା କରିବେ। ମୌଖିକ ଶୁଣାଣି ବେଳେ ମାଲ୍ୟାଙ୍କ ଆଇନଜୀବୀ ଟିମ୍ ଏବଂ ଭାରତ ସରକାରଙ୍କ ପାଇଁ ମାମଲା ପରିଚାଳନା କରୁଥିବା କ୍ରାଉନ୍‌ ପ୍ରସିକ୍ୟୁସନ୍ ସର୍ଭିସ୍‌ (ସିପିଏସ୍‌)ର ଟିମ୍ ରହିବେ। ସେହିଠାରେ ଏହି ମାମଲାର ପୂର୍ଣ୍ଣାଙ୍ଗ ଶୁଶାଣି ଆବଶ୍ୟକ ନା ନାହିଁ ତାହାର ନିଷ୍ପତ୍ତି ବିଚାରପତି ଗ୍ରହଣ କରିବେ।

କୁବେର ଭଳି ଧନୀ ଥିବା ମାଲ୍ୟାଙ୍କ ଖରାପ ବେଳା ଆରମ୍ଭ ହେବା ଦିନଠାରୁ ତାଙ୍କ ସମ୍ପତ୍ତି ପରିମାଣ ବହୁତ କମିଯାଇଛି। ତାଙ୍କର ଅନେକ ସମ୍ପତ୍ତିକୁ ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ଜବତ କରିଛନ୍ତି। ପରିସ୍ଥିତି ଏତେ ଖରାପ ହେବା ସତ୍ତ୍ବେ ମାଲ୍ୟା ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣୁନାହାନ୍ତି। ପୂର୍ବଭଳି ସେ ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି। ଏହା ଜଣାପଡ଼ିବା ପରେ ମାଲ୍ୟାଙ୍କ ମାସିକ ଖର୍ଚ ପରିମାଣ କମ୍ କରିବାକୁ ପ୍ରତିପକ୍ଷ ଆଇନଜୀବୀ କିଛି ଦିନ ତଳେ କୋର୍ଟଙ୍କୁ ଅବଗତ କରିଥିଲେ। ମାଲ୍ୟା ସପ୍ତାହକୁ ୧୮,୩୦୦ ପାଉଣ୍ଡ ଖର୍ଚ କରୁଛନ୍ତି। କେବଳ ରାସନ ସାମଗ୍ରୀ କିଣାକିଣିରେ ସେ ସପ୍ତାହକୁ ୧୦୦୦ ପାଉଣ୍ଡ ଖର୍ଚ କରୁଥିବା ଜଣାପଡ଼ିଛି। ଭାରତରେ ମାଲ୍ୟାଙ୍କୁ ଅର୍ଥନୈତିକ ପଳାତକ ଅପରାଧୀ ଘୋଷଣା କରାଯାଇଛି। ଏହା ପରେ ଭାରତରେ ଥିବା ତାଙ୍କ ସମ୍ପତ୍ତିଗୁଡ଼ିକୁ ଜବତ କରାଯାଇଛି। ମାଲ୍ୟାଙ୍କ ପାଇଁ ଗୋଟିଏ ପରେ ଗୋଟିଏ ପ୍ରାୟ ସବୁ ବାଟ ବନ୍ଦ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର