ପୁଣି ମୁହଁ ଖୋଲିଲେ ମାଲ୍ୟା: ଋଣ ନୁହେଁ, ମୋତେ ନେବାକୁ ଭାରତ ଆଗ୍ରହୀ

ପ୍ରତ୍ୟର୍ପଣ ରାୟକୁ ଉଚ୍ଚ ଅଦାଲତରେ ଚାଲେଞ୍ଜ କରିବେ

ନୂଆଦିଲ୍ଲୀ: କିଙ୍ଗ ଫିସର୍‌ ଏୟାରଲାଇନ୍ସ ପାଇଁ ବ୍ୟାଙ୍କ ଗୁଡ଼ିକଠାରୁ ଋଣ ନେଇ ପରିଶୋଧ କରି ନଥିବା ବିଜୟ ମାଲ୍ୟା ଭାରତ ସରକାରଙ୍କ ଋଣ ଆଦାୟ ଆଭିମୁଖ୍ୟକୁ ପୁଣି ସମାଲୋଚନା କରିଛନ୍ତି। ସରକାରଙ୍କ ଋଣ ଆଦାୟର ଆନ୍ତରିକତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସରକାର ଋଣ ଆଦାୟ କରିବା ପରିବର୍ତ୍ତେ ମୋତେ ନେ‌ବା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି ବୋଲି ମାଲ୍ୟା ଘରୋଇ ଟିଭି ଚ୍ୟାନେଲ ଏନଡିଟିଭିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି। ଋଣ ଠକେଇର ତଦନ୍ତକୁ ସାମ୍ନା କରିବା ପାଇଁ ନିକଟ ଭବିଷ୍ୟତରେ ସେ ଭାରତକୁ ଆସିବା ସମ୍ଭାବନା ରହିଛି। ନିକଟରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ତେବେ ୱେଷ୍ଟମିନିଷ୍ଟର କୋର୍ଟ ଦେଇଥିବା ରାୟ ବିରୋଧରେ ସେ ଉପର ଅଦାଲତରେ ଆବେଦନ କରିବେ ବୋଲି ମଧ୍ୟ କହିଛନ୍ତି। ତାଙ୍କ ପାଇଁ ମାମଲା ଏବେ ଯେଉଁ ଆଇନଜୀବୀ ପରିଚାଳନା କରୁଛନ୍ତି ସେମାନେ ମଧ୍ୟ ଉପର ‌କୋର୍ଟରେ ମାମଲା ପରିଚାଳନା କରିବେ। ତେବେ କୋର୍ଟ ବାହାରେ ‌ଋଣ ପରିଶୋଧ ପାଇଁ ବହୁ ପୂର୍ବରୁ ଉତ୍ତମ ପ୍ରସ୍ତାବ ଦେଇ ପାରିଥାନ୍ତେ କି ବୋଲି ପ୍ରଶ୍ନରେ ‌ମାଲ୍ୟା କହିଛନ୍ତି, ଋଣ ପରିଶୋଧ ପାଇଁ ମୁଁ ୨୦୧୬ ପ୍ରାରମ୍ଭରୁ ପ୍ରସ୍ତାବ ଦେଇ ଆସୁଛି। ଏପରିକି ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଏହି ପ୍ରସ୍ତାବ ଦେଇଛି। ତେବେ ମୁଁ ଦେଇଥିବା ପ୍ରତ୍ୟେକ ପ୍ରସ୍ତାବକୁ ଗ୍ରହଣ ନକରିବା ଲାଗି ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ ଏହାହେଲେ ସିବିଆଇ ଓ ଇଡି ମୋତେ ଅଭିଯୁକ୍ତ କରି ପାରି ନଥାନ୍ତେ। ଏବେ ମୋର ସମ୍ପତ୍ତିକୁ ନେଇ ଇଡି ଓ ବ୍ୟାଙ୍କ ଲଢ଼େଇ କରୁଛନ୍ତି। ଏହାକୁ ଦେଖି ମୁଁ କର୍ଣ୍ଣାଟକ ହାଇକୋର୍ଟ ନିକଟରେ ମୋର ଋଣ ପରିଶୋଧ ପ୍ରସ୍ତାବ ଦାଖଲ କରିଥିଲି। ସେହି ସମ୍ପତ୍ତିକୁ ବିକ୍ରି କରି କର୍ମଚାରୀ, ବ୍ୟାଙ୍କ ଆଦିଙ୍କ ଅର୍ଥ ପରିଶୋଧ କରାଯାଇ ପାରିଥାନ୍ତା ବୋଲି ମାଲ୍ୟା କହିଛନ୍ତି।

ଭାରତ ସରକାର ଏପର୍ଯ୍ୟନ୍ତ ଆପଣଙ୍କ ଋଣ ବାବଦ ଅର୍ଥ ଆଦାୟ ନକରିବା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଛି କି ବୋଲି ପ୍ରଶ୍ନରେ ସେ କହିଛନ୍ତି, ଜନସାଧାରଣଙ୍କ ଟଙ୍କା ଆଦାୟ କରିବା ପରିବର୍ତ୍ତେ ଭାରତ ମୋର ଉପସ୍ଥିତିକୁ ଅଧିକ ଗୁରୁତ୍ବ ଦେଉଛି। ମାଲ୍ୟା ଏହା କହିଛନ୍ତି, ୧୯୮୮ ମସିହାରୁ ସେ ଜଣେ ପ୍ରବାସୀ ଭାରତୀୟ ହେବା ସହିତ ୧୯୯୨ ମସିହାରୁ ବ୍ରିଟେନର ସ୍ଥାୟୀ ବାସିନ୍ଦା ହୋଇସାରିଛନ୍ତି। ୨୦୦୨ରେ ସେ ଯେତେବେଳେ ସଂସଦକୁ ନିର୍ବାଚିତ ହେଲେ ସେତେବେଳେ ବିଜେପି ତାଙ୍କ ବିରୋଧରେ ନିର୍ବାଚନ କମିସନ ଓ କର୍ଣ୍ଣାଟକ ହାଇକୋର୍ଟକୁ ଯାଇଥିଲା। ଦୁଇଟି ଯାକ ମାମଲାରେ ସେ ବିଜୟୀ ହୋଇଥିଲେ। ୧୯୯୨ ମସିହାରୁ ମୋର ମୂଳ ଘର ଭାରତ ବୋଲି ଯାହା କୁହାଯାଉଛି ତାହା ଠିକ୍ ନୁହେଁ । ମୋର ମୂଳ ଘର ବ୍ରି‌ଟେନ୍ ହୋଇଥିବାବେଳେ ମୁଁ ଭାରତ ଛାଡ଼ି ପଳାଇଛି ବୋଲି ଯେଉଁ କାହାଣୀ କୁହାଯାଉଛି ତାହା ସେ ବୁଝିପାରୁନାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର