ନୂଆଦିଲ୍ଲୀ: ୨୦୨୪ ସୁଦ୍ଧା ଭାରତୀୟ ଅର୍ଥନୀତି ୫ ଲକ୍ଷ କୋଟି ଡଲାର ଛୁଇଁବା ଆଶା ଉପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସନ୍ଦେହ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ବପ୍ନ ଦେଖୁଛନ୍ତି ତାହା ସାକାର ହେବାର ଆଶା ଦେଖାଯାଉନି। ବର୍ଷ ପରେ ବର୍ଷ ଅଭିବୃଦ୍ଧି ହ୍ରାସ ପାଉଛି। ଅର୍ଥମନ୍ତ୍ରୀ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଅର୍ଥନୀତିର ବର୍ତ୍ତମାନ ସ୍ଥିତି ଯାହା ସ୍ବଳ୍ପ ମିଆଦୀରେ ୫.୫ରୁ ୬ ପ୍ରତିଶତ ଅଭିବୃଦ୍ଧି ହାସଲ ଆଶା କରାଯାଉଛି। କିନ୍ତୁ ନିଯୁକ୍ତି ସୃଷ୍ଟି ପାଇଁ ଆମ ଅର୍ଥନୀତିର ଅଭିବୃଦ୍ଧି ୮ରୁ ୧୦ ପ୍ରତିଶତ ହେବା ଆବଶ୍ୟକ ବୋଲି ମନମୋହନ ମୁମ୍ବାଇଠାରେ କହିଛନ୍ତି। ମହାରାଷ୍ଟ୍ରରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ମନମୋହନ ଏକ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

Advertisment

ମନମୋହନ ଏବଂ ରାଘୁରାମ ରାଜନଙ୍କ ଅମଳରେ ଭାରତୀୟ ବ୍ୟାଙ୍କ ଗୁଡ଼ିକର ସ୍ଥିତି ଖରାପ ହୋଇଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକାରେ ଦେଇଥିବା ମନ୍ତବ୍ୟ ଉପରେ ସେ କହିଲେ ନିର୍ମଳାଙ୍କ ମନ୍ତବ୍ୟକୁ ସେ ଏବେ ଦେଖୁଛନ୍ତି। କିନ୍ତୁ ସେହି ବିବୃତି ଉପରେ କୌଣସି ମନ୍ତବ୍ୟ ଦେ‌ବିନାହିଁ। ତେବେ ଅର୍ଥନୀତିକୁ ଠିକ୍ କରିବା ପୂର୍ବରୁ ଜଣେ ‌ରୋଗର କାରଣକୁ ଜାଣିବା ଏବଂ ତାହାକୁ ଠିକ୍ ଭାବେ ନିଦାନ କରିବା ଆବଶ୍ୟକ ବୋଲି ମନମୋହନ କହିଛନ୍ତି। ସରକାର ବିରୋଧୀଙ୍କ ଉପରେ ଦୋଷ ଲଦିବା ପାଇଁ ଅତ୍ୟନ୍ତ ଆସକ୍ତ ହୋଇପଡ଼ିଛନ୍ତି। ତେଣୁ ଅର୍ଥନୀତିକୁ ସୁଧାରିବା ପାଇଁ ସମାଧାନର ପନ୍ଥା ପାଉନାହାନ୍ତି ବୋଲି ମନମୋହନ କହିଛନ୍ତି। ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ଥିଲି ସେତେବେଳେ ଯାହା ହେବାର ଥିଲା ତାହା ହୋଇଛି। ସେହି ସମୟରେ କେତେକ ଦୁର୍ବଳତା ଥିଲା। କିନ୍ତୁ ୟୁପିଏ ଉପରେ ସବୁବେଳେ ଦୋଷ ଲଦା ଯାଇପାରିବ ନାହିଁ। ତୁମେ ମଧ୍ୟ ୫ ବର୍ଷ ଧରି କ୍ଷମତାରେ ରହିଲ ବୋଲି ସେ ବିଜେପିକୁ ଲକ୍ଷ୍ୟ କରି କହିଥିଲେ। ତେ‌ଣୁ ୟୁପିଏ ଉପରେ ଦୋଷ ଲଦିବା ଠିକ୍ ନୁହେଁ ବୋଲି ମନମୋହନ କହିଛନ୍ତି।

ତେବେ ମନମୋହନଙ୍କ ମନ୍ତବ୍ୟ ଉପରେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଦୃଢ଼ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଆମେ ନିଶ୍ଚିତଭାବେ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ଭାରତକୁ ପରିଣତ କରିବୁ। ୨୦୨୦-୨୧ରେ ଭାରତର ଅଭିବୃଦ୍ଧି ୮ରୁ ୮.୫ ପ୍ରତିଶତ ରହିବ ବୋଲି ନିତି ଆୟୋଗ ଉପାଧ୍ୟକ୍ଷ କହିଛନ୍ତି। ସେହିଭଳି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ ମନମୋହନଙ୍କୁ ଏହି ପ୍ରସଙ୍ଗରେ ଜବାବ ଦେଇଛନ୍ତି। ସେ କହିଛନ୍ତି ମନମୋହନ ତାଙ୍କ ନିଜ ବିଫଳତାକୁ ଦେଖିବା ଆବଶ୍ୟକ। ଭାରତକୁ ସେ କାହିଁକି ଏକ ଦୃଢ଼ ଅର୍ଥନୀତି ଭାବେ ବଜାୟ ରଖିପାରିଲେ ନାହିଁ ଏବଂ ଏକ ଉତ୍ତମ ଶାସନ ଦେଇପାରିଲେ ନାହିଁ ତାହାକୁ ବୁଝିବା ଆବଶ୍ୟକ। ସେ କାହିଁକି ‌ଏତେ ଅସହାୟ ଥିଲେ ଏବଂ ସବୁ କାମ ପାଇଁ ୧୦ ଜନପଥ (ସୋନିଆ ଗାନ୍ଦୀଙ୍କ ସରକାରୀ ବାସଭବନ) ଉପରେ ନିର୍ଭର କରୁଥିଲେ ବୋଲି ଗୋୟଲ ପ୍ରଶ୍ନ କରିଛନ୍ତି।