ମାର୍କେଟ୍‌ ଟ୍ରେଣ୍ଡ୍‌:ଚାହିଦାରେ ପ୍ରୋଗ୍ରେସିଭ ଲେନ୍ସ ଓ ରଙ୍ଗିନ ଫ୍ରେମ୍‌

ଚଷମାର ବ୍ୟବହାର ଆଜିକାଲି ବିଭିନ୍ନ କାରଣରୁ ବଢ଼ିଯାଇଛି। ଆଖି ଖରାପ ହେଉଥିବାରୁ ଛୋଟଠାରୁ ବୟସ୍କ ଲୋକମାନେ ଚଷମା ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ବାଇକ୍‌ ଓ ଗାଡ଼ି ଚାଳକମାନେ ଗାଡ଼ି ଚଳାଇବା ସମୟରେ ଆଖିକୁ କୀଟପତଙ୍ଗ ଓ ଧୂଳି ଆଦିରୁ ସୁରକ୍ଷା ଦେବା ପାଇଁ ଚଷମା ପିନ୍ଧୁଛନ୍ତି। ଏତଦ୍‌ବ୍ୟତୀତ ସେଲିବ୍ରିଟିମାନେ ଚଷମା ପିନ୍ଧିବା ସହିତ ସେଗୁଡ଼ିକର ପ୍ରଚାର କରୁଛନ୍ତି। ସେଲିବ୍ରିଟିମାନଙ୍କ ଦ୍ୱାରା ଯୁବପୀଢ଼ି ଅନୁପ୍ରାଣିତ ହୋଇ ଚଷମା ପିନ୍ଧିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସୂର୍ଯ୍ୟତାପରୁ ଆଖିକୁ ଆରାମ ଦେବା ଲାଗି ମଧ୍ୟ ଅନେକ ବ୍ୟକ୍ତି ସନ୍‌ଗ୍ଲାସ ବ୍ୟବହାର କରୁଛନ୍ତି। ଏସବୁ କାରଣରୁ ଓଡ଼ିଶାରେ ଚଷମା ବଜାରର ଆକାର ବଢ଼ିବାରେ ଲାଗିଛି। ରାଜଧାନୀ ସମେତ ରାଜ୍ୟର ଅନ୍ୟ ଛୋଟବଡ଼ ସହରରେ ଚଷମା ଦୋକାନମାନ ଖୋଲିବାରେ ଲାଗିଛି।
ପାଓ୍ଵାର ଚଷମା ପିନ୍ଧୁଥିବା ବ୍ୟକ୍ତିମାନେ ମୁଖ୍ୟତଃ ଲେନ୍ସ ଉପରେ ଗୁରୁତ୍ୱ ଦେଉଛନ୍ତି। ଆଣ୍ଟି ରିଫ୍ଲେକ୍ସନ ସହିତ ଅଲ୍‌ଟ୍ରା ଭାଓଲେଟ୍‌ ବ୍ଲୁ କଟ୍‌ ଫାଇବର ଲେନ୍ସ ଲୋକେ ଅଧିକ ନେଉଛନ୍ତି ବୋଲି ଏକ ଚଷମା ସୋ’ରୁମ୍‌ର କର୍ମକର୍ତା କୁହନ୍ତି। ଅନ୍ୟ ଜଣେ ଚଷମା ଦୋକାନୀ କୁହନ୍ତି କାଚ ପରିବର୍ତେ ଫାଇବର ଲେନ୍ସ ଚଷମାକୂ ଅଧିକ ଲୋକେ ପସନ୍ଦ କରୁଛନ୍ତି। କାରଣ ଏହାର ଓଜନ୍‌ କମ୍‌ ରହୁଥିବାରୁ ଚଷମା ପିନ୍ଧିବାକୁ ଆରାମ ଲାଗୁଛି। କମ୍‌ ଓଜନ ଯୋଗୁଁ ନାକ ଉପରେ ଦାଗ ହେଉନାହିଁ। ସେହିଭଳି ଏହି ଚଷମା ଭାଙ୍ଗିବାର ଆଶଙ୍କା ବି କମ୍‌ ରହୁଛି। ଭିଜନ୍‌, ପ୍ରାଇମ୍‌ ଓ ଟ୍ରାନ୍ସ ଆଦି ବ୍ରାଣ୍ଡ୍‌ର ଫାଇବର ଲେନ୍ସ ଅଧିକ ବିକ୍ରି ହେଉଛି ବୋଲି ସେ କୁହନ୍ତି। ତେବେ ଅନେକ ଲୋକ କାଚ ଲେନ୍ସର ଚଷମାକୁ ମଧ୍ୟ ପସନ୍ଦ କରୁଥିବା ସେ କୁହନ୍ତି। ଲୋକମାନେ ମୁଖ୍ୟତଃ ସେମାନଙ୍କ ବଜେଟ୍‌ ଅନୁସାରେ ଲେନ୍ସ ଓ ଫ୍ରେମ୍‌ ଚୟନ କରୁଛନ୍ତି। ତେବେ ତାଙ୍କ ଦୋକାନରେ ପାଓ୍ଵାର ଚଷମା କ୍ଷେତ୍ରରେ ପ୍ରୋଗ୍ରେସିଭ ଲେନ୍ସର ଚଷମା ଅଧିକ ବିକ୍ରି ହେଉଛି ବୋଲି ସେ କୁହନ୍ତି। ଅନ୍ୟଜଣେ ଚଷମା ବ୍ୟବସାୟୀଙ୍କ ମତ ହେଲା ଚଷମା କିଣିବାବେଳେ ଲୋକମାନେ କେବଳ ଲେନ୍ସ ନୁହେଁ ଫ୍ରେମ୍‌ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ପିନ୍ଧିବାକୁ ଆରାମ ଲାଗୁଥିବା, ମୁହଁକୁ ସୁନ୍ଦର ଦିଶୁଥିବା ରଙ୍ଗିନ ଫ୍ରେମ୍‌ର ଚାହିଦା ଏବେ ଗ୍ରାହକଙ୍କ ମଧ୍ୟରେ ସବୁଠୁ ଅଧିକ ରହିଛି ବୋଲି ଏହି ବ୍ୟବସାୟୀ ଜଣକ କୁହନ୍ତି। ପୂର୍ବରୁ ମେଟାଲ ଏବଂ ରିମ୍‌ ଫ୍ରେମ୍‌ ଚାଲୁଥିବାବେଳେ ଏବେ ସେଲ୍‌ ବା ଏସିଟେଟ୍‌ ଫ୍ରେମ୍‌କୁ ଅଧିକାଂଶ ଲୋକ ପସନ୍ଦ କରୁଛନ୍ତି। କ୍ୟାଟ ଆଇ, ଗାନ୍ଧି ଫ୍ରେମ୍‌, ଟାଇଗର କଲର ଫ୍ରେମ୍‌ ସହିତ ଅନ୍ୟାନ୍ୟ ରଙ୍ଗିନ ଫ୍ରେମ୍‌କୁ ମଧ୍ୟ ଲୋକମାନେ ଅଧିକ ମାତ୍ରାରେ କ୍ରୟ କରୁଛନ୍ତି ବୋଲି ସେ ମତଦିଅନ୍ତି।
ସେହିଭଳି ଆଖିକୁ ଆରାମ ଓ ସୁରକ୍ଷା ଦେବା ସହିତ ଅନେକ ବ୍ୟକ୍ତି ଷ୍ଟାଇଲ ଓ ଷ୍ଟାଟସଭାବେ ଚଷମା ପିନ୍ଧୁଛନ୍ତି। ବିଶେଷକରି ସନ୍‌ଗ୍ଲାସ୍‌ ପିନ୍ଧୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ ଓଡ଼ିଶାର ଅନ୍ୟ ସହରରେ ନାମୀଦାମୀ ବ୍ରାଣ୍ଡ୍‌ର ଚଷମା ମିଳୁଛି। ସେଗୁଡ଼ିକ ମଧ୍ୟରେ ରେବ୍ୟାନ୍‌,ଭୋଗ୍‌, ଟମି ହିଲ୍‌ଫିଗର, ଗୁଚି, ପ୍ରାଡା ଓ ଫାଷ୍ଟଟ୍ରାକ୍‌ ଆଦି ବ୍ରାଣ୍ଡ୍‌ର ଚଷମା ରହିଛି। ଏଥିସହିତ ଭିଣ୍ଟେଜ୍‌, ଇମେଜ୍‌, ସ୍କଟ୍‌, ଆଜାରୋ ଏବଂ ଆଇଡି ଭଳି ବ୍ରାଣ୍ଡ୍‌ର ସନ୍‌ଗ୍ଲାସ ବି ରହିଛି। ବିଭିନ୍ନ ବୟସ ଓ ଆୟବର୍ଗର ଲୋକମାନେ ଭିନ୍ନ ଭିନ୍ନ ବ୍ରାଣ୍ଡ୍‌ର ସନ୍‌ଗ୍ଲାସ ଚୟନ କରୁଛନ୍ତି ବୋଲି ଚଷମା ବିକ୍ରେତାମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର