ମନରେଗା ମଜୁରି ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ର ମଜୁରିରେ ବୃଦ୍ଧି ଘୋଷଣା କରାଯାଇଛି। ୨୦୧୯-୨୦ ପାଇଁ ମନରେଗା ମଜୁରିରେ ୨-୮.୭୬% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ନିର୍ବାଚନ କମିସନଙ୍କ ଅନୁମତି ଗ୍ରହଣ କରାଯିବା ପରେ ମଜୁରି ବୃଦ୍ଧି କରାଯାଇଛି। ଯେହେତୁ ଲୋକସଭା ନିର୍ବାଚନ ହେବାକୁ ଯାଉଛି ତେଣୁ ଏବିଷୟରେ କୌଣସି ପ୍ରକାର ପ୍ରଚାର ନକରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ପଶ୍ଚିମବଙ୍ଗ, କର୍ଣ୍ଣାଟକ, କେରଳ ଓ ଗୋଆକୁ ବାଦ ଦେଲେ ପ୍ରାୟ ଅନ୍ୟ ସବୁ ରାଜ୍ୟ ପାଇଁ ମନରେଗା ମଜୁରି ବଢ଼ିଛି। ମିଜୋରାମରେ ମଜୁରି ସର୍ବାଧିକ ୮.୭୬% ବଢ଼ିଛି। ନିର୍ବାଚନ ସମୟରେ ମନରେଗା ମଜୁରି ଘୋଷଣା କରିବା ବିଷୟକୁ କଂଗ୍ରେସ ଓ ସିପିଆଇ-ଏମ୍ ସହଜରେ ଗ୍ରହଣ କରିପାରିନାହାନ୍ତି। ଏଥିପାଇଁ ସରକାରଙ୍କୁ ସେମାନେ ତୀବ୍ର ସମାଲୋଚନା କରିଛନ୍ତି। ମଜୁରି ବୃଦ୍ଧି ବିଷୟରେ ସରକାରଙ୍କ ନିୟନ୍ତ୍ରଣରେ ଥିବା ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡିଓରେ ସମ୍ବାଦ ପରିବେଷଣ କରାଯାଇଥିବାରୁ ବିରୋଧୀ ଦଳଗୁଡ଼ିକ ତାହାକୁ ବିରୋଧ କରିଛନ୍ତି। ସିପିଆଇ-ଏମ୍ କେନ୍ଦ୍ରୀୟ କମିଟି ସଦସ୍ୟ ଗୌତମ ଦାସ ଏହାକୁ ନିର୍ବାଚନ ଆଚରଣବିଧିର ଘୋର ଉଲ୍ଲଂଘନ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର