‘ଖଣି ଉଦ୍ୟୋଗରେ ବିପୁଳ ନିଯୁକ୍ତି ସୁଯୋଗ’

ଭୁବନେଶ୍ୱର: ଦେଶର ଖଣି ଉଦ୍ୟୋଗରେ ବିପୁଳ ନିଯୁକ୍ତି ସୁଯୋଗ ରହିଛି। ବିଶେଷ କରି କ୍ରିଟିକାଲ୍‌ ଅପରେଟରମାନଙ୍କ ପାଇଁ ଏ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି। ଖଣି କ୍ଷେତ୍ରରେ ୬୦ ହଜାର କ୍ରିଟିକାଲ୍‌ ଅପରେଟରଙ୍କ ଅଭାବ ରହିଛି ବୋଲି ନାଲ୍‌କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି। ଖଣି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ରହିଥିବାର ଗୁରୁତ୍ୱକୁ ଲୋକମାନେ ବୁଝିଲେଣି ବୋଲି ସେ କହିଛନ୍ତି।  ଖଣି କ୍ଷେତ୍ରରେ କାମ କରୁଥିବା ସଂସ୍ଥାଗୁଡ଼ିକୁ ନିଯୁକ୍ତି ସୁଯୋଗ ସୃଷ୍ଟି ପ୍ରତି ଗୁରୁତ୍ୱ ଦେବା ଦରକାର ବୋଲି ସେ କହିଛନ୍ତି। ଆଜି ଏଠାରେ ଆୟୋଜିତ ଜିଓମିନ୍‌ଟେକ୍‌ ଜାତୀୟ ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ, ଖଣି ପ୍ରତି ଲୋକମାନଙ୍କ ରହିଥିବା ଭାବନାରେ ପରିବର୍ତ୍ତନ ଆସିବା ଦରକାର। ଇତିହାସ କହୁଛି ଯେ ପ୍ରାକୃତିକ ସମ୍ବଳର ବିନିଯୋଗ ହେବା ଦ୍ୱାରା ସଭ୍ୟତା ଆଗକୁ ବଢ଼ିଛି। ପୂର୍ବରୁ ଖଣି କ୍ଷେତ୍ରକୁ ପରିବେଶ ନଷ୍ଟକାରୀ ଭାବେ ବିଚାର କରାଯାଉଥିଲା। ମାତ୍ର ଏବେ ନୂତନ ପ୍ରଯୁକ୍ତିର ବ୍ୟବହାର ଦ୍ୱାରା ଏହି କ୍ଷେତ୍ର ପରିବେଶ ଅନୁକୂଳ ହୋଇପାରିଛି ବୋଲି ସେ କହିଛନ୍ତି।

ଏହି ଅବସରରେ ଖଣି କ୍ଷେତ୍ର ସହ ସମ୍ପର୍କ ରଖୁଥିବା  ବୈଷୟିକ ବିଶେଷଜ୍ଞ, ଇଞ୍ଜିନିୟର, ବୈଜ୍ଞାନିକ, ଗବେଷକ ଆଦି ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ଚାନ୍ଦଙ୍କୁ ବେଷ୍ଟ୍‍ କର୍ପୋରେଟ୍‌ ଗଭର୍ଣ୍ଣାସ୍‌ ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଆଇଟି ଆଲ୍ଲାହାବାଦ/ସିକ୍କିମ୍‌ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର୍‌ ଏ ସମ୍ମାଦ୍ଦାର, ପୂର୍ବତନ ଡିଡିଜିଏମ୍‌ଏସ୍‌  ରାକେଶ କୁଳଶ୍ରେଷ୍ଠ, ଏଚ୍‌ଇସିଏଲ୍‌ ରାଞ୍ଚିର ଅଧ୍ୟକ୍ଷ ଅଭିଜିତ ଘୋଷ ଓ ଆଇସି ଆର୍‌ଏମ୍‌ଡି, ସେଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସାଇଦେବ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର