ଟାଟା ଟ୍ରଷ୍ଟ୍‌ସ୍‌ରୁ ହଟିଲେ ମ୍ୟାନେଜିଂ ଟ୍ରଷ୍ଟି

ନୂଆଦିଲ୍ଲୀ: ଟାଟା ଟ୍ରଷ୍ଟ୍‌ସ୍‌ରୁ ଏହାର ମ୍ୟାନେଜିଂ ଟ୍ରଷ୍ଟି ଆର୍‌ ଭେଙ୍କଟରମଣନ୍ ଇସ୍ତଫା ପ୍ରଦାନ କରିଛନ୍ତି। ଚଳିତ ବର୍ଷ ମାର୍ଚ ୩୧ ପରେ ସେ ନିଜ ପଦରୁ ଓହରିଯିବେ। ଅନ୍ୟ କାମ କରିବାକୁ ଚାହୁଁଥିବାରୁ ଭେଙ୍କଟରମଣନ୍ ଇସ୍ତଫା ଦେଇଛନ୍ତି ବୋଲି ଟାଟା ଟ୍ରଷ୍ଟସ୍‌ ପକ୍ଷରୁ କୁହାଯାଇଛି। ଟାଟା ଟ୍ରଷ୍ଟସ୍‌ର ଟ୍ରଷ୍ଟି କମିଟିରେ ଏହାର ଅଧ୍ୟକ୍ଷ ରତନ ଟାଟା ଏବଂ ଉପାଧ୍ୟକ୍ଷ ବେଣୁ ଶ୍ରୀନିବାସନ ଓ ବିଜୟ ସିଂହ ରହିଛନ୍ତି। ଟ୍ରଷ୍ଟ୍‌ କାମର ଦେଖାଶୁଣା କରିବା ପାଇଁ ଖୁବ୍‌ଶୀଘ୍ର ଜଣେ ସିଇଓଙ୍କୁ ନିଯୁକ୍ତି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। କେତେକ କାରଣ ପାଇଁ ଭେଙ୍କଟରମଣନ ବିବା‌ଦୀୟ ଥିଲେ। ଏୟାର ଏସିଆ ଇଣ୍ଡିଆ ପାଇଁ ଆନ୍ତର୍ଜାତିକ ଉଡ଼ାଣ ଲାଇସେନ୍ସ ହାସଲ କରିବା ନିମନ୍ତେ ସରକାରୀ କଳକୁ ପ୍ରଭାବିତ କରିବାକୁ ସେ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ତାଙ୍କ ପଛରେ ସିବିଆଇ ତଦନ୍ତ ଆରମ୍ଭ ହେବ ବୋଲି ଗତବର୍ଷ ଚର୍ଚା ହୋଇଥିଲା। ଏହା ବ୍ୟତୀତ ଭେଙ୍କଟରମଣନଙ୍କୁ ଟାଟା ପକ୍ଷରୁ ମୋଟା ଅଙ୍କର ବତେନ ପ୍ରଦାନ କରାଯାଉଥିଲା। ସେହି କାରଣ ଯୋଗୁ ଟାଟା ଟ୍ରଷ୍ଟସ୍‌କୁ ଟିକସରେ ଯେଉଁ ଛାଡ଼ ମିଳୁଥିଲା ତାହାକୁ ପ୍ରତ୍ୟାହାର କରିନିଆଯାଇଛି। ଏହି ଦୁଇ ବିଷୟ ଭେଙ୍କଟରମଣନ୍‌ଙ୍କ ଇସ୍ତଫାର କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର