ନିର୍ମଳାଙ୍କ ଓଲା, ଉବର୍‌ ମନ୍ତବ୍ୟକୁ ଗ୍ରହଣ କରିପାରୁନି ମାରୁତି

ଗୌହାଟି: ନୂତନ ପିଢ଼ି ଓଲା ଓ ଉବରରେ ଗମନାଗମନ କରିବାକୁ ଅଧିକ ପସନ୍ଦ କରୁଥିବାରୁ ଗାଡ଼ି ବଜାରରେ ମାନ୍ଦାବସ୍ଥା ଦେଖାଦେଇଛି ବୋଲି କିଛି ଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯାହା କହିଥିଲେ ତାହାକୁ ମାରୁତି ସୁଜୁକିର କାର୍ଯ୍ୟନିର୍ବାହୀ ନିର୍ଦେଶକ (ମାର୍କେଟିଂ ଓ ବିକ୍ରି) ଶଶାଙ୍କ ଶ୍ରୀବାସ୍ତବ ଗ୍ରହଣ କରିପାରୁନାହାନ୍ତି। ଗାଡ଼ି ବଜାର ମାନ୍ଦାବସ୍ଥାର ବଡ଼ କାରଣ ଓଲା କିମ୍ବା ଉବର୍ ନୁହେଁ। ଏହାର ପ୍ରକୃତ କାରଣ କ’ଣ ତାହା ଜାଣିବା ଲାଗି ବଡ଼ ଧରଣର ସର୍ବେକ୍ଷଣ କରିବାକୁ ପଡ଼ିବ। ଭାରତରେ ଗାଡ଼ି ମାଲିକାନାରେ ସେଭଳି କୌଣସି ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇନି। ଏବେବି ଲୋକମାନେ ନିଜର ଅଭିଳାଷ ପୂରଣ କରିବା ଲାଗି ଗାଡ଼ି କିଣୁଛନ୍ତି ବୋଲି ସେ କହିଛନ୍ତି। ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଯେ, ଓଲା ଓ ଉବର୍‌ ସେବା ପ୍ରଦାନ କରିବାର ୬-୭ ବର୍ଷ ହୋଇଗଲାଣି। ସେହି ସମୟରେ ଗାଡ଼ି ବଜାର ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ମାତ୍ର ବିଗତ କିଛି ମାସ ଭିତରେ ଏଭଳି କ’ଣ ହେଲା ଯେଉଁଥିପାଇଁ ଗାଡ଼ି ବଜାରରେ ମାନ୍ଦାବସ୍ଥା ଦେଖାଦେଇଛି ତାହା ଜାଣିବା ଲାଗି ଉଦ୍ୟମ କରିବାକୁ ହେବ। ଆମେରିକା ବଜାରର ଉଦାହରଣ ଦେଇ ସେ କହିଛନ୍ତି ଯେ, ଉବର ପାଇଁ ଆମେରିକା ହେଉଛି ସବୁଠୁ ବଡ଼ ବଜାର। ତଥାପି ସେଠାରେ କାର୍‌ ବିକ୍ରି ବହୁତ ଭଲ ରହିଛି। ଭାରତରେ ୪୬%ଗ୍ରାହକ ପ୍ରଥମ ଥର ଲାଗି କାର୍ କିଣୁଛନ୍ତି। ଲୋକମାନେ ଯଦିଓ ଅଫିସ୍ ଯିବା ଲାଗି କିମ୍ବା ସପ୍ତାହରେ କେଉଁ ଆଡ଼େ ବୁଲିଯିବା ପାଇଁ ଓଲା ଓ ଉବର୍‌କୁ ବ୍ୟବହାର କରୁଛନ୍ତି, କିନ୍ତୁ ପରିବାରକୁ ସାଙ୍ଗରେ ନେଇ ଯିବା ଲାଗି ସେମାନେ କାର୍‌ କିଣିବାକୁ ଅଧିକ ପସନ୍ଦ କରୁଥିବା ଶ୍ରୀବାସ୍ତବ କହିଛନ୍ତି।

ଗାଡ଼ି ବଜାର ମାନ୍ଦାବସ୍ଥାର କାରଣଗୁଡ଼ିକ କ’ଣ ହୋଇପାରେ ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ନଗଦ ଟଙ୍କାର ଅଭାବ, ନିୟାମକ ବ୍ୟବସ୍ଥା ଲାଗୁ କରାଯିବା ପରେ ଗାଡ଼ିଗୁଡ଼ିକର ମୂଲ୍ୟରେ ହୋଇଥିବା ବୃଦ୍ଧି, ଅଧିକ ଟିକସ ଏବଂ ବୀମା ପ୍ରିମିୟମ୍‌ରେ ବୃଦ୍ଧି ଗାଡ଼ି ବିକ୍ରି ମାନ୍ଦା ରହିବାର କାରଣ ହୋଇପାରେ। ଅର୍ଥନୀତିରୁ ମାନ୍ଦାବସ୍ଥା ଦୂର କରିବା ଲାଗି ଗତ ମାସରେ ସରକାର ଯେଉଁ ସବୁ ଘୋଷଣା କରିଥିଲେ ତାହା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର