ମାଲ୍ୟାଙ୍କୁ ଡବଲ୍‌ ଝଟ୍‌କା:• ବ୍ରିଟେନ୍‌ରେ କେସ୍‌ ହାରିଲେ • ଭାରତରେ ସମ୍ପତ୍ତି ଜବତ ନିର୍ଦେଶ

ନୂଆଦିଲ୍ଲୀ: ପ୍ରାୟ ୯ ହଜାର କୋଟିରୁ ଊର୍ଧ୍ୱ ଟଙ୍କାର ବ୍ୟାଙ୍କ ଋଣ ପରିଶୋଧ ନକରି ଦେଶ ଛାଡ଼ି ଲଣ୍ଡନ ପଳାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଡବଲ ଅଦାଲତି ଝଟ୍‌କା ଲାଗିଛି। ଗୋଟିଏ ପଟେ ଭାରତରେ ଏକ କୋର୍ଟ ତାଙ୍କ ସମ୍ପତ୍ତି ଜବତ ପାଇଁ ଆଜି ପୁନଃ ଆଦେଶ ଦେଇଛନ୍ତି। ଅନ୍ୟପଟେ ମାଲ୍ୟାଙ୍କ ଠାରୁ ୧.୫୫ ବିଲିଅନ୍‌ ଡଲାରର ଋଣ ରାଶି ଅସୁଲ ପାଇଁ ଭାରତୀୟ କୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ କରି ମାଲ୍ୟା ଲଣ୍ଡନ୍‌ରେ କରିଥିବା ଆବେଦନକୁ ସେଠାକାର କୋର୍ଟ ଖାରଜ କରିଦେଇଥିବା ଜଣାଯାଇଛି।
ଦିଲ୍ଲୀର ଚିଫ୍‌ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ଦୀପକ ସେରାଓ୍ଵତ୍‌ ଆଜି ମାଲ୍ୟାଙ୍କ ସମ୍ପତ୍ତି ଜବତ ପାଇଁ ପୁନଃ ଆଦେଶ ପ୍ରଦାନ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସ୍ୱତନ୍ତ୍ର ସରକାରୀ ଓକିଲ ଏନ୍‌. କେ. ମତ୍ତ ଅଦାଲତରେ ଯୁକ୍ତି ଦର୍ଶାଇଥିଲେ ଯେ ପୂର୍ବରୁ ସମ୍ପତ୍ତି ଜବତ ପାଇଁ ଯେଉଁ ଏଜେନ୍ସି ଗୁଡ଼ିକୁ ନିର୍ଦେଶ ଦିଆଯାଇଥିଲା ସେମାନଙ୍କ ଠାରୁ କୌଣସି ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ। ଏହାପରେ ବିଚାରପତି ମାଲ୍ୟାଙ୍କ ସମ୍ପତ୍ତି ଜବତ ନେଇ ପୁନଃ ନିର୍ଦେଶନାମା ଜାରି କରିଛନ୍ତି। ବିଚାରପତି ସରକାରୀ ଓକିଲଙ୍କ ମନ୍ତବ୍ୟକୁ ରେକର୍ଡ କରିବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୫ରେ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ କୋର୍ଟ ଗତ ମାର୍ଚ୍ଚ ୨୭ ତାରିଖରେ ମାଲ୍ୟାଙ୍କ ସମ୍ପତ୍ତିକୁ ବେଙ୍ଗାଲୁରୁର ପୁଲିସ କମିସନ୍‌ରଙ୍କ ମାଧ୍ୟମରେ ଜବତ ପାଇଁ ନିର୍ଦେଶ ଦେଇଥିଲେ। ନିର୍ଦେଶ କାର୍ଯ୍ୟକାରୀ ହେବା ନେଇ ରିପୋର୍ଟ ଆଜି ସୁଦ୍ଧା ଦାଖଲ କରିବାକୁ କୁହାଯାଇଥିଲା। ବିଦେଶୀ ମୁଦ୍ରା ନିୟନ୍ତ୍ରଣ ଆଇନ ଉଲ୍ଲଂଘନ ମାମଲାରେ ହୋଇଥିବା ସମନ୍‌ ଅନୁଯାୟୀ ହାଜର ହେଉ ନଥିବାରୁ ଅଦାଲତ ମାଲ୍ୟାଙ୍କୁ ଗତ ଜାନୁଆରି ୪ ତାରିଖରେ ଜଣେ ପଳାତକ ଅପରାଧୀ ଭାବେ ଘୋଷଣା କରିଥିଲେ। ଏହାପରେ ଏପ୍ରିଲ ୧୨ରେ ତାଙ୍କ ବିରୋଧରେ ଓପନ ଏଣ୍ଡେଡ୍‌ ଏନ୍‌ବିଡବ୍ଲ୍ୟୁ ଜାରି କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଏପ୍ରକାର ଏନ୍‌ବିଡବ୍ଲ୍ୟୁକୁ କାର୍ଯ୍ୟକାରୀ କରିବା ନେଇ କୌଣସି ସମୟ ସୀମା ନଥାଏ। ଏହା ପୂର୍ବରୁ ୨୦୧୬ ନଭେମ୍ବର ୪ରେ ମାଲ୍ୟାଙ୍କ ବିରୋଧରେ ଏନ୍‌ବିଡବ୍ଲ୍ୟୁ ଜାରି ହୋଇଥିଲା। ସେହି ସମୟରେ କୋର୍ଟ ଏହା ମଧ୍ୟ କହିଥିଲେ ଯେ, ଭାରତକୁ ଫେରିବା ନେଇ ତାଙ୍କର ଆଗ୍ରହ ନାହିଁ। ଏଥିସହିତ ଭାରତର ଆଇନ ପ୍ରତି ତାଙ୍କର ସାମାନ୍ୟତମ ସମ୍ମାନ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଲଣ୍ଡନ୍‌ ଏବଂ ୟୁରୋପର ଅନ୍ୟ ଦେଶଗୁଡ଼ିକରେ ଆୟୋଜିତ ଫର୍ମୁଲା ଓ୍ଵାନ୍‌ ଓ୍ଵାର୍ଲଡ ଚମ୍ପିଅନ୍‌ସିପ୍‌ରେ କିଙ୍ଗ୍‌ଫିସର ଏୟାରଲାଇନ୍ସର ଲୋଗୋ ପ୍ରଦର୍ଶନ ଲାଗି ମାଲ୍ୟା ଏକ ବ୍ରିଟିସ କମ୍ପାନିକୁ ୨ ଲକ୍ଷ ଡଲାର ପ୍ରଦାନ କରିଥିଲେ। ରିଜର୍ଭ ବ୍ୟାଙ୍କର ପ୍ରାକ୍‌ ଅନୁମତି ନନେଇ ବିଦେଶୀ ମୁଦ୍ରା ପରିଚାଳନା ଆଇନକୁ ଉଲ୍ଲଂଘନ କରି ମାଲ୍ୟା ଏହି ଅର୍ଥ ପଇଠ କରିଥିବା ଅଭିଯୋଗ ହୋଇଥିଲା।
ସେହିଭଳି ଭାରତରେ ଆଇଡିବିଆଇ ସମେତ ଅନ୍ୟ କେତେକ ବ୍ୟାଙ୍କର ଋଣ ଠକେଇ ମାମଲାରେ ମଧ୍ୟ ଲଣ୍ଡନ୍‌ କୋର୍ଟରେ ମାଲ୍ୟାଙ୍କୁ ଧକ୍କା ଲାଗିଛି। ବିଚାରପତି ଆଣ୍ଡ୍ରିୟୁ ହେନ୍‌ସ କହିଛନ୍ତି ଆଇଡିବିଆଇ ସମେତ ଅନ୍ୟ ବ୍ୟାଙ୍କ ଗୁଡ଼ିକ ଭାରତୀୟ କୋର୍ଟ ଦେଇଥିବା ଆଦେଶକୁ କାର୍ଯ୍ୟକାରୀ କରିପାରିବେ। ମାଲ୍ୟାଙ୍କ ସମ୍ପତ୍ତି ଜବତ ପାଇଁ ଦିଆଯାଇଥିବା ଆଦେଶକୁ ରଦ୍ଦ କରିବା ପାଇଁ ମଧ୍ୟ ବିଚାରପତି ମନା କରିଦେଇଛନ୍ତି। ମାଲ୍ୟାଙ୍କ ସମ୍ପତ୍ତି ଜବତ ହେବା ପରେ ସେ ଏବେ ସପ୍ତାହକୁ ପ୍ରାୟ ୨୦ ହଜାର ପାଉଣ୍ଡରେ ଜୀବନ ନିର୍ବାହ କରୁଛନ୍ତି। କିଙ୍ଗ୍‌ଫିସର ଏୟାରଲାଇନ୍ସର ୧.୪ ବିଲିଅନ ଡଲାରର ଋଣ ମାଲ୍ୟା ଜାଣିଶୁଣି ପରିଶୋଧ କରି ନଥିବା ମାମଲାର ବିଚାର ଲଣ୍ଡନର ଏହି ଅଦାଲତରେ ହୋଇଥିଲା। ଏହି ମାମଲାରେ ବ୍ୟାଙ୍କ ଗୁଡ଼ିକ ମାଲ୍ୟାଙ୍କଠାରୁ ଭାରତୀୟ ବ୍ୟାଙ୍କ ଗୁଡ଼ିକ ୧.୫୫ ବିଲିଅନ ଡଲାର ଆଦାୟ ଲାଗି ପ୍ରଚେଷ୍ଟା ଚଳାଇଛନ୍ତି।

ସମ୍ବନ୍ଧିତ ଖବର